ଭୁବନେଶ୍ୱର, ୧୨/୧୧ : ଓଡ଼ିଶା ଦଳ ନୈରାଶ୍ୟଜନକ ପ୍ରଦର୍ଶନ କରି ଚଳିତ ରଣଜୀ ଟ୍ରଫିରେ ପୁଣି ଏକ ପରାଜୟର ସାମ୍ନା କରିଛି । ଘରୋଇ ବିଦର୍ଭ ଠାରୁ ଚତୁର୍ଥ ରାଉଣ୍ଡରେ ୧୦୦ ରନ୍ରେ ପରାସ୍ତ ହୋଇଛି । ପୂର୍ବରୁ ଓଡ଼ିଶା ବରୋଦା ଓ ଆନ୍ଧ୍ର ଠାରୁ ପରାଜିତ ହୋଇଥିଲା । ଉତ୍ତର ପ୍ରଦେଶ ବିପକ୍ଷରେ ମ୍ୟାଚ୍ ଡ୍ର’ ରଖିଥିଲା । ତେଣୁ ସିଜନରେ ଏ ପର୍ଯ୍ୟନ୍ତ ଓଡ଼ିଶା ମାତ୍ର ଗୋଟିଏ ପଏଣ୍ଟ ପାଇବାରେ ସଫଳ ହୋଇଛି ।
ନାଗପୁରରେ ଘରୋଇ ବିଦର୍ଭ ବିପକ୍ଷରେ ଘୋର ବ୍ୟାଟିଂ ବିଫଳତାର ଶିକାର ହୋଇଥିଲା ଓଡ଼ିଶା । ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଦଳ କୌଣସି ୱିକେଟ୍ ନହରାଇ ୪୪ ରନ୍ କରିଥିଲା । ସ୍ୱସ୍ତିକ ସାମଲ ଓ ଗୌରବ ଚୌଧୁରୀ ଅନ୍ତିମ ଦିବସରେ ଭଲ ଆରମ୍ଭ କରିଥିଲେ । ଘରୋଇ ବୋଲରଙ୍କୁ ଉଭୟ ସାହସର ସହ ସାମ୍ନା କରିଥିଲେ । ସ୍ୱସ୍ତିକ ଅର୍ଦ୍ଧଶତକ ହାସଲ କରିଥିଲେ । ଓପନିଂ ଯୋଡ଼ି ୧୦୦ ରନ୍ର ଭାଗିଦାରୀ ଗଢ଼ିବାରେ ସହାୟକ ହୋଇଥିଲେ । ଏହାପରେ ଗୌରବ (୪୭) ଏଲ୍ବିଡବ୍ଲ୍ୟୁ ହୋଇଥିଲେ ।
ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଆସି ସନ୍ଦୀପ ପଟ୍ଟନାୟକ ଆରମ୍ଭରୁ ଜୀବନଦାନ ପାଇଥିଲେ । କିନ୍ତୁ ଏହି ସୁଯୋଗର ସେ ଫାଇଦା ନେବାରେ ବିଫଳ ହୋଇଥିଲେ । ଅର୍ଦ୍ଧଶତକ ହାସଲ କରିବା ପରେ ସ୍ୱସ୍ତିକ ଅଧିକ ସମୟ କ୍ରିଜରେ ରହିପାରି ନଥିଲେ । ସେ ୬୫ ରନ କରି ଫେରିଥିଲେ । ଏଥିରେ ୯ଟି ଚୌକା ଓ ଗୋଟିଏ ଛକା ସାମିଲ ରହିଥିଲା । ପରବର୍ତ୍ତୀ ସମୟରେ ମଧ୍ୟଭାଗ ବ୍ୟାଟରଙ୍କ ବିଫଳତା ଯୋଗୁ ଶେଷରେ ଓଡ଼ିଶା ୩୪୫ ରନ୍ର ଲକ୍ଷ୍ୟ ଠାରୁ ୧୦୦ ରନ୍ ଦୂରରେ ରହି ଯାଇଥିଲା । ପାର୍ଥ ରେଖାଡେଙ୍କ ଘାତକ ବୋଲିଂକୁ ଦଳ ସାମ୍ନା କରିପାରି ପାରିନଥିଲା । ସେମିତି ପ୍ରଫୁଲ ହିଙ୍ଗେ ମଧ୍ୟ ଘାତକ ସାବ୍ୟସ୍ତ ହୋଇଥିଲେ । ଉଭୟ ୱିକେଟ୍ ଭାଗବାଣ୍ଟି ନେଇଥିଲେ । ପାର୍ଥ ୫, ପ୍ରଫୁଲ୍ଲ ୩ ଓ ନଚିକେତ ଭୂତେ ଗୋଟିଏ ୱିକେଟ୍ ହାସଲ କରିଥିଲେ । ଓଡ଼ିଶା ଅଧିନାୟକ ଶୁଭ୍ରାଂଶୁ ସେନାପତି (୨୮ ରନ), ସମ୍ବିତ ବରାଳ (୪) ଓ ରାଜେଶ ଧୂପର (୧) ବିଫଳ ହୋଇଥିଲେ । ଗୋବିନ୍ଦ ପୋଦ୍ଦାର କିଛି ସମୟ ତିଷ୍ଟି ରହିବାକୁ ପ୍ରୟାସ କରିଥିଲେ । ସେ ୪୬ ରନ୍ କରିଥିଲେ ।
ଓପନିଂ ବ୍ୟାଟର ଯେଉଁଭଳି ଶତକୀୟ ଭାଗିଦାରୀ ଗଠନ କଲେ ଯଦି ମଧ୍ୟଭାଗରେ ସେମିତି ଏକ ବଡ଼ ଭାଗିଦାରୀ ଗଢ଼ି ଉଠିଥାନ୍ତା, ହୁଏତ ମ୍ୟାଚ ଓଡ଼ିଶା ନିୟନ୍ତ୍ରଣରେ ରହିପାରିଥାନ୍ତା । ମ୍ୟାଚ୍ ଅମୀମାଂସିତ ରହିଥିଲେ ଦଳକୁ ମିଳି ଥାନ୍ତା ୧ ପଏଣ୍ଟ । ଅନ୍ୟ ବ୍ୟାଟରଙ୍କ ମଧ୍ୟରେ ରାଜେଶ ମହାନ୍ତି ୬, ଯାମଳା ମହାପାତ୍ର ୭, ତାପସ ଦାସ ୨ ଏବଂ ବାଦଲ ବିଶ୍ୱାଳ ୫ (ଅପରାଜିତ) ରନ୍ କରିଥିଲେ । ବିଜୟ ସହ ବିଦର୍ଭକୁ ୬ ପଏଣ୍ଟ ମିଳିଛି । ଏହି ମ୍ୟାଚ୍ରେ ବିଦର୍ଭ ପ୍ରଥମ ଇନିଂସରେ ୨୮୬ ଏବଂ ଦ୍ୱିତୀୟ ଇନିଂସରେ ୨ ୱିକେଟ୍ରେ ୨୧୮ ରନ୍ରେ ପାଳି ଘୋଷଣା କରିଥିଲା । ଓଡ଼ିଶା ପ୍ରଥମ ଇନିଂସରେ ୧୬୦ ଏବଂ ଦ୍ୱିତୀୟ ଇନିଂସରେ ୨୪୪ ରନ୍ରେ ସୀମିତ ରହିଥିଲା ।