ଦଶମନ୍ତପୁର,୨୮/୬ : ଗାଁକୁ ଯାତାୟତ ପାଇଁ ପକ୍କା ରାସ୍ତା ସୁବିଧା ନାହିଁ। ଡାକ୍ତରଖାନା ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନକୁ ଯିବାକୁ ହେଲେ କାଦୁଅ ରାସ୍ତା ହିଁ ସାହା ଭରସା। ଶନିବାର ଜଣେ ରୋଗୀର ଡାକ୍ତରଖାନାରେ ମୃତ୍ୟୁ ହେଲା ପରେ ମୃତଦେହକୁ ଆମ୍ବୁଲାନ୍ସ ଗାଡି ଯୋଗେ ଅଣା ଯାଇଥିଲା। ଦେଢ କିମି ଦୂର କାଦୁଅ ରାସ୍ତା ଥିବା ରୁ ଆମ୍ବୁଲାନ୍ସ ଗାଡି ଗାଁ ଭିତରକୁ ଯିବା ଲାଗି ଡ୍ରାଇଭର ମନା କରିଥିଲା। ହେଲେ ମୃତଦେହକୁ ଭାରରେ ବୋହି ନେବା ଲାଗି ମଧ୍ୟ ଗାଁ ଲୋକ ରାଜି ହୋଇ ନ ଥିଲେ। ଫଳରେ ଆର୍ ଡି ରାସ୍ତା ଛକ ଠାରୁ ଦେଢ କିମି ଦୂର, ଆମ୍ବୁଲାନ୍ସ ଗାଡି କୁ ଠେଲି ଠେଲି ନେଇ ଥିବା ଦେଖିବାକୁ ମିଳିଛି। କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ନନ୍ଦି ଗାଁ ପଞ୍ଚାୟତ ଅଧିନସ୍ଥ ଭେଜି ପୁଟ ଗ୍ରାମରେ ଏହା ଦେଖିବାକୁ ମିଳିଛି।
ଶୁକ୍ରବାର ଗାଁ ର ପ୍ରଶାନ୍ତ ଖୋସଲା (୪୦) କ୍ୟାନ୍ସର ରୋଗରେ ପୀଡ଼ିତ ଥାଇ ଡାକ୍ତରଖାନା ଯାଇଥିଲେ। ହେଲେ ବିଳମ୍ବିତ ରାତିରେ କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ କଲେଜ୍ ଓ ହସପିଟାଲରେ ତାଙ୍କର ଦେହାନ୍ତ ହୋଇଥିଲା। ଶନିବାର କୋରାପୁଟ ଠାରୁ ଗାଁକୁ ମୃତଦେହ ଧରି ଆମ୍ବୁଲାନ୍ସ ଗାଡି ଆସି ଥିଲା। ପକ୍କା ରାସ୍ତା ସୁବିଧା ନ ଥିବାରୁ ଆମ୍ବୁଲାନ୍ସ ଗାଡିକୁ ଗ୍ରାମବାସୀ ଠେଲି ନେଇଥିବା ସୁମନ ଖୋସଲା, କାର୍ତ୍ତିକ ଖୋସଲା, ଇଷାକ ଖୋସଲା ପ୍ରମୁଖ କହିଛନ୍ତି।