ନୂଆଦିଲ୍ଲୀ,୦୩/୦୩: ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଭାରତ ତାର ଶେଷ ଲିଗ୍ ମ୍ୟାଚ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିଥିଲା । ୪୪ରନରେ ବାଜି ମାରି ନେଇଛି ଟିମ୍ ଇଣ୍ଡିଆ । ଏଥିରେ ଷ୍ଟାର ଥିଲେ ମିଷ୍ଟ୍ରୀ ସ୍ପିନର ବରୁଣ ଚକ୍ରବର୍ତ୍ତୀ । ୫ ୱିକେଟ ନେଇ ଭାରତ ବିଜୟର ହିରୋ ସାଜିଥିଲେ । ଯେଉଁ ଗ୍ରାଉଣ୍ଡରେ ତାଙ୍କୁ ଦିନେ ଗଳି ବୋଲର କୁହାଯାଉଥିଲା ସେହି ଗ୍ରାଉଣ୍ଡରେ ଚମକିଥିଲେ ବରୁଣ । ୪ ବର୍ଷ ପୂର୍ବେ ଦୁବାଇର ଏହି ଗ୍ରାଉଣ୍ଡରେ ତାଙ୍କୁ ପାକିସ୍ତାନ ଗଳି କ୍ରିକେଟର କହିଥିଲା । ସମାଲୋଚନାର ଶିକାର ହେବାକୁ ପଡିଥିଲା ହେଲେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ମୁହଁ ବନ୍ଦ କରି ଦେଇଛନ୍ତି ବରୁଣ ।

୪ ବର୍ଷ ପରେ ବଦଲା ନେଲେ ବରୁଣ- ବାଂଲାଦେଶ ଓ ପାକିସ୍ତାନ ବିପକ୍ଷରେ ଖେଳି ନଥିଲେ ବରୁଣ । ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ଦମଦାର ପ୍ରଦର୍ଶନ କରିଥିଲେ । ୫ୱିକେଟ ହାସଲ କରି ଭାରତକୁ ହ୍ୟାଟ୍ରିକ ବିଜୟ ଦେଇଥିଲେ । ୪ବର୍ଷ ତଳେ ୨୦୨୧ ଟି-ଟ୍ବେଣ୍ଟି ବିଶ୍ବକପରେ ପାକିସ୍ତାନ ଭାରତକୁ ୧୦ ୱିକେଟରେ ହରାଇଥିଲା । ଏହା ବରୁଣଙ୍କର ପ୍ରଥମ ଆଇସିସି ଟୁର୍ଣ୍ଣାମେଣ୍ଟ ଥିଲା । ଏହି ମ୍ୟାଚରେ ବରୁଣ ୪ ଓଭର ବୋଲିଂ କରି ୩୩ ରନ ଦେଇଥିଲେ । କିଛି ସଫଳତା ମିଳିନଥିଲା । ଖରାପ ପ୍ରଦର୍ଶନ ପାଇଁ ପାକିସ୍ତାନ ତାଙ୍କର ମଜାକ ଉଡାଇଥିଲା । ପୂର୍ବତନ କ୍ରିକେଟର ସଲମାନ ବଟ ତାଙ୍କୁ ଗଳି କ୍ରିକେଟର ବୋଲି କହିଥିଲା । ଏହି ମ୍ୟାଚ ପରେ ଦୀର୍ଘ ଦିନ ହେବ କୌଣସି ଆଇସିସି ମ୍ୟାଚ ଖେଳି ନଥିଲେ । ଏବେ ୪ ବର୍ଷ ପରେ ବଦଲା ନେଇଛନ୍ତି ବରୁଣ ।

 ଅଧିକ ପଢନ୍ତୁ...୧୦ ବର୍ଷ ତଳେ ଯାହା ହୋଇଥିଲା; ସେମିତି ଏକ ସେମିଫାଇନାଲ ଦେଖିବେ ଫ୍ୟାନ୍ସ, ୪୮ ଘଣ୍ଟା ଗୁରୁତ୍ବପୂର୍ଣ୍ଣ

ଚକ୍ରବର୍ତ୍ତୀଙ୍କ କୀର୍ତ୍ତିମାନ- ଭାରତୀୟ ସ୍ପିନର ବରୁଣ ଚକ୍ରବର୍ତ୍ତୀ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ୫ଟି ୱିକେଟ ଅକ୍ତିଆର କରିଥିଲେ । ଏହି ସଫଳତା ସହ ସେ ପ୍ଲେୟାର ଅଫ୍ ଦି ମ୍ୟାଚ ବିବେଚିତ ହୋଇଛନ୍ତି । ଚାମ୍ପିଅନ୍ସ ଟ୍ରଫିରେ ସେ ତୃତୀୟ ଭାରତୀୟ ବୋଲର ଭାବେ ଏହି ସଫଳତା ହାସଲ କରିଛନ୍ତି । ପୂର୍ବରୁ ୨୦୧୩ ସଂସ୍କରଣରେ ରବୀନ୍ଦ୍ର ଜାଡ଼େଜା  ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ମ୍ୟାଚ୍‌ରେ ୩୬ରନ୍‌ ପ୍ରଦାନ  କରି ୫ ୱିକେଟ୍‌ ନେଇଥିବାବେଳେ ଚଳିତ  ସଂସ୍କରଣରେ ପେସ୍‌ ବୋଲର ମହମ୍ମଦ ସାମି  ବାଂଲାଦେଶ ବିପକ୍ଷ ମୁକାବିଲାରେ ୫ଟି ୱିକେଟ୍‌  ଅକ୍ତିଆର କରିଥିଲେ । 

ଚକ୍ରବର୍ତ୍ତୀ ପ୍ରଥମ ଥର  ଚାମ୍ପିଅନ୍ସ ଟ୍ରଫି ଖେଳିଥିଲେ । ଦୁବାଇ ଯାତ୍ରା  ପୂର୍ବରୁ ସେ ଗୋଟିଏ ଦିନିକିଆ ଖେଳିଥିଲେ ।  ଆଜି କ୍ୟାରିୟରର ଦ୍ୱିତୀୟ ମ୍ୟାଚ୍‌ରେ ସେ ୱିଲ୍‌  ୟଙ୍ଗ (୨୨), ଗ୍ଲେନ୍‌ ଫିଲିପ୍ସ (୧୨), ମାଇକେଲ  ବ୍ରେସୱେଲ (୨), ମିଚେଲ ସାଣ୍ଟନର (୨୮) ଓ  ମ୍ୟାଟ୍‌ ହେନରୀ (୨)ଙ୍କୁ ଆଉଟ୍‌ କରି ୫ ୱିକେଟ୍‌  ପୂରଣ କରିଥିଲେ । ଭାରତୀୟ ବୋଲର ଭାବେ  ଷ୍ଟୁଆର୍ଟ ବିନ୍ନୀ କ୍ୟାରିୟରର ତୃତୀୟ ମ୍ୟାଚ୍‌ରେ ୫ ୱିକେଟ୍‌ ସଫଳତା ହାସଲ କରିଥିଲେ । ସେ  ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ୪ରନ୍‌ ଦେଇ ୬ଟି  ୱିକେଟ୍‌ ଅକ୍ତିଆର କରିଥିଲେ ।