ଭୁବନେଶ୍ୱର ୧୯/୧୨: କିଛି ଲୋକଙ୍କ ପାଦ, ଗୋଡ଼ର ଶିରା ବଡ଼  କିମ୍ବା ମୋଡ଼ି ମୋଡ଼ି ହୋଇଥିବା ଦେଖାଯାଏ ।  ଏହି ସମସ୍ୟାକୁ ଭେରିକୋଜ୍‌ ଭେନ୍‌ ବା  ଲୋଚାକୋଚା ଶିରା କୁହାଯାଏ । କେବଳ  ଗୋଡ଼ରେ ନୁହେଁ, ହାତ ଓ ଶରୀରର ଅନ୍ୟ  ସ୍ଥାନରେ ମଧ୍ୟ ଏଭଳି ଶିରା ଦେଖା ଯାଇଥାଏ ।  କିନ୍ତୁ ଗୋଡ଼ରେ ଅଧିକ ଦେଖା ଦେଖାଯାଏ ।  ପ୍ରାୟ ଲୋକ ଏହାକୁ ଏତେ ଗୁରୁତ୍ୱ ଦିଅନ୍ତିନି  କି ଚିକିତ୍ସା ଉପରେ ଧ୍ୟାନ ଦେଇ ନ ଥାନ୍ତି । ଶେଷରେ ବହୁ ଜଟିଳ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ ।  ବିଭିନ୍ନ ସମୟରେ ହର୍‌ମୋନ ପରିବର୍ତ୍ତନ ଯୋଗୁଁ ଭେରିକୋଜ୍‌ ଭେନ୍‌ ଜନିତ ସମସ୍ୟା ପୁରୁଷଙ୍କ ଅପେକ୍ଷା  ମହିଳାଙ୍କଠାରେ ଅଧିକ ଦେଖା ଦେଇଥାଏ । ଭେରିକୋଜ୍‌ ଭେନ୍‌ ସମସ୍ୟାରେ ଶିରାଗୁଡ଼ିକ ଫୁଲିଯାଏ ।  ରକ୍ତ ପ୍ରବାହରେ ବାଧା ଏବଂ ଶିରାଗୁଡ଼ିକ ଭିତରେ ଥିବା ଭାଲ୍‌ଭର ତ୍ରୁଟିରୁ ଏହା ସୃଷ୍ଟି ହୋଇଥାଏ । 

 ଲକ୍ଷଣ 

  • ପାଦରେ ଫୁଲିଥିବା ନୀଳ କିମ୍ବା ଜାମୁକୋଳି ରଙ୍ଗର ଶିରା ଦେଖା ଦେବା
  • ପାଦରେ ପ୍ରବଳ ଯନ୍ତ୍ରଣା ସାଙ୍ଗକୁ ଓଜନିଆ ଅନୁଭବ ହେବା
  • ଶିରା ଦରଜ ହେବା, ଜ୍ୱଳନ ଅନୁଭବ ହେବା ସହ ମାଂସପେଶୀରେ ଯନ୍ତ୍ରଣା ଅନୁଭବ ହେବା
  • ପାଦରେ ରକ୍ତ ଜମାଟ ବାନ୍ଧିବା ସହ ଗୋଡ଼ ମାଂସପେଶୀରେ ରକ୍ତ ସଞ୍ଚାଳନରେ ସମସ୍ୟା ଦେଖାଦେବା
  • ରାତିରେ ମାଂସପେଶୀ ଯନ୍ତ୍ରଣା ହେବା ଏବଂ ଗୋଡ଼ର ତଳ ଭାଗରେ ପ୍ରଦାହ ହେବା
  • ତ୍ୱଚାର ରଙ୍ଗରେ ପରିବର୍ତ୍ତନ ଆସିବା ସହ ଘା’ ହେବା, ଏପରିକି ଅଚାନକ ଶିରାରୁ ରକ୍ତ ବାହାରିବା  

ଚିକିତ୍ସା 

 ସ୍କେଲରୋଥେରାପି (Sclerotherapy) ଏହି ଚିକିତ୍ସାରେ ଶିରାରେ ଏକ ଇଞ୍ଜେକସନ୍‌ ଦିଆଯାଇଥାଏ, ଯାହା ଶିରାକୁ ସଙ୍କୁଚିତ କରିବା ସହ ଲୋଚାକୋଚା ଶିରା ଧୀରେ ଧୀରେ ଅଦୃଶ୍ୟ ହୋଇଯାଏ ।

 ଲେଜର ଥେରାପି (Laser Therapy) ଲେଜର ଆଲୋକ ଦ୍ୱାରା ଶିରାଗୁଡ଼ିକର ଚିକିତ୍ସା କରାଯାଇଥାଏ । ଏହାଦ୍ୱାରା ତ୍ୱଚା ଉପରେ ଥିବା ଛୋଟ ଓ ମଧ୍ୟମ ଆକାରର ଶିରାଗୁଡ଼ିକ ଆଉ ରହେ ନାହିଁ ।

 ରେଡିଓ ଫ୍ରିକ୍ୱେନ୍ସି ଏବଂ ଏଣ୍ଡୋଭେନସ୍‌ ଲେଜର ଟ୍ରିଟ୍‌ମେଣ୍ଟ (Radiofrequency and Endovenous Laser Treatment) ବଡ଼ ବଡ଼ ଶିରାଗୁଡ଼ିକର ଚିକିତ୍ସା ପାଇଁ ଏହି ପଦ୍ଧତି ଅବଲମ୍ବନ କରାଯାଇଥାଏ । ଏହି ଚିକିତ୍ସାରେ ଲେଜର୍‌ ମାଧ୍ୟମରେ ଶିରା ଭିତରକୁ ଉଚ୍ଚ ତାପମାତ୍ରା ପ୍ରୟୋଗ କରି ଚିକିତ୍ସା କରାଯାଏ । ଯାହାଦ୍ୱାରା ଶିରାର ପ୍ରଦାହ କମିଯାଏ ।

ଡା. ସମ୍ବିତ୍‌ କୁମାର ପଟ୍ଟନାୟକ