ଭୁବନେଶ୍ୱର,୦୮/୦୧: ଦରମା ବାଦ୍ ଗମନାଗମନ, ଫୋନ୍ ଓ ତଦନ୍ତ ବାବଦରେ ବି ସରକାର ଅଧିକ ଅର୍ଥ ଦେଉଛନ୍ତି । ଏତେ ପରେ ବି ଲୋକଙ୍କଠାରୁ ଲାଞ୍ଚ ମାଗି ଭିଜିଲାନ୍ସରେ ହାତରେ ଧରାପଡୁଛନ୍ତି ପୁଲିସ ବାବୁମାନେ । ଗତ ୧୦ ମାସରେ ଭିଜିଲାନ୍ସ ଅଧିକାରୀମାନେ ୧୭ ଜଣ ଲାଞ୍ଚୁଆ ପୁଲିସ୍ ଅଫିସରଙ୍କୁ ଗିରଫ କରି ଜେଲ୍‌ରେ ପଠାଇଛନ୍ତି ।

ପୁଲିସ ଅଧିକାରୀମାନେ ଯେମିତି ଆର୍ଥିକ ସମସ୍ୟାରେ ପଡ଼ି ସାଧରଣ ଲୋକଙ୍କୁ ଜୁଲମ୍ କରି ଟଙ୍କା ନ ମାଗନ୍ତୁ, ସେଥିପାଇଁ ନୂଆ ସରକାର ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି । ରାଜ୍ୟର ୬୮୫ଟି ଥାନାକୁ ଗାଡ଼ି, ୨ଟି ଡ୍ରାଇଭର ଓ ତେଲ ଦେଲେ ସରକାର । ପୁଲିସ ଅଫିସ୍‌ଙ୍କ ଦୁଇ ଚକିଆ ଗାଡ଼ି ଦେଲେ । ପୁରୁଷଙ୍କୁ ବାଇକ୍ ଓ ମହିଳାଙ୍କୁ ସ୍କୁଟି ଦେଲେ । ତଥାପି ବର୍ଷ ବର୍ଷ ଧରି ପୁଲିସ ବାବୁମାନଙ୍କର ରହିଥିବା ଅଭ୍ୟାସରେ ପରିବର୍ତ୍ତନ ହେଉନାହିଁ । ଅଭିଯୋଗକାରୀଠାରୁ କିଭଳି ଟଙ୍କା ଝାଡ଼ିବାକୁ ହେବ ବିଭିନ୍ନ ଫନ୍ଦି ବାହାର କରୁଛନ୍ତି। ଅଭିଯୁକ୍ତକୁ ଧରିବା ଲାଗି ଯିବାକୁ ଖର୍ଚ୍ଚର ବାହାନା କରନ୍ତି । ଏହାର ସମାଧାନ ଲାଗି ସରକାର ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ତଦନ୍ତକାରୀ ଅଧିକାରୀଙ୍କୁ ଟଙ୍କା ଦେବାକୁ ନିଷ୍ପତ୍ତି ନେଲେ ।

ଦରମା ବ୍ୟତୀତ ଅଲଗା ଭାବେ ଟଙ୍କା ଦେବା ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କଲେ । ହତ୍ୟା ମାମଲାରେ ତଦନ୍ତକାରୀ ଅଧିକାରୀଙ୍କୁ ୨୫ ହଜାର ଟଙ୍କା, ବଳାତ୍କାର ମାମଲାରେ ରାଜ୍ୟ ବାହାରକୁ ଗଲେ ୩୭ ହଜାର, ରାଜ୍ୟ ଭିତରେ ୧୮ ହଜାର ଟଙ୍କା ମିଳୁଛି । ସେହିପରି ଅପହରଣ ମାମଲାରେ ରାଜ୍ୟ ବାହାରକୁ ଗଲେ ୩୦ ହଜାର ଓ ରାଜ୍ୟ ଭିତରେ ୧୦ ହଜାର ଟଙ୍କା, ଅପମୃତ୍ୟୁ ମାମଲାରେ ୧୩ ହଜାର ଟଙ୍କା ମିଳୁଛି । ସାଇବର ମାମଲାରେ ଅପରାଧୀକୁ ଧରିବା ପାଇଁ ରାଜ୍ୟ ବାହାରକୁ ଗଲେ ୪୫ ହଜାର ଟଙ୍କା ଓ ରାଜ୍ୟ ଭିତରେ ୨୫ ହଜାର ଟଙ୍କା ଦିଆଯାଉଛି । ଏପରିକି ଏନ୍‌ଡିପିଏସ୍ ମାମଲାରେ ରାଜ୍ୟ ବାହାରକୁ ଗଲେ ୩୫ ହାଜର ଟଙ୍କା ଓ ରାଜ୍ୟ ଭିତରେ ୧୫ ହଜାର ଟଙ୍କା ମିଳୁଛି । ଚୋରି, ଲୁଟ୍, ଡକାୟତି ଓ ସିନ୍ଧିଚୋରି ଭଳି ଘଟଣାରେ ତଦନ୍ତକାରୀ ଅଧିକାରୀଙ୍କୁ ମାମଲା ପିଛା ୧୭ ହଜାର ଟଙ୍କା ଦିଆଯାଉଛି । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ତିନିଟି ପର୍ଯ୍ୟାୟରେ ତଦନ୍ତକାରୀ ଅଧିକାରୀଙ୍କ ଆର୍ଥିକ ସହାୟତା ବାବଦରେ ଓଡ଼ିଶା ପୁଲିସ୍‌ଙ୍କ ଦେଢ଼ ଶହ କୋଟି ଟଙ୍କା ମଞ୍ଜୁର କରାଯାଇଛି । ତଥାପି ସାଧାରଣ ଲୋକଙ୍କଠାରୁ ଲାଞ୍ଚ ନେଇ ଗତ ୧୦ ମାସରେ ୧୭ ଜଣ ପୁଲିସ୍ ଗିରଫ ହୋଇ ଜେଲ୍ ଯାଇଛନ୍ତି । ସବୁଠାରୁ ବଡ଼ କଥା ୧୭ ଜଣଙ୍କ ମଧ୍ୟରୁ ୭ ଜଣ ଏତଲାକରୀ ଓ ଅଭିଯୁକ୍ତ ଉଭୟଙ୍କ ପାଖକୁ ଟଙ୍କା ନେଇ ଧରାପଡ଼ି ଜେଲ୍ ଯାଇଛନ୍ତି ।