ନୂଆଦିଲ୍ଲୀ: ମହାନ ତବଲା ବାଦକ ଭାବରେ ସୁନାମ ଅର୍ଜନ କରିଥିବା ଜାକିର ହୁସେନଙ୍କ ପରଲୋକ ଘଟିଛି । ଆମେରିକାର ସାନ ଫ୍ରାନ୍ସିସ୍କୋରେ ଥିବା ଏକ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । କୁହାଯାଉଛି ଯେ ସେ ହାର୍ଟ ସମ୍ବନ୍ଧୀୟ ରୋଗରେ ପୀଡିତ ଥିଲେ । ଆଉ ଏବେ ତାଙ୍କର ମୃତ୍ୟୁ ଘଟିଛି ।
ଏକ ଜାତୀୟ ଗଣମାଧ୍ୟମକୁ ତାଙ୍କର ଏକ ଉତ୍ସ ନିଶ୍ଚିତ କରିଛି ଯେ, ତାଙ୍କର ଏବେ ପରଲୋକ ହୋଇଛି । ଆମେରିକାର ଏକ ଡାକ୍ତରଖାନାରେ ସେ ଚିକିତ୍ସିତ ହେଉଥିଲେ । ସେ ଗତ କିଛି ବର୍ଷ ହେବ ହାର୍ଟ ସମ୍ବନ୍ଧୀୟ ରୋଗରେ ପୀଡିତ ଥିଲେ । ପ୍ରାୟ ୨ ବର୍ଷ ପୂର୍ବେ, ତାଙ୍କ ହାର୍ଟରେ ବ୍ଲକେଜ ହେତୁ ତାଙ୍କୁ ଏକ ଷ୍ଟେଣ୍ଟ ମଧ୍ୟ ଲଗାଯାଇଥିଲା ।
ଜାକିର ହୁସେନ୍ ହେଉଛନ୍ତି ପ୍ରସିଦ୍ଧ ସ୍ୱର୍ଗତ ତବଲା ବାଦକ ଆଲ୍ଲାହା ରଖା ଖାନଙ୍କ ପୁତ୍ର । ସୂଚନାଯୋଗ୍ୟ ଯେ ସେ ଅନେକ ପ୍ରସିଦ୍ଧ ଭାରତୀୟ ଏବଂ ବିଦେଶୀ ଚଳଚ୍ଚିତ୍ର ପାଇଁ ସଙ୍ଗୀତ ରଚନା କରିଥିଲେ ଏବଂ ଚଳଚ୍ଚିତ୍ର ଗୁଡ଼ିକ ପାଇଁ ତବଲା ବଜାଇଥିଲେ। ଜାକିର ହୁସେନ୍ ୭ ବର୍ଷ ବୟସରେ ତବଲା ଶିଖିବା ଆରମ୍ଭ କରିଥିଲେ ଏବଂ ୧୨ ବର୍ଷ ବୟସରେ ସେ ଦେଶ ଭ୍ରମଣ କରିବା ସମୟରେ ନିଜର କଳା ପ୍ରଦର୍ଶନ ଆରମ୍ଭ କରିଥିଲେ।
ପ୍ରାୟ ଚାରି ଦଶନ୍ଧି ପୂର୍ବରୁ ଉସ୍ତାଦ୍ ଜାକିର ହୁସେନ୍ ତାଙ୍କ ପରିବାର ସହିତ ଆମେରିକାର ସାନ ଫ୍ରାନ୍ସିସ୍କୋରେ ଅବସ୍ଥାନ କରିଥିଲେ । ଜାକିର ଖାନଙ୍କୁ ଦେଶ ତଥା ବିଦେଶରେ ଅନେକ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରର ପୁରସ୍କାର ପ୍ରଦାନ କରାଯାଇଛି।
ଜାକିର ହୁସେନଙ୍କୁ ୧୯୮୮ ମସିହାରେ ପଦ୍ମଶ୍ରୀ, ୨୦୦୨ମସିହାରେ ପଦ୍ମ ଭୂଷଣ, ୨୦୨୩ ମସିହାରେ ପଦ୍ମବିଭୂଷଣ ପରି ଭାରତ ସରକାର ସର୍ବୋଚ୍ଚ ପୁରସ୍କାର ପ୍ରଦାନ କରିଛନ୍ତି। ୧୯୯୦ ରେ ଜାକିର ହୁସେନଙ୍କୁ ସର୍ବୋଚ୍ଚ ସଂଗୀତ ସମ୍ମାନ 'ସଂଗୀତ ନାଟକ ଏକାଡେମୀ ପୁରସ୍କାର' ପ୍ରଦାନ କରାଯାଇଥିଲା।