ଭୁବନେଶ୍ୱର, ୨୮/୦୨: ସେ ଥିଲେ ‘ଦଣ୍ଡାବାଳୁଙ୍ଗା’ ।  ରୋମାଣ୍ଟିକ୍‌ ହିରୋ । ତାଙ୍କ ଅଭିନୟର ଯାଦୁ ‘ତୁଣ୍ଡବାଇଦ’  ଭଳି ଚର୍ଚ୍ଚା ହେଉଥିଲା । ‘ଅଭିମାନ’ରେ ସେ ଆସିଥିଲେ ବଡ଼  ପରଦାକୁ । ‘ବିଦ୍ୟାରାଣ’ ପକାଇ ଚାଲିଗଲେ । ଓଡ଼ିଆ ସିନେମାର କିମ୍ବଦନ୍ତୀ ପୁରୁଷ । ଓଲିଉଡ୍‌ ସୁପର୍‌ଷ୍ଟାର୍‌  ବିଶିଷ୍ଟ ଅଭିନେତା ଉତ୍ତମ ମହାନ୍ତି ଆଉ ନାହାନ୍ତି । ଏନେଇ ତାଙ୍କ ସମ୍ପର୍କୀୟଙ୍କ ସୂତ୍ରରୁ ସୂଚନା ମିଳିଛି । ନୂଆଦିଲ୍ଲୀ ଗୁରୁଗାଓଁସ୍ଥିତ ମେଦାନ୍ତ  ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ଦେହାନ୍ତ ହୋଇଛି ।  ଗୁରୁବାର ବିଳମ୍ବିତ ରାତି ୧୧ଟା ସମୟରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା । ସେ ଲିଭର୍‌  ସିରୋସିସ୍‌ ଓ ନିମୋନିଆରେ ଗୁରୁତର ହୋଇ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଅଧିକ ଚିକିତ୍ସା ଲାଗି  ଗତ ୮ ତାରିଖରେ ଭୁବନେଶ୍ୱରରୁ ଏୟାରଲିଫ୍ଟ ହୋଇ ନୂଆଦିଲ୍ଲୀ ଯାଇଥିଲେ । ସେଠାରେ ଦୀର୍ଘ ୨୦ଦିନ ଧରି ଚିକିତ୍ସିତ ହେଉଥିଲେ ।  

୧୯୫୪ ମସିହାରେ ମୟୂରଭଞ୍ଜ ଜିଲ୍ଲାର ବାରିପଦାରେ ଜନ୍ମିତ  ଉତ୍ତମ ୧୯୭୭ ମସିହାରେ ‘ଅଭିମାନ' ଚଳଚ୍ଚିତ୍ର ଜରିଆରେ ଓଡ଼ିଆ  ସିନେ ଜଗତରେ ଅଭିନୟ ଆରମ୍ଭ କରିଥିଲେ । ତିନିବର୍ଷ ପରେ ପୁଣି ‘ପତିପତ୍ନୀ' ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏହା ପରେ ସେ ଆଗକୁ ମାଡ଼ି ଚାଲିଥିଲେ । ୨୦୦ରୁ ଅଧିକ ଓଡ଼ିଆ, ୩୦ଟି ବଙ୍ଗଳା ଓ ଗୋଟିଏ  ହିନ୍ଦୀ ସିନେମା ସାଙ୍ଗକୁ ଓଡ଼ିଆ, ବଙ୍ଗଳା ଓ ହିନ୍ଦୀ ଧାରାବାହିକରେ ଅଭିନୟ କରିଥିଲେ । ଏଥିପାଇଁ ଜୀବନବ୍ୟାପୀ ସେ ଯେତିକି ପ୍ରଶଂସା  ସାଉଁଟିଥିଲେ, ସେତିକି ପୁରସ୍କାର ପାଇଥିଲେ । ସିନେମା ‘ଫୁଲ ଚନ୍ଦନ’,  ‘ଝିଅଟି ସୀତା ପରି’, ‘ଦଣ୍ଡା ବାଳୁଙ୍ଗା’, ‘ସୁନା ଚଢ଼େଇ’ ପାଇଁ ଶ୍ରେଷ୍ଠ  ଅଭିନେତା ଭାବେ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲା ବେଳେ  ‘ତୋ ବିନୁ ଅନ୍ୟଗତି ନାହିଁ’ ପାଇଁ ଶ୍ରେଷ୍ଠ ପାଶ୍ୱର୍ ଅଭିନେତା ପୁରସ୍କାର  ପାଇଥିଲେ । ୧୯୯୯ ମସିହାରେ ସେ ‘ଜୟଦେବ ପୁରସ୍କାର’ ପାଇଥିଲେ ।  

