ମୁମ୍ବାଇ,୨୪।୧୧: ବଲିଉଡର ହି-ମ୍ୟାନ୍ ଧର୍ମେନ୍ଦ୍ରଙ୍କ ପରଲୋକ। ୮୯ ବର୍ଷରେ ଆଜି ସେ ଦୁନିଆକୁ କରିଛନ୍ତି ଅଲବିଦା। ଏହା ସହ ହିନ୍ଦୀ ସିନେମା ଜଗତରେ ଏକ ଯୁଗର ଅବସାନ ଘଟିଛି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ଗତ ରାତିରେ ନିଶ୍ବାସ ନେବାରେ କଷ୍ଟ ପରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଧର୍ମେନ୍ଦ୍ରଙ୍କ ପରଲୋକ ଖବର ପୁରା ଦେଶକୁ ଶୋକାକୁଳ କରିଛି। ଦେଶର ବିଶିଷ୍ଟ ରାଜନେତା ଏବଂ ଫିଲ୍ମ ଷ୍ଟାର ତାଙ୍କର ପରଲୋକରେ ଶୋକବ୍ୟକ୍ତ କରିଛନ୍ତି। ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି।

ରାଷ୍ଟ୍ରପତି ଏକ୍ସରେ ଏକ ପୋଷ୍ଟରେ ଲେଖିଛନ୍ତି, ବରିଷ୍ଠ ଅଭିନେତା ଓ ପୂର୍ବତନ ସାଂସଦ ଧର୍ମେନ୍ଦ୍ର ଜୀଙ୍କ ପରଲୋକ ଭାରତୀୟ ସିନେମା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ସେ ସବୁଠାରୁ ଲୋକପ୍ରିୟ ଅଭିନେତାଙ୍କ ଭିତରୁ ଅନ୍ୟତମ ଥିଲେ, ସେ ନିଜର ଦଶକ ଧରି ଲମ୍ବା କ୍ୟାରିୟରରେ ବହୁ ସୁନ୍ଦର ପ୍ରସ୍ତୁତି ଦେଇଛନ୍ତି। ଭାରତୀୟ ସିନେମାର ପ୍ରତିଷ୍ଠିତ ବ୍ୟକ୍ତି ଭାବରେ, ସେ ନିଜ ପଛରେ ଏଭଳି ଏକ ଐତିହ ଛାଡି ଯାଇଛନ୍ତି, ଯାହାକି କଳାକାର ଏବଂ ଯୁବପୀଡିଙ୍କୁ ପ୍ରେରଣା ଦେବ। ତାଙ୍କ ପରିବାର, ମିତ୍ର ଓ ପ୍ରଶଂସକଙ୍କ ପ୍ରତି ମୋର ଗଭୀର ସମବେଦନା ରହିଛି।

 

ପ୍ରଧାନମନ୍ତ୍ରୀ ମୋଦୀ X ରେ ଏକ ପୋଷ୍ଟରେ କରିଛନ୍ତି, ଧର୍ମେନ୍ଦ୍ର ଜୀଙ୍କ ଦେହାନ୍ତ ଭାରତୀୟ ସିନେମାରେ ଏକ ଯୁଗର ଅନ୍ତ ଘଟାଇଛି। ସେ ଜଣେ ପ୍ରତିଷ୍ଠିତ ଚଳଚ୍ଚିତ୍ର ତାରକା ଥିଲେ, ଜଣେ ଚମତ୍କାର ଅଭିନେତା ଥିଲେ ଯିଏ ତାଙ୍କ ପ୍ରତ୍ୟେକ ଭୂମିକାରେ ଆକର୍ଷଣ ଏବଂ ଗଭୀରତା ଭରି ଦେଇଥିଲେ। ସେ ଯେଉଁ ଭଳି ଭୂମିକା ନିଭାଇଥିଲେ ତାହା ଅଗଣିତ ଲୋକଙ୍କ ହୃଦୟକୁ ସ୍ପର୍ଶ କରିଥିଲା। ସେ ତାଙ୍କର ସରଳତା ଓ ନମ୍ରତା ପାଇଁ ଖୁବ୍ ପ୍ରଶଂସିତ । ଏହି ଦୁଃଖଦ ସମୟରେ, ତାଙ୍କ ପରିବାର, ବନ୍ଧୁ ଏବଂ ଅଗଣିତ ପ୍ରଶଂସକଙ୍କ ସହିତ ମୋର ସମବେଦନା। ଓମ୍ ଶାନ୍ତି।’

 

ସେଭଳି କଂଗ୍ରେସ ଅଧ୍ୟକ୍ଷ ମାଲିକାର୍ଜୁନ ଖଡଗେ ଏକ୍ସରେ ପୋଷ୍ଟ କରି କହିଛନ୍ତି, ଭାରତୀୟ ଫିଳ୍ମ ଜଗତ ଆଜି ଏକ ବହୁମୂଲ୍ୟ ତାରକା ହଜାଇଛି। ପ୍ରସିଦ୍ଧ ଅଭିନେତା ଧର୍ମେନ୍ଦ୍ର ଏବେ ଆମ ଭିତରେ ନାହାଁନ୍ତି। କେନ୍ଦ୍ରମନ୍ତ୍ରୀ ନୀତୀନ ଗଡକାରୀ କହିଛନ୍ତି, ଧର୍ମେନ୍ଦ୍ର ନା କେବଳ ଜଣେ ଭଲ ଅଭିନେତା ଥିଲେ, ବଂର ଜଣେ ସମ୍ବେଦନଶୀଳ ଓ ଖୁବ୍ ସରଳ ବ୍ୟକ୍ତି ଥିଲେ। ତାଙ୍କ ସହ ମୋର ବ୍ୟକ୍ତିଗତ ସମ୍ପର୍କ ମଧ୍ୟ ଖୁବ୍ ଭଲ। ତାଙ୍କର ପରଲୋକ ଫିଲ୍ମ ଜଗତ ପାଇଁ ବଡ଼ କ୍ଷତି।