ନୂଆଦିଲ୍ଲୀ,୧୯।୧୨:  ଋଷ ଓ ୟୁକ୍ରେନ୍ ମଧ୍ୟରେ ବିପଦଜନକ ହେବାରେ ଲାଗିଛି ଯୁଦ୍ଧ। ଏସବୁ ଭିତରେ ପୁଟିନ୍ ଗୁରୁବାର ଶାନ୍ତି ବୁଝାମଣା ଉପରେ ଦେଇଛନ୍ତି ବଡ଼ ବୟାନ। ସେ କହିଛନ୍ତି, ଟ୍ରମ୍ପଙ୍କ ସହ ତାଙ୍କର ଗତ ୪ ବର୍ଷ ହେବ କୌଣସି ଆଲୋଚନା ହୋଇନାହିଁ। ତାଙ୍କୁ ଏହା ମଧ୍ୟ ଜଣାନାହିଁ ଦୁହେଁ କେବେ ଭେଟିବେ, କିନ୍ତୁ ତାଙ୍କ ସହ ଯେ କୌଣସି ସମୟରେ କଥା ହେବାକୁ ମୁଁ ପ୍ରସ୍ତୁତ। ସାମ୍ବାଦିକ ସମ୍ମିଳନୀରେ ପୁଟିନ୍ କୁର୍ସ୍କରେ ନିଜର ବିଫଳତା ମଧ୍ୟ ସ୍ବୀକାର କରିଛନ୍ତି। ସେ କହିଛନ୍ତି, ଜଣାନାହିଁ ତାଙ୍କ ସେନା କେଉଁ ପର୍ଯ୍ୟନ୍ତ ୟୁକ୍ରେନ୍‌ଠାରୁ ନିଜ ଅଞ୍ଚଳକୁ ମୁକ୍ତ କରିପାରିବ ?

ପୁଟିନ୍‌ଙ୍କ ବୟାନ ଏଭଳି ସମୟରେ ଆସଛି ଯେତେବେଳେ ତାଙ୍କ ଘନିଷ୍ଠ ଓ ପରମାଣୁ ଅସ୍ତ୍ରର ଦେଖାଶୁଣା କରୁଥିବା କମାଣ୍ଡରଙ୍କୁ ୟୁକ୍ରେନ୍ ସେନା ଋଷରେ ପଶି ମାରିଥିଲା।ପୁଟିନ୍‌ଙ୍କ କମାଣ୍ଡରଙ୍କ ମୃତ୍ୟୁର ଦିନକ ପରେ ଋଷ ସେନା ଦିନକ ପାଇଁ  ୟୁକ୍ରେନ୍ ଭିତରେ ରଚିଥିଲା ମୃତ୍ୟୁର ତାଣ୍ଡବ। ୪୦୦ରୁ ଅଧିକ ସୈନିକଙ୍କ ନେଇଥିଲା ଜୀବନ। ୟୁକ୍ରେନ୍ ଏହାକୁ ପୁଟିନ୍‌ଙ୍କ ପ୍ରତିଶୋଧ ବୋଲି କହିଛି।

ନିକଟରେ ପୁଟିନ୍ ଓ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲ୍ଡିମିର ଜଲେନସ୍କି ସେନା ଭିତରେ ଯୁଦ୍ଧ ଚରମ ସୀମାରେ ପହଁଞ୍ଚି ଯାଇଛି। ଆମେରିକାର ମଞ୍ଜୁରୀ ମିଳିବା ପରେ ୟୁକ୍ରେନ୍ ସେନା ଋଷ ଭିତରେ ମିସାଇଲ ଆକ୍ରମଣ କରିଥିଲା। ପୁଟିନ୍ ସେନା ମଧ୍ୟ ଉତ୍ତର କୋରିଆ ସେନାର ସହାୟତାରେ ୟୁକ୍ରେନ ବିରୋଧରେ ଲଢେଇ ଆରମ୍ଭ କରିଥିଲେ। ପୂର୍ବରୁ ଯେଉଁଠି ୟୁକ୍ରେନ୍ ନିଜ ଭୂମିକୁ ବଞ୍ଚାଇବା ପାଇଁ ଲଢୁଥିଲା, ଏବେ କିନ୍ତୁ ଋଷ ସେନାକୁ ନିଜ ଭୂମିକୁ ବଞ୍ଚାଇବା ପାଇଁ ଲଢେଇ କରିବାକୁ ପଡୁଛି। ଟ୍ରମ୍ପ ଆସନ୍ତା ବର୍ଷ ଜାନୁଆରୀ ୨୦ ରେ ହ୍ବାଇଟ ହାଉସ ଫେରିବେ। ସେ ଆମେରିକାର ଶାସନ କ୍ଷମତାରେ ଆସିବା ପରେ କିଭ୍ ଆଶଙ୍କା କରିଛି ଟ୍ରମ୍ପ ଯୁଦ୍ଧ ବନ୍ଦ କରିବାକୁ ୟୁକ୍ରେନ୍ ଉପରେ ଚୁକ୍ତିର ଚାପ ପକାଇ ପାରନ୍ତି। ସେପେଟ ପୁଟିନ୍ ପ୍ରଥମ ଥର ଯୁଦ୍ଧ ଭିତରେ ଶାନ୍ତି ବୁଝାମଣା ଆଡକୁ ମନ ବଳାଇଥିବାର ଦେଖିବାକୁ ମିଳିଛନ୍ତି।