ନମୌଜା,୨୩/୮: ଯାତାୟାତର ସୁବିଧା ପାଇଁ ସରକାରଙ୍କ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ସେତୁ ନିର୍ମାଣ ହେଉଛି । ସାଧାରଣ ଲୋକଙ୍କ ପାଇଁ ନିର୍ମାଣ ହେଉଛି ସେତୁ ନା ଠିକାଦାର ସ୍ୱାର୍ଥରେ ନିର୍ମାଣ ହେଉଛି ସେତୁ । ଏନେଇ ଲୋକେ ପୂର୍ବରୁ ପ୍ରଶାସନକୁ ଅବଗତ କରାଇ ଆସୁଥିଲେ ମଧ୍ୟ ପ୍ରଶାସନ ଶୁଣୁନାହିଁ । ଯାହା ଫଳରେ ଆଜି ଗ୍ରାମବାସୀମାନେ ଏକାଠି ହୋଇ ନିମ୍ନମାନର ହେଉଥିବା କାର୍ଯ୍ୟକୁ ବିରୋଧ କରିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଓ ରାଜନଗର ବ୍ଲକକୁ ସଂଯୋଗୀ କରଣ କରୁଥିବା ଏକମାଣିଆ-କେରେଡାଗଡ଼ ସେତୁରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଯାହା ଉପରେ ଉଭୟ ପାର୍ଶ୍ୱ ଗ୍ରାମର ପ୍ରାୟ ୫ ହଜାରରୁ ଉର୍ଦ୍ଧ୍ୱ ଲୋକ ସମ୍ପୂର୍ଣ ଭାବରେ ନିର୍ଭର କରୁଛନ୍ତି । ସ୍ୱାଧୀନତାର ଦୀର୍ଘ ୭୯ବର୍ଷ ପରେ ମଧ୍ୟ ଏକମାଣିଆ ପଞ୍ଚାୟତବାସୀ ଖଣ୍ଡେ ସେତୁ ପାଇଁ ବିଭିନ୍ନ ସମୟରେ ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଦାବି କରି ଆସିଛନ୍ତି ।
ସୂତ୍ରରୁ ପ୍ରକାଶ ଯେ, ୨୦୨୩ ମସିହା ଏପ୍ରିଲ ମାସ ୨୭ ତାରିଖ ସକାଳ ୬ ଘଟିକା ସମୟରେ ଏକମାଣିଆ ଘାଟରେ ୨୪ ଜଣ ଯାତ୍ରୀଙ୍କୁ ନେଇ ଘାଟିଆ ସୁଦର୍ଶନ ଭରା ନଦୀରେ ଯାଉଥିବା ସମୟରେ ଡ଼ଙ୍ଗା ବୁଡିଯିବା ଫଳରେ ଯାତ୍ରୀମାନଙ୍କୁ ବଞ୍ଚାଇବାକୁ ଯାଇ ନିଜେ ମୃତ୍ୟୁ ମୁଖରେ ପଡ଼ିଥିଲେ । ତାଙ୍କ ସହିତ ପଟ୍ଟାମୁଣ୍ଡାଇ ବେଲତଳ ଗ୍ରାମର ଜଣେ ୧୫ବର୍ଷର ଛାତ୍ର ଦେବେନ୍ଦ୍ର ମଧ୍ୟ ବୁଡ଼ିଯାଇ ପ୍ରାଣ ହରାଇଥିଲେ । ଏହି ଲୋମହର୍ଷଣକାରୀ ଘଟଣା ପରେ ତତ୍କାଳୀନ ସରକାର ସେତୁ ପାଇଁ ୬୦ କୋଟି ଟଙ୍କା ମଞ୍ଜୁର କରିଥିଲେ । କାର୍ଯ୍ୟ ଆରମ୍ଭରୁ କୌଣସି ସୂଚନା ଫଳକ ନଥିବା ଯୋଗୁଁ ପଞ୍ଚାୟତବାସୀ ଏହାକୁ ତୀବ୍ର ବିରୋଧ କରିଥିଲେ । ସେତେବେଳେ ଠିକାଦାର ଓ ଗ୍ରାମ୍ୟ ଉନ୍ନୟନ ବିଭାଗୀୟ ଅଧିକାରୀ ବୁଝାସୁଝା କରି ସେତୁ କାର୍ଯ୍ୟ ଆରମ୍ଭ କରିଥିଲେ ।
