ହାଇଦ୍ରାବାଦ, ୨୧।୩: ସାଉଥ୍ ସୁପରଷ୍ଟାର୍ ବିଜୟ ଦେବରକୋଣ୍ଡା ଏବଂ 'ନ୍ୟାସନାଲ୍ କ୍ରସ୍' ରଶ୍ମିକା ମନ୍ଦାନା ପୁଣି ଥରେ ପ୍ରମାଣ କରିଛନ୍ତି ଯେ ସେମାନେ କେବଳ ଭଲ କଳାକାର ନୁହନ୍ତି, ବରଂ ବହୁତ ଭଲ ମଣିଷ ମଧ୍ୟ । ନିକଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ଏହି ଷ୍ଟାର୍ କପଲ୍ ନିଜର ଜଣେ ଅଭିମାନୀ କୁନି ପ୍ରଶଂସକଙ୍କୁ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରି ଚର୍ଚ୍ଚାକୁ ଆସିଛନ୍ତି । କିଛି ଦିନ ପୂର୍ବରୁ ଏହି କୁନି ଫ୍ୟାନ୍‌ଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ସେ ବିଜୟଙ୍କ ଉପରେ ରାଗିଥିଲେ । କାରଣ ଥିଲା ବିଜୟ ତାଙ୍କୁ ନିଜ ବିବାହକୁ କାହିଁକି ଡାକିଲେ ନାହିଁ ? ବିଜୟଙ୍କ ନଜରରେ ଏହି ଭିଡିଓ ଆସିବା ମାତ୍ରେ ସେ ତୁରନ୍ତ ତାଙ୍କୁ ଘରକୁ ଆସିବାକୁ ନିମନ୍ତ୍ରଣ କରିଥିଲେ ଏବଂ ନିଜ ହାତରେ ରୋଷେଇ କରି ଖୁଆଇବେ ବୋଲି କହିଥିଲେ ।

ଏହା ବି ପଢ଼ନ୍ତୁ... ‘ଧୁରନ୍ଧର-୨’ ଦେଖିବା ପରେ ଏମିତି କହିଲେ ରାଜାମୌଲି

କୁନି ଫ୍ୟାନ୍‌ଙ୍କ ପାଇଁ ରାଜକୀୟ ସ୍ୱାଗତ:

ନିକଟରେ ବିଜୟ ଏବଂ ରଶ୍ମିକା ସେହି କୁନି ଝିଅଟିକୁ ନିଜ ଘରକୁ ନିମନ୍ତ୍ରଣ କରିଥିଲେ । ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି । ବିଜୟ କୁନି ଝିଅଟିକୁ ଗେଲରେ ନିଜ କୋଳରେ ଉଠାଇ ଘର ଭିତରକୁ ନେଇଥିଲେ । ଖାଇବା ଟେବୁଲରେ ରଶ୍ମିକା ନିଜେ ଝିଅଟିକୁ ଲଡ଼ୁ ପରଷିଥିଲେ । ପରେ ବିଜୟ ନିଜେ ଭାତ ପରଷି ଖୁଆଇଥିଲେ । ଖାଇବା ସରିବା ପରେ ଦୁହେଁ ଝିଅଟିକୁ କୋଳରେ ଧରି ପୂରା ଘର ବୁଲାଇ ଦେଖାଇବା ସହ ବହୁ ସମୟ ଧରି ଗପସପ କରିଥିଲେ ।

ପ୍ରେମୀଯୁଗଳଙ୍କ ଶାହି ବିବାହ:

କହିରଖୁଛୁ ଯେ, ବହୁ ଦିନର ସିକ୍ରେଟ୍ ଲଭ୍ ରିଲେସନ୍ ପରେ ଗତ ଫେବୃଆରୀ ୨୬ରେ ଉଦୟପୁରରେ ବିଜୟ ଏବଂ ରଶ୍ମିକା ବିବାହ କରିଥିଲେ । ଏହାପରେ ମାର୍ଚ୍ଚ ୪ରେ ହାଇଦ୍ରାବାଦରେ ଉଭୟଙ୍କର ଏକ ଭବ୍ୟ ରିସେପ୍ସନ ହୋଇଥିଲା । ବିବାହ ପରେ ଏହି ଯୋଡ଼ି ଦେଶର ବିଭିନ୍ନ ରାଜ୍ୟର ମନ୍ଦିରରେ ଅନ୍ନଦାନ କରିବା ସହ ସମସ୍ତଙ୍କୁ ମିଠା ମଧ୍ୟ ବାଣ୍ଟିଥିଲେ । ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ପ୍ରଶଂସକମାନେ କହୁଛନ୍ତି, "ଏହି କାରଣରୁ ହିଁ 'ଭିଜୁ' ଏବଂ 'ରୋଶୁ'ଙ୍କୁ ସମସ୍ତେ ଏତେ ଭଲ ପାଆନ୍ତି ।" ଛୋଟ ଝିଅଟିର ଅଭିମାନ ଦୂର କରି ସେମାନେ ସତରେ ସମସ୍ତଙ୍କ ହୃଦୟ ଜିତି ନେଇଛନ୍ତି ।