ନୂଆଦିଲ୍ଲୀ ୦୯/୦୯: ଆଜି ଉପରାଷ୍ଟ୍ରପତି ନିର୍ବାଚନ ଲାଗି ମତଦାନ  ଅନୁଷ୍ଠିତ ହେବ । ଏହି ହାଇଭୋଲ୍‌ଟେଜ୍‌  ନିର୍ବାଚନ ପାଇଁ ସବୁ ପ୍ରକାର ପ୍ରସ୍ତୁତି  ଶେଷ ହୋଇସାରିଛି । ଉଭୟ ଶାସକ  ଓ ବିରୋଧୀ ଦଳ ନିଜର ରଣନୀତି  ଚୂଡ଼ାନ୍ତ କରି ରଖିଛନ୍ତି । ସଂସଦ  ଭବନରେ ପୂର୍ବାହ୍ନ ୧୦ଟାରୁ  ଆରମ୍ଭ ହୋଇ ଅପରାହ୍ନ ୫ଟା ଯାଏ  ମତଦାନ ଚାଲିବ। ଏହାପରେ ସନ୍ଧ୍ୟା  ୬ଟାରେ ଭୋଟ ଗଣତି ସହ ଫଳାଫଳ  ଘୋଷିତ ହେବ । ଏଥିସହ ୫୦ ଦିନ  ପରେ ଦେଶକୁ ଜଗଦୀପ ଧନଖଡ୍‌ଙ୍କ  ସ୍ଥାନରେ ନୂଆ ଉପରାଷ୍ଟ୍ରପତି ମିଳିବେ । ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଜୁଲାଇ ୨୧  ତାରିଖରେ ଧନଖଡ୍‌ ନିଜ ପଦରୁ ଇସ୍ତଫା  ଦେବା ପରେ ଏହି ନିର୍ବାଚନ ହେଉଛି ।

ଏଥରକ ନିର୍ବାଚନରେ ଏନ୍‌ଡିଏ  ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ୍‌ ଓ ବିରୋଧୀ  ଇଣ୍ଡିଆ ବ୍ଲକ୍‌ର ପ୍ରାର୍ଥୀ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ବି.ସୁଦର୍ଶନ ରେଡ୍ଡୀଙ୍କ ମଧ୍ୟରେ ମୁକାବିଲା ହେଉଛି । ସଂଖ୍ୟାର ସ୍ଥିତିକୁ ଦେଖିଲେ ଏନ୍‌ଡିଏ  ପ୍ରାର୍ଥୀ ବିଜୟୀ ହେବା ସୁନିଶ୍ଚିତ ବୋଲି  କୁହାଯାଉଛି । ତେବେ ସଂସଦରେ  ବିରୋଧୀ ଦଳଙ୍କର ମଜଭୁତ ସ୍ଥିତି ଯୋଗୁ ଗତ ଦୁଇ ଦଶନ୍ଧି ମଧ୍ୟରେ  ପ୍ରଥମ ଥର ଲାଗି ଶାସକ-ବିରୋଧୀ ଦଳ ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା ଟକ୍କର  ହେବାର ସମ୍ଭାବନା ରହିଛି ।

ଇତିମଧ୍ୟରେ କେସିଆର୍‌ଙ୍କ ଦଳ  ବିଆରଏସ୍‌ ଓ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦଳ ବିଜେଡି ଉପରାଷ୍ଟ୍ରପତି ନିର୍ବାଚନରେ କୌଣସି ମେଣ୍ଟକୁ ସମର୍ଥନ ଦେବେ ନାହିଁ  ବୋଲି ଘୋଷଣା କରିଛନ୍ତି । ଅର୍ଥାତ୍‌ ଏହି  ଦୁଇଦଳର ସାଂସଦମାନେ ଭୋଟିଂରୁ ବିରତ ରହିବେ । ରାଜ୍ୟସଭାରେ ବିଆରଏସ୍‌ର  ୪ ଓ ବିଜେଡିର ୭ ସଦସ୍ୟ ଅଛନ୍ତି । ମତଦାନର ଅବ୍ୟବହିତ ପୂର୍ବରୁ ଦିଲ୍ଲୀରେ ସୋମବାର ବିଜେପି ଓ ବିରୋଧୀ  ଦଳ ନିଜ ନିଜର ସାଂସଦମାନଙ୍କୁ  ଉପରାଷ୍ଟ୍ରପତି ନିର୍ବାଚନ ଲାଗି ଭୋଟିଂ  ପ୍ରକ୍ରିୟା ସମ୍ପର୍କରେ ବୁଝାଇଛନ୍ତି ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ସୋମବାର ଏନ୍‌ଡିଏ ସାଂସଦମାନଙ୍କର  କର୍ମଶାଳାରେ ଯୋଗ ଦେଇଥିଲେ ।  ଏହି ଅବସରରେ ମକ୍‌ ପୋଲ୍‌ ସେସନ୍‌  ମଧ୍ୟ ଅନୁଷ୍ଠିତ ହୋଇଥିଲା । ମତଦାନ ସମୟରେ ଯେଭଳି କୌଣସି  ତ୍ରୁଟି ନ ରହିବ  ତାହା ସୁନିଶ୍ଚିତ କରିବା ଏହି ମକ ପୋଲ୍‌ର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।  ମେଣ୍ଟ ଦଳର ସାଂସଦମାନଙ୍କୁ ଭୋଟିଂ ପ୍ରକ୍ରିୟା ବିଷୟରେ ଅବଗତ  କରାଯାଇଥିଲା ।

