ନୂଆଦିଲ୍ଲୀ: ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୈଭବ ସୂର୍ଯ୍ୟବଂଶୀ ଶ୍ରୀଲଙ୍କା ଏ ବିପକ୍ଷ ଫାଇନାଲରେ ବିଧ୍ବଂସୀ ପାଳି ଖେଳି ଭାରତ ଏ’ କୁ ଚାମ୍ପିୟନ କରାଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ୨୯ ବଲରୁ ୯୪ ରନର ପାଳି ଖେଳିଥିବା ବୈଭବ ପ୍ଲେୟାର ଅଫ୍ ଦ ମ୍ୟାଚ୍ ହୋଇଥିଲେ । ଆଇପିଏଲ ପରେ ଇଣ୍ଡିଆ-ଏ ଟିମରେ ସଫଳ ହୋଇଛନ୍ତି । ଆଉ ଏବେ ଅନ୍ତର୍ଜାତୀୟ ଡେବ୍ୟୁ କେମିତି ହେଉଛି ଏହା ଉପରେ ସମସ୍ତଙ୍କ ନଜର ରହିଛି । ଇଂଲଣ୍ଡ ଏବଂ ଆୟାରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ ପାଇଁ ଦଳରେ ସ୍ଥାନ ପାଇଛନ୍ତି ବୈଭବ । ତେବେ ଡେବ୍ୟୁ କରିବା ପୂର୍ବରୁ ବୈଭବଙ୍କୁ ବଡ଼ ଚେତାବନୀ ଦେଇଛନ୍ତି ଦକ୍ଷିଣଆଫ୍ରିକାର ପୂର୍ବତନ କ୍ରିକେଟର ଡାରେଲ କଲିନନ୍ । ସେ କହିଛନ୍ତି କି, ବୈଭବ କ୍ୟାରିୟରରେ ବିପଦପୂର୍ଣ୍ଣ ଆଘାତ ପାଇବାର ସମ୍ଭାବନା ରହିଛି । ଯାହା ସଚିନ ମଧ୍ୟ ପାଇଥିଲେ ।
ଡାରେଲ ବୈଭବଙ୍କୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି କି, ସୂର୍ଯ୍ୟବଂଶୀ ଜଣେ ଚମତ୍କାର ଏବଂ ଅବିଶ୍ବସନୀୟ ଖେଳାଳି । ମୁଁ ତାଙ୍କର ଜଣେ ବଡ଼ ଫ୍ୟାନ । ଏହାସହ ସେ କହିଛନ୍ତି କି, ୧୫ ବର୍ଷ ବୟସରେ ସେ ଏତେ ଭାରୀ ବ୍ୟାଟରେ ଖେଳୁଛନ୍ତି ଯାହାକୁ ନେଇ ମୁଁ ଚିନ୍ତିତ । ତାଙ୍କ ହାତ ଏବଂ କହୁଣୀକୁ ନେଇ ମୁଁ ଚିନ୍ତିତ । ସଚିନ ମଧ୍ୟ ଭାରୀ ବ୍ୟାଟ୍ ଖେଳି ସ୍ବିଙ୍ଗ୍ କରୁଥିଲେ ଏବଂ କହୁଣୀ ସମସ୍ୟାର ସମ୍ମୁଖୀନ ହେଉଥିଲେ । ଯାହା ସୂର୍ଯ୍ୟବଂଶୀଙ୍କ କ୍ଷେତ୍ରରେ ମଧ୍ୟ ଦେଖିବାକୁ ମିଳିବ । ସଚିନ ଟେନିସ ଏଲବୋ ସମସ୍ୟାର ସମ୍ମୁଖୀନ ହୋଇଥିଲେ ।
ସଚିନ ଭାରୀ ବ୍ୟାଟରେ ଖେଳୁଥିଲେ ଏବଂ ୨୦୦୪ରୁ ୨୦୦୬ ମଧ୍ୟରେ ଟେନିସ୍ ଏଲବୋ ସମସ୍ୟା ଭୋଗୁଥିଲେ । ଏହାପରେ ସେ ହାଲକା ବ୍ୟାଟ ବ୍ୟବହାର କରିଥିଲେ । ୨୦୧୩ରେ ସଚିନଙ୍କ କ୍ୟାରିୟର ଶେଷ ହୋଇଥିବାବେଳେ ୨୦୧୧ରେ ବିଶ୍ବକପ ଜିତିଥିଲେ । ତେବେ ବୈଭବ ଏବେ କମ ବୟସର ଖେଳାଳି ହୋଇଥିବାବେଳେ ସେ ମଧ୍ୟ ଭାରି ବ୍ୟାଟରେ ଖେଳୁଥିବାରୁ ଟେନିସ୍ ଏଲବୋ ସମସ୍ୟା ଭୋଗିପାରନ୍ତି । ଏଣୁ ଆଗୁଆ ସଚେତନ ହୁଅନ୍ତୁ ବୋଲି ସେ କହିଛନ୍ତି ।
ଏହାସହ ପଢ଼ନ୍ତୁ : Viral Video: କେକ୍ ଖୁଆଇଲେ, ଜନ୍ମଦିନ ପାଳିଲେ: ପାକିସ୍ତାନୀ ଅଭିନେତ୍ରୀଙ୍କ ସହ ସାରାଙ୍କ ଭିଡିଓ ଭାଇରାଲ