ଗଡ଼ମଧୁପୁର,୩/୨ : ଜେନାପୁର ଥାନା ଅନ୍ତର୍ଗତ ପଥରଡିହ ଗାଁ ନିକଟସ୍ଥ ଜମିରେ ଏକ ନୂତନ ଗୃହ ନିର୍ମାଣକୁ ବିରୋଧ କରି ଜେନାପୁର ଗାଁରେ ଗୋଷ୍ଠି ବିବାଦ ହୋଇଥିବା ଅଭିଯୋଗ ହୋଇଛି l ଏହାକୁ ଭିତ୍ତି କରି ମଙ୍ଗଳବାର ଜେନାପୁର ଥାନାରେ ଏକ ଲିଖିତ ଅଭିଯୋଗପତ୍ରକୁ ନେଇ ଶତାଧିକ ଲୋକେ ଥାନାର ଦ୍ୱାରସ୍ଥ ହୋଇଥିଲେ l ଥାନା ଅଧିକାରୀ ଉପସ୍ଥିତ ନ ଥିବାରୁ ଥାନାରେ ଦୁଇ ଘଣ୍ଟା କାଳ ଅଭିଯୋଗକାରିମାନଙ୍କୁ ଅପେକ୍ଷା କରିବାକୁ ପଡ଼ିଥିଲା l
ଅଭିଯୋଗ ଅନୁସାରେ, ପଥରଡିହ ସାହିର କିଛି ଗୋଷ୍ଠୀର ଲୋକ ଜେନାପୁର ଗାଁର ମଧ୍ୟବର୍ତ୍ତୀ ଥିବା ଏକ ଗୋଚର/ରଖିତ ଜାଗାରେ ଯାହାର ପ୍ଲଟ ନମ୍ବର ୩୯୫ ଏବଂ ଖାତା ନମ୍ବର ୮୬୬ର ଡିସିମିଲ ୦,୪୫ରେ ଏକ ତାମସିକ ଗୃହ ନିର୍ମାଣ କାର୍ଯ୍ୟ କରୁଛନ୍ତି l ଯେଉଁ ଜାଗାରେ ୩ଖଣ୍ଡ ଗାଁର ଗାଈ, ଗୋରୁ, ଛେଳି ମେଣ୍ଢା ଚରବୁଲା କରିବା ସହ ଗାଁର ପିଲାମାନେ ଖେଳକୁଦ କରିଥାନ୍ତି l
ରେକର୍ଡ ମୁତାବକ ଏହି ପ୍ଲଟଟି ଗୋଚର ଏବଂ ରଖିତ ପ୍ଲଟ ଅଟେ l ତେବେ ଆଜି ଜେନାପୁର ଗାଁର ଲୋକେ ଏହି ଜାଗାରେ ନୂତନ ଗୃହ ନିର୍ମାଣକୁ ବିରୋଧ କରି ଦିନ ପ୍ରାୟ ୨ଟା ସମୟରେ ଜେନାପୁର ଗ୍ରାମର କାର୍ତ୍ତିକ ମଲିକ ପିତା ବାରେଣୀ ମଲିକ ଏବଂ ଲୋକନାଥ ମଲିକଙ୍କ ନେତୃତ୍ୱରେ ଗ୍ରାମର ଶତାଧିକ ଲୋକେ ଜେନାପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ l ଅଭିଯୋଗକୁ ଭିତ୍ତି କରି ଥାନାର କିଛି ପୁଲିସ କର୍ମଚାରୀ ଗୃହ ନିର୍ମାଣଧୀନ ସ୍ଥାନରେ ପହଞ୍ଚି ଗୃହଟିକୁ ବନ୍ଦ କରିଥିଲେ l