ନୀଳଗିରି,୨୨/୬:ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ଅଧିନ ଶ୍ୟାମସୁନ୍ଦର ପଞ୍ଚାୟତ ଗୋପ ଗ୍ରାମରେ ନିକଟରେ ଏକ ଦୁର୍ଲଭ ଉଡ଼ନ୍ତା ଗୁଣ୍ଡୁଚି ମୂଷା (Flying Squirrel) ଦେଖାଯାଇଥିବା ଘଟଣା ପ୍ରକୃତିପ୍ରେମୀ ଓ ବନ୍ୟପ୍ରାଣୀ ଅନୁରାଗୀଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି। ଗ୍ରାମର ବାସିନ୍ଦା ମାୟାଧର ନାୟକଙ୍କ ଘର ନିକଟରେ ଥିବା ନଡ଼ିଆ ଗଛରେ ଏହି ଦୁର୍ଲଭ ପ୍ରାଣୀଟିକୁ ଗଛରୁ ଗଛକୁ ଲମ୍ଫ ଦେଇ ଯାଉଥିବା ଦେଖାଯାଇଥିଲା। ସ୍ଥାନୀୟ ପରିବେଶପ୍ରେମୀ ତଥା ବନ୍ୟଜନ୍ତୁ ପର୍ଯ୍ୟବେକ୍ଷକ ମନୋରଞ୍ଜନ ଦାସ ଏହାର ଚିତ୍ରକୁ ନିଜ କ୍ୟାମେରାରେ ସଫଳତାର ସହିତ କଏଦ କରିଛନ୍ତି।

ଉଡ଼ନ୍ତା ଗୁଣ୍ଡୁଚି ମୂଷା ସାଧାରଣ ଗୁଣ୍ଡୁଚି ପରି ହେଲେ ମଧ୍ୟ ଏହାର ଶରୀରର ଆଗ ଓ ପଛ ଗୋଡ଼ ମଧ୍ୟରେ ଥିବା ଏକ ବିଶେଷ ଚର୍ମ ଝିଲ୍ଲୀ (Patagium) ଏହାକୁ ଗଛରୁ ଗଛକୁ ଭାସି ଯିବାର କ୍ଷମତା ପ୍ରଦାନ କରିଥାଏ। ଏହା ପକ୍ଷୀ ପରି ଉଡ଼େ ନାହିଁ, ବରଂ ବାୟୁରେ ଗ୍ଲାଇଡ୍ କରି ଏକ ଗଛରୁ ଅନ୍ୟ ଗଛକୁ ଯାଇଥାଏ। ସାଧାରଣତଃ ଏହି ପ୍ରାଣୀମାନେ ନିଶାଚର ହୋଇଥାନ୍ତି ଏବଂ ଦିନବେଳେ ଗଛର କୋଟର କିମ୍ବା ଘନ ପତ୍ର ଆଡ଼ରେ ଲୁଚି ରହିଥାନ୍ତି।ବନ୍ୟଜନ୍ତୁ ବିଶେଷଜ୍ଞମାନଙ୍କ ମତାନୁସାରେ, ଏହି ଉଡ଼ନ୍ତା ଗୁଣ୍ଡୁଚି ସମ୍ଭବତଃ କୁଲଡ଼ିହା ବନ୍ୟପ୍ରାଣୀ ଅଭୟାରଣ୍ୟରୁ ଖାଦ୍ୟ, ଆଶ୍ରୟ କିମ୍ବା ପ୍ରଜନନ ଉପଯୁକ୍ତ ପରିବେଶର ସନ୍ଧାନରେ ଏଠାକୁ ଆସିଥାଇପାରେ।

ଅଧିକ ପଢ଼ନ୍ତୁ :-  ତାମିଲନାଡୁ ଗ୍ୟାସ୍ ଟ୍ରାଜେଡି, ଓଡ଼ିଆ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କୁଲଡ଼ିହା ଅଭୟାରଣ୍ୟ ତାହାର ସମୃଦ୍ଧ ଜୈବ ବିବିଧତା ପାଇଁ ପ୍ରସିଦ୍ଧ ଏବଂ ଏଠାରେ ବିଭିନ୍ନ ପ୍ରକାରର ସ୍ତନ୍ୟପାୟୀ, ପକ୍ଷୀ ଓ ସରୀସୃପ ପ୍ରଜାତି ବାସ କରନ୍ତି। ଅଭୟାରଣ୍ୟ ସଂଲଗ୍ନ ଗ୍ରାମଗୁଡ଼ିକରେ ଏଭଳି ବନ୍ୟପ୍ରାଣୀଙ୍କ ଉପସ୍ଥିତି ମଣିଷ ଓ ପ୍ରକୃତି ମଧ୍ୟରେ ଥିବା ଅଦୃଶ୍ୟ ସମ୍ପର୍କର ଏକ ଜୀବନ୍ତ ଉଦାହରଣ।ମନୋରଞ୍ଜନ ଦାସ କହିଛନ୍ତି ଯେ, “ଗୋପ ଗ୍ରାମରେ ଏହି ଉଡ଼ନ୍ତା ଗିଲିହାରିକୁ ଦେଖିବା ନିଶ୍ଚିତ ଭାବେ ଏକ ବିରଳ ଅନୁଭୂତି। ଏହା ପ୍ରମାଣ କରୁଛି ଯେ ଆମ ଅଞ୍ଚଳର ପ୍ରାକୃତିକ ପରିବେଶ ଏବେ ମଧ୍ୟ ବନ୍ୟଜନ୍ତୁଙ୍କ ପାଇଁ ଅନୁକୂଳ ରହିଛି। ଏହି ପ୍ରାଣୀଙ୍କ ସୁରକ୍ଷା ପାଇଁ ସ୍ଥାନୀୟ ଲୋକଙ୍କ ସଚେତନତା ଅତ୍ୟନ୍ତ ଜରୁରୀ।