ଆଳି, ୧୪/୮ : ପିଇବା ପାଣି ପାଇଁ ରାସ୍ତାରୋକ। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଳକ ଗୋପାଳପୁର ଠାରେ ଏଭଳି ଘଟଣା ଘଟିଛି। ଗୋପାଳପୁର ଓ କଅଁରପୁର ଗ୍ରାମବାସୀ କଟକ-ଚାନ୍ଦବାଲି ରାସ୍ତାର ପତ୍ରପୁର ସେତୁ ନିକଟରେ ରାସ୍ତାରୋକ କରିଥିଲେ। ଘଟଣା ସ୍ଥଳରେ ଆଳି ତହସିଲଦାର ଓ ଆଇଆଇସି ପହଞ୍ଚି ବୁଝାସୁଝା କରିବା ପରେ ଧାରଣା ପ୍ରତ୍ୟାହୃତ ହୋଇଛି।
ସୂଚନାନୁଯାୟୀ, ଗୋପାଳପୁର ଓ କଅଁରପୁର ଗ୍ରାମବାସୀ ଦୀର୍ଘଦିନ ହେବ ସ୍ଵଛ ପିଇବା ପାଣି ଟୋପେ ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି। ଗାଁକୁ ବସୁଧା ଯୋଜନାରେ ମଧ୍ୟ ପାଣି ମିଳୁନି। ଯାହାଫଳରେ ଗାଁରେ ଥିବା ନଳକୂଅରୁ ବାହାରୁଥିବା ଦୂଷିତ ପାଣି ହିଁ ଏକମାତ୍ର ଭରଷା ପାଲଟିଛି। ଦୂଷିତ ପାଣି ପିଇ ଗୋପାଳପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୬ ଜଣ ଛାତ୍ରଛାତ୍ରୀ ଜଣ୍ଡିସ୍ରେ ଆକ୍ରାନ୍ତ ହୋଇଛନ୍ତି। ଏ ଦିଗରେ ଆଳି ବ୍ଳକ ପ୍ରଶାସନ କିମ୍ବା ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରୁନାହାଁନ୍ତି। ତେଣୁ ବାଧ୍ୟହୋଇ ଗୁରୁବାର ସକାଳେ ଦୁଇଟି ଗାଁର ଗ୍ରାମବାସୀ କଟକ-ଚାନ୍ଦବାଲି ରାସ୍ତାର ପତ୍ରପୁର ସେତୁ ନିକଟରେ ରାସ୍ତାରୋକ କରିଥିଲେ । ଘଟଣା ସ୍ଥଳରେ ଆଳି ତହସିଲଦାର ଶାନ୍ତି ସ୍ୱରୂପ ମିଶ୍ର ଓ ଆଇଆଇସି ଧୀରଜ ଲେଙ୍କା ପହଞ୍ଚି ବୁଝାସୁଝା କରିବା ପରେ ଧାରଣା ପ୍ରତ୍ୟାହୃତ ହୋଇଛି।