ସେପଟେ ସମ୍ବିଧାନ ସଦନ(ପୁରୁଣା ସଂସଦ ଭବନ)ର ସେଣ୍ଟ୍ରାଲ  ହଲ୍‌ରେ ବିରୋଧୀ ଦଳଗୁଡ଼ିକ ବୈଠକ ଓ ମକ୍‌ ପୋଲ୍‌ ସେସନ୍‌ କରିଥିଲେ । ସେଥିରେ କଂଗ୍ରେସ ଅଧ୍ୟକ୍ଷ ମଲିକାର୍ଜୁନ ଖଡ୍‌ଗେ, ଦଳର ବରିଷ୍ଠ ନେତ୍ରୀ ସୋନିଆ ଗାନ୍ଧୀ, ସପା ନେତା ଅଖିଳେଶ ଯାଦବ  ଓ ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ସମେତ ଇଣ୍ଡି ମେଣ୍ଟର  ବହୁନେତା ଉପସ୍ଥିତ ଥିଲେ । ତେବେ ଲୋକସଭାରେ ବିରୋଧୀ ଦଳର  ନେତା ରାହୁଲ ଗାନ୍ଧୀ ବିଦେଶରେ ଥିବାରୁ ଏହି ବୈଠକରେ ଯୋଗ  ଦେଇପାରିନଥିଲେ । ସେହିପରି ସାଂସଦମାନେ ଯେପରି ମତଦାନ  ପ୍ରକ୍ରିୟାରେ କୌଣସି ଭୁଲ୍‌ ନ କରିବେ ସେଥିଲାଗି ମକ୍‌ ପୋଲ୍‌ ସେସନ୍‌  ଜରିଆରେ ଭୋଟଦାନର ପୂରା ପ୍ରକ୍ରିୟାକୁ ଦୋହରାଯାଇଥିଲା । କଂଗ୍ରେସ  ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡ୍‌ଗେ ଆଜି ବିରୋଧୀ ସାଂସଦମାନଙ୍କୁ ଡିନର  ଦେବାର କାର୍ଯ୍ୟକ୍ରମ ରହିଥିଲା । କିନ୍ତୁ ଦେଶରେ ବନ୍ୟାସ୍ଥିତିକୁ ଦେଖି  ତାକୁ ରଦ୍ଦ କରାଯାଇଛି।

ଉପରାଷ୍ଟ୍ରପତି ନିର୍ବାଚନରେ ଲୋକସଭା ଓ ରାଜ୍ୟସଭାର ସଦସ୍ୟମାନେ  ଭୋଟ୍‌ ଦେଇଥାନ୍ତି । କିନ୍ତୁ ଏଥିଲାଗି କୌଣସି ହ୍ୱିପ୍‌ ଜାରି ହୋଇନଥାଏ ।  ଏପରିସ୍ଥଳେ ଯଦି ସମସ୍ତ ସାଂସଦ ଦଳୀୟ ନିଷ୍ପତ୍ତି ଅନୁସାରେ ଭୋଟ  ଦିଅନ୍ତି ତେବେ ଏନ୍‌ଡିଏ ପ୍ରାର୍ଥୀ ରାଧାକ୍ରିଷ୍ଣନ୍‌ଙ୍କୁ ୪୩୯ ଓ ଇଣ୍ଡି ମେଣ୍ଟ  ପ୍ରାର୍ଥୀ ରେଡ୍ଡୀଙ୍କୁ ୩୨୪ ଖଣ୍ଡ ଭୋଟ୍‌ ମିଳିପାରେ । ତେବେ ଗୁପ୍ତ  ମତଦାନରେ କ୍ରସ୍‌ ଭୋଟିଂ ଉଭୟ ପକ୍ଷର ସମୀକରଣ ବିଗିଡା଼ଇ  ଦେଇପାରେ ବୋଲି ଆଶଙ୍କା କରାଯାଉଛି । ସେଥିଲାଗି ଶାସକ ଓ  ବିରୋଧୀ ସଂପୂର୍ଣ୍ଣ ସତର୍କତା ଅବଲମ୍ବନ କରୁଛନ୍ତି । ଗୋଟିଏ ବି ଭୋଟ୍‌  ଯେପରି ନାକଚ ନ ହେବ ସେଥିନେଇ ସାଂସଦଙ୍କୁ ଭୋଟିଂ ପ୍ରକ୍ରିୟା  ବିଷୟରେ ସବୁକିଛି ଅବଗତ କରାଯାଇଛି ।