ଭୁବନେଶ୍ୱର,୧୯/୦୫: ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟଙ୍କ କାର୍ଯ୍ୟକାଳ ଆସନ୍ତା  ୨୩ରେ ଶେଷ ହେବ । ଏହାପୂର୍ବରୁ  ତାଙ୍କ କାର୍ଯ୍ୟକାଳକୁ ପୁଣି ଆଉ ଏକ ବର୍ଷ  ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ରାଜ୍ୟପାଳଙ୍କ  କାର୍ଯ୍ୟାଳୟରୁ ଉଚ୍ଚଶିକ୍ଷା ବିଭାଗକୁ ଚିଠି  କରାଯାଇଛି । ଯାହାକୁ ନେଇ କ୍ଷୋଭ ପ୍ରକାଶ  କରିଛନ୍ତି ଶିକ୍ଷାବିତ୍‌ ଓ ବରିଷ୍ଠ ଅଧିକାରୀ । 

ରାଜ୍ୟପାଳଙ୍କ ସଚିବାଳୟର ଉଚ୍ଚଶିକ୍ଷା  ବିଭାଗର ଦାୟିତ୍ୱରେ ଥିବା ଅଧିକାରୀ  ଚିତ୍ତରଞ୍ଜନ ମହାନ୍ତି ବିଭାଗୀୟ କମିଶନରଙ୍କୁ  ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତିଙ୍କ  କାର୍ଯ୍ୟାଳୟ ବୃଦ୍ଧି ସଂପର୍କରେ ଏକ ଚିଠି  ଲେଖିଛନ୍ତି । ଏଥିରେ ଉଲ୍ଲେଖ କରାଯାଇଛି,  ପ୍ରଫେସର ଆଚାର୍ଯ୍ୟଙ୍କର ଆଗରୁ ବର୍ଦ୍ଧିତ  ହୋଇଥିବା କାର୍ଯ୍ୟକାଳକୁ ୧ ବର୍ଷ ପାଇଁ  କିମ୍ବା ନୂଆ କୁଳପତି ନିଯୁକ୍ତି ହେବା  ଯାଏ ବୃଦ୍ଧି କରାଯାଉ । ଯାହା ଓଡ଼ିଶା  ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ  ୨୦୨୪ର ସବ୍‌ ସେକ୍ସନ୍‌ (୬) ଅନୁଯାୟୀ  ବିଚାରକୁ ନିଆଯାଉ ବୋଲି କୁହାଯାଇଛି । 

ଏହାକୁ ନେଇ ଜଣେ ବରିଷ୍ଠ  ଅଧିକାରୀ ଅଭିଯୋଗ କରିଛନ୍ତି ଯେ  ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ  ୨୦୨୪ରେ କେବଳ ସବ୍‌ ସେକ୍ସନ୍‌-୬ରେ  କୁହାଯାଇଥିବା କଥାକୁ ଚିଠିରେ ଉଲ୍ଲେଖ  କରାଯାଇଛି । କିନ୍ତୁ ସବ୍‌ ସେକ୍ସନ-୧୦ରେ  ରହିଛି ଯେ ଯଦି କୌଣସି ବିଶ୍ୱବିଦ୍ୟାଳୟର  କୁଳପତିଙ୍କ କାର୍ଯ୍ୟାକାଳ ଶେଷ ହେଉଛି  ତାଙ୍କ ସ୍ଥାନରେ ନିକଟ ବିଶ୍ୱବିଦ୍ୟାଳୟର  କୁଳପତିଙ୍କୁ ଦାୟିତ୍ୱ ଦିଆଯାଇପାରିବ ।  ତେବେ ଏହାକୁ କାହିଁକି ବିଚାରକୁ  ନିଆଯିବ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । 

ସୂଚନାଯୋଗ୍ୟ, ଉତ୍କଳ ବିଶ୍ୱବିଦ୍ୟାଳୟ  କୁଳପତି ପ୍ରଫେସର ଆଚାର୍ଯ୍ୟଙ୍କର  କାର୍ଯ୍ୟକାଳ ଗତ ୨୦୨୪ ନଭେମ୍ବର  ୨୬ ତାରିଖରେ ଶେଷ ହୋଇଥିଲା ।  ନୂଆ କୁଳପତି ନିଯୁକ୍ତି ହେବା ଯାଏ କିମ୍ବା  ୬ ମାସ ପାଇଁ ତାଙ୍କର କାର୍ଯ୍ୟକାଳକୁ  ଉଚ୍ଚଶିକ୍ଷା ବିଭାଗ ବୃଦ୍ଧି କରିଥିଲା । ଅର୍ଥାତ୍‌  ୨୦୨୫ ମେ ୨୩ ତାରିଖ ଯାଏ ତାଙ୍କ  କାର୍ଯ୍ୟକାଳ ବୃଦ୍ଧି କରାଯାଇଥିଲା । ତେବେ  ତାଙ୍କ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ  ଗତକାଲି ରାଜଭବନ ପକ୍ଷରୁ ପ୍ରଫେସର  ଆଚାର୍ଯ୍ୟଙ୍କ କାର୍ଯ୍ୟକାଳକୁ ପୁନଃ ଏକ  ବର୍ଷ କିମ୍ବା ନୂଆ କୁଳପତି ନିଯୁକ୍ତି ହେବା  ଯାଏ ବୃଦ୍ଧି କରିବାକୁ ଚିଠି କରାଯାଇଛି ।