ବାରିପଦା,୨୦/୦୬: ରାଇରଙ୍ଗପୁରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ଜନ୍ମମାଟିରେ ପାଳିବେ ଜନ୍ମଦିନ।ଏହି ବିଶେଷ ଦିନ ପାଳନ କରିବାକୁ ଯାଉଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ସାହ ଖେଳି ଯାଇଛି । ଶୁକ୍ରବାର ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଜନ୍ମମାଟିରେ ପହଞ୍ଚିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଇରଙ୍ଗପୁରରେ ରାଜ୍ୟପାଳ ହରିବାବୁ କୁମ୍ଭମପତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ସ୍ୱାସ୍ଥ୍ୟ ମନ୍ତ୍ରୀ ଡା ମୁକେଶ ମହାଲିଙ୍ଗ, ଜଙ୍ଗଲ ପରିବେଶ ଓ ଶ୍ରମ ମନ୍ତ୍ରୀ ଇଂ ଗଣେଶରାମ ସିଂ ଖୁଣ୍ଟିଆ, ସାଂସଦ ନବଚରଣ ମାଝୀଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଓ ଜନ ପ୍ରତିନିଧିଗଣ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଥିଲେ ।
ଏହି ଅବସରରେ ରାଷ୍ଟ୍ରପତି ଏମ୍ସ ଭୁବନେଶ୍ୱର ସହଯୋଗରେ ଆୟୋଜିତ ପ୍ରଥମ ମାଗଣା ସ୍ୱାସ୍ଥ୍ୟ ଶିବିରର ଶୁଭାରମ୍ଭ କରିଥିଲେ । ପରେ ରାଷ୍ଟ୍ରପତି କୁସୁମୀ ବ୍ଲକ ପାଇଁ ମେଗାପାଇପ୍ ଜଳ ଯୋଗାଣ ପ୍ରକଳ୍ପ, ବ୍ରହ୍ମାକୁମାରୀ ସଂଗଠନର ନୂତନ ଭବନ, ସ୍ପେଶାଲ ସର୍କିଟ୍ ହାଉସ୍ ଓ ନଗବଠିତ ରାଇରଙ୍ଗପୁର ପୁଲିସ ଜିଲ୍ଲାର ନୂତନ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମେତ ଅନେକ ଜନହିତକର ପ୍ରକଳ୍ପର ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ସହ ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ଲୋକ ପ୍ରତିନିଧି ଯୋଗ ଦେଇଥିଲେ ।
ସୂଚନା ଥାଉ କି, ଆଜି ରାଷ୍ଟ୍ରପତିଙ୍କ ଜନ୍ମ ଦିନ ଥିବାରୁ ଓ ଜନ୍ମମାଟିରେ ଏହି ବିଶେଷ ଦିନ ପାଳନ କରିବାକୁ ଯାଉଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ସାହ ଖେଳି ଯାଇଛି । ଗସ୍ତର ଦ୍ୱିତୀୟ ଦିନରେ ରାଜ୍ୟ ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଅବସରରେ ରାଇରଙ୍ଗପୁର ଦଣ୍ଡବୋଷ ପଡିଆରେ ଆୟୋଜିତ ‘ବିକାଶର ଧାରା, ଓଡ଼ିଶା ସାରା’ ମେଗା ସମାବେଶରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଓଡ଼ିଶା ପାଇଁ ୪୭,୬୦୦ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ବିକାଶ ପ୍ରକଳ୍ପ ଯଥା ଶକ୍ତି, ରେଳ, ସଡ଼କ, ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରର କେତେକ ପ୍ରକଳ୍ପକୁ ଉଦଘାଟନ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି ।
ଅଧିକ ପଢ଼ନ୍ତୁ :- Encounter : ରାଉରକେଲାରେ ଗର୍ଜିଲା ପୁଲିସ ବନ୍ଧୁକ, ଏନକାଉଣ୍ଟରରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଆହତ
ଉଲ୍ଲେଖଯୋଗ୍ୟ ଯେ, ଶୁକ୍ରବାର ପାଗ ଖରାପ ରହିବାରୁ ରାଷ୍ଟ୍ରପତି କୋଲେଇକୁଣ୍ଡାରୁ ସଡ଼କ ପଥରେ ଝାରପୋଖରିଆ, ବିଶୋଇ ଦେଇ ରାଇରଙ୍ଗପୁରରେ ସନ୍ଧ୍ୟାରେ ପହଞ୍ଚିଥିଲେ ।