ନୂଆଦିଲ୍ଲୀ, ୪।୧: ଭେନେଜୁଏଲା ରାଜଧାନୀ କାରାକାସରେ ବଡ଼ ବିସ୍ଫୋରଣ ଘଟାଇଥିଲା ଆମେରିକା । କାରାକାସରେ ଏକ ବିମାନ ଆକ୍ରମଣ କରିଥିଲାଆମେରିକା ସେନା । ବିମାନ ଆକ୍ରମଣ ପରେ, ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋ ଏବଂ ତାଙ୍କ ପତ୍ନୀଙ୍କୁ ଆମେରିକା ବନ୍ଦୀ କରିଥିଲା ଏବଂ ଉଭୟ ବର୍ତ୍ତମାନ ଆମେରିକୀୟ ହେପାଜତରେ ଥିବା ଜଣାପଡ଼ିଛି । ତେବେ ବିଶ୍ୱର ସର୍ବବୃହତ୍ ତୈଳ ଭଣ୍ଡାର ଥିବା ସତ୍ତ୍ୱେ, ଏହା ସବୁଠାରୁ ଗରିବ ଦେଶ ମଧ୍ୟରୁ ଗୋଟିଏ । ଏହି ଦେଶ କାହିଁକି ଗରିବ ? ଆସନ୍ତୁ ଜାଣିବା... 

ପ୍ରାକୃତିକ ସମ୍ପଦରେ ଭରପୁର ଭେନେଜୁଏଲା । ବିଶ୍ୱରେ ସବୁଠାରୁ ଅଧିକ ତୈଳ ଏହି ଦେଶରେ ଅଛି । ଅଲ୍ ଜଜିରା ରିପୋର୍ଟ ଅନୁସାରେ, ୨୦୨୩ ସୁଦ୍ଧା ଭେନେଜୁଏଲାରେ ପ୍ରାୟ ୩୦୩ ବିଲିଅନ୍ ବ୍ୟାରେଲ୍ ତୈଳ ମହଜୁଦ୍ ରହିଛି । ଯାହା ସାଉଦି ଆରବ, ଇରାନ୍ ଓ କାନାଡ଼ାଠାରୁ ମଧ୍ୟ ଅଧିକ । ଯୁକ୍ତରାଷ୍ଟ୍ର ଆମେରିକାରେ ଭେନେଜୁଏଲାଠାରୁ ପ୍ରାୟ ପାଞ୍ଚ ଗୁଣା କମ୍ ତୈଳ ଅଛି । ତଥାପି ଯୁକ୍ତରାଷ୍ଟ୍ର ଆମେରିକା ତୈଳରୁ ବହୁତ ଅଧିକ ଆୟ କରୁଛି । ଭେନେଜୁଏଲା ତାହାର ତୈଳରୁ ଯୁକ୍ତରାଷ୍ଟ୍ର ତୁଳନାରେ ପଞ୍ଚମାଂଶରୁ ମଧ୍ୟ କମ୍ ଆୟ କରିପାରୁଛି । ଏହା ସତ୍ତ୍ୱେ, ଭେନେଜୁଏଲାକୁ ଅଶୋଧିତ ତୈଳ ରପ୍ତାନିରୁ ବହୁତ କମ୍ ରୋଜଗାର ହୁଏ ଏବଂ ଏହାକୁ ବିଶ୍ୱର ସବୁଠାରୁ ଗରିବ ଦେଶମାନଙ୍କ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ ।

ତୈଳ ଥିଲେ ମଧ୍ୟ ବିକ୍ରି କରିବା କଷ୍ଟକର:

ଭେନେଜୁଏଲାର ଅଧିକାଂଶ ତୈଳ 'ଓରିନୋକୋ ବେଲ୍ଟ' ନାମକ ଅଞ୍ଚଳରେ ମିଳେ । କିନ୍ତୁ, ଏଠାରେ ମିଳୁଥିବା ତୈଳକୁ ହେଭି କ୍ରୁଡ୍ ଅଏଲ୍ କୁହାଯାଏ । ଏହି ତୈଳ ବହୁତ ଘନ ଓ ଉଚ୍ଚ-ଘନତା ଅଶୋଧିତ ତୈଳ । ଏହି ପ୍ରକାରର ତେଲକୁ ମାଟି ତଳୁ ବାହାର କରିବା ଏବଂ ଏହାକୁ ପ୍ରକ୍ରିୟାକରଣ କରିବା ଖୁବ୍ ମହଙ୍ଗା । ଏଥିପାଇଁ ଅଧିକ ପ୍ରଯୁକ୍ତିବିଦ୍ୟା ଓ ଖର୍ଚ୍ଚ ଦରକାର । ଭେନେଜୁଏଲା ପାଖରେ ସେହି ପ୍ରଯୁକ୍ତି ଓ ଧନର ଅଭାବ ରହିଛି । ଏହି କାରଣରୁ ଭେନେଜୁଏଲା ପାଖରେ ଅନ୍ୟ ଦେଶ ଅପେକ୍ଷା ଅଧିକ ପରିମାଣର ତୈଳ ଥିଲେ ମଧ୍ୟ ଦେଶଟି ଆର୍ଥିକ ସମସ୍ୟାରେ ଫସି ରହିଛି ।