ଅଦ୍ୟାବଧି ସେତୁ କାର୍ଯ୍ୟ ଶେଷ ପର୍ଯାୟରେ ପହଞ୍ଚିଥିବା ବେଳେ ସେତୁ ସଂଯୋଗ କରୁଥିବା ରାସ୍ତାର ନିମ୍ନମାନର କାର୍ଯ୍ୟକୁ ନେଇ ଗ୍ରାମବାସୀ ଏକାଠି ହୋଇ ବିରୋଧ କରିଥିଲେ । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ବୃନ୍ଦାବନ ସ୍ୱାଇଁ, ଅନନ୍ତ କରଣ, ଜନ୍ମଜୟ ପରିଡା, ଅସୁତାଭ ବିଶ୍ୱାଳ, ବୈଲୋଚନ ସ୍ୱାଇଁ, ବାବୁଲା ରାଉତ, ଅଶୋକ ରାଉତ, ଅନନ୍ତ କରଣ, ସଞ୍ଜୟ କୁଅଁର, ଜୟୀ ରାମ ମଲ୍ଲିକ, ଆରତ ବେହେରା, ନନ୍ଦ କିଶୋର ବେହେରା, ଖଗେଶ୍ୱର କର, ଅକ୍ଷୟ କରଣ, ନୟାବ ସରପଞ୍ଚ କୁନାଲ ପରିଡାଙ୍କ କହିବା ଅନୁଯାୟୀ ସେତୁକୁ ସଂଯୋଗ କରୁଥବା ସଂଯୋଗୀକରଣ ରାସ୍ତାର ଉଭୟପାର୍ଶ୍ଵରେ ନିର୍ମାଣ ହେଉଥିବା ଢ଼ଳେଇ କାର୍ଯ୍ୟରେ ବ୍ୟବହାର ହେଉଥିବା ସାମଗ୍ରୀ ଯଥା ବାଲି ବଦଳରେ ଧସା ବାଲି ଓ ରଡ଼ ବଦଳରେ ଛୋଟ ଏବଂ ପୁରୁଣା କଳଙ୍କି ଲାଗିଥିବା ରଡ଼ରେ ନିର୍ମାଣ କାର୍ଯ୍ୟ ହେଉଛି । ଯାହାକୁ ଗ୍ରାମବାସୀ ମାନେ ଦେଖିବା ପରେ ଆଜି କାର୍ଯ୍ୟକୁ ବନ୍ଦ କରିବା ସହିତ ନିର୍ମାଣ କାର୍ଯ୍ୟକୁ ବିରୋଧ କରିଛନ୍ତି ।
ନଦୀ କୂଳିଆ ଅଞ୍ଚଳ ତଥା ବନ୍ୟା ପ୍ରବଣ ଅଞ୍ଚଳ ହେତୁ ନିମ୍ନମାନର ହେଉଥିବା ଏହି କାର୍ଯ୍ୟ ବନ୍ୟା ଓ ଜୁଆରିଆ ନଦୀ ଜଳରେ ଭାସିଯିବା ନେଇ ଗ୍ରାମବାସୀ କ୍ଷୋଭ ପ୍ରକାଶ କରିଛନ୍ତି । ଏଠି ପ୍ରଶ୍ନ ଉଠୁଛି ଯେ, ସେତୁ ନିର୍ମାଣ ଲୋକଙ୍କ ହିତରେ ନା ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ସ୍ୱାର୍ଥରେ । ଏନେଇ ଲୋକେ ମୁଖ୍ୟମନ୍ତ୍ରୀ, ଜିଲ୍ଲାପାଳ ଏବଂ ବିଭାଗୀୟ ଉପରିସ୍ଥ ଅଧିକାରୀଙ୍କ ନିକଟରେ ନିବେଦନ କରିଛନ୍ତି । ଯଦି ତୁରନ୍ତ ଏହି ଦିଗରେ କାର୍ଯ୍ୟାନୁଷ୍ଠାନ ନେବା ସହ ନିର୍ମାଣ ହେଉଥିବା ସଂଯୋଗୀ କରଣ ରାସ୍ତାର କାର୍ଯ୍ୟ ସଠିକ ଢଙ୍ଗରେ ନହୁଏ ତେବେ ଗ୍ରାମବାସୀ ଆନ୍ଦୋଳନର ପନ୍ଥା ଆପଣେଇବେ ବୋଲି ଚେତାବନୀ ଦେଇଛନ୍ତି । ଏନେଇ ଗ୍ରାମ୍ୟ ଉନ୍ନୟନ ବିଭାଗୀୟ ଅଧିକାରୀ ସୁବାଷ ଚନ୍ଦ୍ର ସାହୁଙ୍କୁ ଫୋନ ଯୋଗେ ଯୋଗାଯୋଗ କରିଥିଲେ ମଧ୍ୟ ସେ ଏ ସମସ୍ୟା ସମ୍ପର୍କ ମତାମତ ଦେବା ପାଇଁ ମନା କରିଦେଇଥିଲେ ।