ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ଖରାପ ହୋଇଯାଇଛି। ସୂତ୍ର ଅନୁସାରେ, ଗତକାଲି ରାତି ପ୍ରାୟ ୨ଟାରେ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ତାଙ୍କ ହାର୍ଟରେ ଏକ ଷ୍ଟେଣ୍ଟ ଭର୍ତି କରାଯାଇଥିଲା। କୁହାଯାଉଛିକି, ରାତିରେ ଶୋଇବା ସମୟରେ ସେ ଅସ୍ଥିରତା ଏବଂ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ବର୍ତ୍ତମାନ ଏହା AIIMS ଦ୍ୱାରା ନିଶ୍ଚିତ କରାଯାଇ ନାହିଁ।

ANI ରିପୋର୍ଟ ଅନୁସାରେ, ହସ୍ପିଟାଲ ସୂତ୍ରରୁ ଜଣାପଡ଼ିଛି ଯେ, ୭୩ ବର୍ଷୀୟ ଉପରାଷ୍ଟ୍ରପତିଙ୍କୁ ଆଜି (ରବିବାର) ସକାଳେ AIIMSର ହୃଦ୍‌ରୋଗ ବିଭାଗରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ଅଛି ଏବଂ ତାଙ୍କୁ ପର୍ଯ୍ୟବେକ୍ଷଣରେ ରଖାଯାଇଛି। ଏମ୍ସର ହୃଦରୋଗ ବିଭାଗର ମୁଖ୍ୟ ଡାକ୍ତର ରାଜୀବ ନାରଙ୍ଗଙ୍କ ତତ୍ତ୍ୱାବଧାନରେ ଉପରାଷ୍ଟ୍ରପତିଙ୍କ ଚିକିତ୍ସା କରାଯାଉଛି। ତାଙ୍କୁ କ୍ରିଟିକାଲ୍ କେୟାର ୟୁନିଟ୍ (ସିସିୟୁ)ରେ ରଖାଯାଇଛି। ଡାକ୍ତରଙ୍କ ଏକ ସ୍ବତନ୍ତ୍ର ଦଳ ତାଙ୍କ ଅବସ୍ଥା ଉପରେ ନିରନ୍ତର ନଜର ରଖିଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରିବା ପାଇଁ ଏମ୍ସରେ ପହଞ୍ଚିଛନ୍ତି, ଯାହା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଖୁବ୍ ଶୀଘ୍ର ସୂଚନା ମିଳିବ ବୋଲି ଆଶା କରାଯାଉଛି। ତାଙ୍କର ଲମ୍ବା ରାଜନୈତିକ ଯାତ୍ରାରେ, ଜଗଦୀପ ଧନଖଡ ପଶ୍ଚିମବଙ୍ଗର ରାଜ୍ୟପାଳ ହେବା ପରେ ବହୁତ ଖବର ଶିରୋନାମାରେ ସ୍ଥାନ ପାଇଥିଲେ। ତାଙ୍କର ପ୍ରାୟତଃ ଶାସକ ଟିଏମସି ସହିତ ସଂଘର୍ଷ ହେଉଥିଲା।