କଳାଧଳାରୁ ରଙ୍ଗୀନ । ବହୁତ ଲମ୍ବା ତାଙ୍କ ସିନେ କ୍ୟାରିୟର୍‌ ।  ନାୟକ ଭାବେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ସେ ଯେତିକି ଦିନ  ରାଜ୍‌ କରିଛନ୍ତି, ବୋଧେ ଆଉ କାହା କଳାକାର ଜୀବନରେ ସେମିତି  ଘଟିନାହିଁ । ସିନେମାର ଅଭିନୟର ସୁଯୋଗ ଯେ, ତାଙ୍କୁ ଏତେ ବଡ଼  ଷ୍ଟାର୍‌ କରିଦେବ ନା’ ସେ ଭାବିଥିଲେ ନା’ ଏ ଦୁନିଆ । ରୋମାଣ୍ଟିକ୍‌ ଷ୍ଟାର୍‌ରୁ ଯାତ୍ରା ଆରମ୍ଭ କରିଥିବା ଓଡ଼ିଆ ଚଳଚ୍ଚିତ୍ରର ବରିଷ୍ଠ  ଅଭିନେତା ଉତ୍ତମ ମହାନ୍ତି ପରବର୍ତ୍ତୀ ସମୟରେ ଜଣେ ସୁପର୍‌ଷ୍ଟାର୍‌ ହୋଇ  ସାରା ଓଡ଼ିଶା ଲୋକଙ୍କ ହୃଦୟ ଜିଣି ପାରିଥିଲେ । ଦୀର୍ଘ ୩ ଦଶନ୍ଧି ଧରି  ରାଜ୍‌ କରିଥିଲେ । ୮୦ ଓ ୯୦ ଦଶକରେ ଆର୍ଥିକ ଦୁର୍ଗତିରେ ଥିବା ଓଡ଼ିଆ  ଚଳଚ୍ଚିତ୍ର ଶିଳ୍ପକୁ ଉତ୍ତମ ମହାନ୍ତି ସଫଳତାର ସ୍ୱାଦ ଚଖାଉଥିଲେ । ତାଙ୍କ  ମୃତ୍ୟୁ ସମୟରେ ଡାକ୍ତରଖାନାରେ ପୁଅ ବାବୁସାନ୍‌, ବୋହୂ ତୃପ୍ତି  ଓ ଅନ୍ୟ ସମ୍ପର୍କୀୟ ଉପସ୍ଥିତ ରହିଥିଲେ । ତାଙ୍କୁ ଓଡ଼ିଶା ଅଣାଯିବା ଏବଂ ଶେଷକୃତ୍ୟ ନେଇ ପରିବାର ପକ୍ଷରୁ କୌଣସି ସୂଚନା ମିଳିନାହିଁ । 




ବିଶିଷ୍ଟ ଅଭିନେତା ଉତ୍ତମ ମହାନ୍ତିଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହିତ ତାଙ୍କ ପୁଅ ତଥା ଅଭିନେତା ବାବୁସାନ୍‌ଙ୍କ ସହିତ ଫୋନ୍‌ରେ କଥା ହୋଇ ସମବେଦନା  ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍ୱର୍ଗତ ଉତ୍ତମଙ୍କ ସହିତ ଅତ୍ୟନ୍ତ  ଭଲ ସମ୍ପର୍କ ଥିଲା । ତାଙ୍କ ଅନେକ ସିନେମା ତାଙ୍କୁ ପ୍ରଭାବିତ କରିଛି । ତାଙ୍କ ମରଶରୀର ନୂଆଦିଲ୍ଲୀରୁ ଭୁବନେଶ୍ୱର ଆସିବା ଦିଗରେ ସମସ୍ତ  ସହଯୋଗ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଆଶ୍ୱାସନା ଦେଇଥିଲେ । ରାଷ୍ଟ୍ରୀୟ  ମର୍ଯ୍ୟାଦା ସହିତ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ମୁଖମନ୍ତ୍ରୀ ବାବୁସାନଙ୍କୁ  କହିଥିଲେ । ବିଳମ୍ବିତ ରାତିରେ ଏହି ଦୁଃଖଦ ଖବର ପ୍ରକାଶିତ ହେବା  ପରେ ଓଡ଼ିଆ ସିନେମା, ସଂସ୍କୃତି ସମେତ ବିଭିନ୍ନ ଜଗତରେ ଶୋକର  ଛାୟା ଖେଳି ଯାଇଛି । 




କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ  ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି । ସମସ୍ତେ ଉତ୍ତମଙ୍କୁ  ମନେପକାଇ ଝୁରି ହେଉଛନ୍ତି । କହିବାକୁ ଗଲେ ସେ ସମସ୍ତଙ୍କ ଭାଇ  ଥିଲେ । ଆଜି ତାଙ୍କ ଅବର୍ତ୍ତମାନରେ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହେବା ସହ  ଓଲିଉଡ୍‌ ଭାଇ ଛେଉଣ୍ଡ ହୋଇଗଲା । ପତ୍ନୀ ଅପରାଜିତା ମହାନ୍ତି ମଧ୍ୟ  ଜଣେ ପ୍ରସିଦ୍ଧ ଅଭିନେତ୍ରୀ ଏବଂ ପୁଅ ବାବୁସାନ୍‌ ମହାନ୍ତି ଓଡ଼ିଶାର ଜଣେ  ଆଗଧାଡ଼ିର ପ୍ରତିଷ୍ଠିତ ଅଭିନେତା । ଓଡ଼ିଆ ସିନେମାର ସ୍ୱର୍ଣ୍ଣିମ ଯାତ୍ରାରେ  ପୂରା ପରିବାରର ଅବଦାନ ଅତୁଳନୀୟ ।