ନୂଆଦିଲ୍ଲୀ,୧୮।୮: ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଏନଡିଏ ନିଜର ପ୍ରାର୍ଥୀ ଘୋଷଣା କରିଛି । ମହାରାଷ୍ଟ୍ରର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନଙ୍କ ନାଁ’ରେ ମୋହର ମାରିଛି । ଏନଡିଏ ପରେ ଏବେ ବିରୋଧି ଇଣ୍ଡିଆ ମେଣ୍ଟ ପ୍ରାର୍ଥୀ ଘୋଷଣା କରିବାର ସମୟ ଆସିଛି। ସଂସଦରେ ଆଜି ଇଣ୍ଡିଆ ମେଣ୍ଟର ବୈଠକ ବସିଥିଲା। ଯେଉଁଥିରେ ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କ ବିଷୟରେ ଆଲୋଚନା କରାଯାଇଥିଲା। ତେବେ ଏପର୍ଯ୍ୟନ୍ତ ବିରୋଧୀ ଦଳ ପକ୍ଷରୁ କୌଣସି ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇ ନାହିଁ। ସେପଟେ ଉପରାଷ୍ଟ୍ରପତି ନିର୍ବାଚନରେ ରାଧାକ୍ରିଷ୍ଣନଙ୍କୁ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ପାଇଁ ଏନଡିଏ ବିଜେଡି ସହ ବିରୋଧି ଦଳଙ୍କ ସମର୍ଥନ ମାଗିଛି।
ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ସମସ୍ତ ବିରୋଧୀ ଦଳ ନେତାଙ୍କୁ ଫୋନ୍ କରିଛନ୍ତି। ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ସିପି ରାଧାକ୍ରିଷ୍ଣନଙ୍କ ନାଁରେ ସମର୍ଥନ ମାଗିଛନ୍ତି। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଏବଂ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଫୋନ୍ କରିଛନ୍ତି ରାଜନାଥ। ସେପେଟେ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ରାଧାକୃଷ୍ଣନଙ୍କୁ ନିଜର ସମର୍ଥନ ଘୋଷଣା କରିଛନ୍ତି।
୯ ସେପ୍ଟେମ୍ବରରେ ଅନୁଷ୍ଠିତ ହେବାକୁ ଥିବା ଉପରାଷ୍ଟ୍ରପତି ନିର୍ବାଚନ ଏନଡିଏ ପକ୍ଷରୁ ରାଜନାଥ ସିଂହଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହେବ। କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁଙ୍କୁ ନିର୍ବାଚନ ଏଜେଣ୍ଟ କରାଯାଇଛି। ରାଧାକ୍ରିଷ୍ଣନ ଅଗଷ୍ଟ ୨୧ ରେ ନିଜର ନାମାଙ୍କନ ଦାଖଲ କରିବେ। ଏହି ସମୟରେ, ଏନଡିଏ ଶାସିତ ରାଜ୍ୟର ସମସ୍ତ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ। ସିପି ରାଧାକ୍ରିଷ୍ଣନ ବର୍ତ୍ତମାନ ମହାରାଷ୍ଟ୍ରର ରାଜ୍ୟପାଳ ଅଛନ୍ତି । ଏହା ପୂର୍ବରୁ ସେ ଝାଡ଼ଖଣ୍ଡର ବି ରାଜ୍ୟପାଳ ଥିଲେ । ସେ ୪୦ ବର୍ଷ ଧରି ରାଜନୀତିରେ ସକ୍ରିୟ ରହିଛନ୍ତି । ଏହାସହ ୨ ଥର ସାଂସଦ ଭାବେ ମଧ୍ୟ ନିର୍ବାଚିତ ହୋଇଛନ୍ତି । ୨୦୦୪-୨୦୦୭ ପର୍ଯ୍ୟନ୍ତ ତାମିଲନାଡୁ ବିଜେପିର ଅଧ୍ୟକ୍ଷ ଥିଲେ । ଏନଡିଏର ସଂଖ୍ୟା ଦେଖିଲେ ରାଧାକ୍ରିଷ୍ଣନ ପରବର୍ତ୍ତୀ ଉପରାଷ୍ଟ୍ରପତି ହେବା ସୁନିଶ୍ଚିତ ମନେ ହେଉଛି । ରାଧାକ୍ରିଷ୍ଣନଙ୍କ ତାମିଲନାଡୁର, ତେଣୁ ଏବେ ଦେଖିବାର ବାକି ଅଛି ତାଙ୍କୁ ଡିଏମକେ ବିରୋଧ କରୁଛି ନା ସମର୍ଥନରେ ଭୋଟ ଦେଉଛି। ନମ୍ବର ଗେମ୍ ଦେଖିଲେ ଲାଗୁଛି ଏଥର ଏନଡିଏର ସ୍ଥିତି ସୁଦୃଢ ରହିଛି। ୭୮୨ ସାଂସଦ ଭୋଟିଂ କରିବେ। ତାଙ୍କ ଭିତରେ ୫୪୨ ଜଣ ଲୋକସଭା ଏବଂ ୨୪୦ ଜଣ ରାଜ୍ୟସଭାର ସାଂସଦ ରହିଛନ୍ତି। ସରକାରଙ୍କ ପକ୍ଷରେ ୪୨୭ ସାଂସଦଙ୍କ ସମର୍ଥନ ରହିଛି ବୋଲି କୁହାଯାଉଛି। ସେଭଳି ବିରୋଧିଙ୍କ ପାଖରେ ୩୫୫ ସାଂସଦ ରହିଛନ୍ତି। ସବୁଠାରୁ ବଡ଼ କଥା ହେଲା ଏବେ ବି ୧୩୩ ସାଂସଦ ଇଣ୍ଡିଆ ମେଣ୍ଟ ନା ଏନ୍ଡିଏ କାହାକୁ ସମର୍ଥନ କରିବେ ତାହା ସ୍ପଷ୍ଟ ହୋଇନି। ଯେଉଁମାନେ କି ପୁରା ନିର୍ବାଚନ ରେଜଲ୍ଟକୁ ବଦଳାଇ ପାରନ୍ତି।