କୋକସରା ୦୮/୧୨ ଓଡିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଓପିଏସଇ ପରୀକ୍ଷାରେ ଓଡ଼ିଶାରେ ୫୨ ନମ୍ବର ରାଙ୍କ ରଖି କୃତକାର୍ଯ୍ୟ ହୋଇଛନ୍ତି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମାଝୀଗୁଡା ଗ୍ରାମର ଯୁବକ ହିମାଂଶୁ ନାଏକ। ମାଝୀଗୁଡା ଗ୍ରାମର ଚିତ୍ରସେନ ନାଏକଙ୍କ ସୁପୁତ୍ର ହିମାଂଶୁ ନାଏକ ପିଲାଟି ଦିନରୁ ଭଲ ପାଠ ପଢିବା ସହ ଜୀବନରେ ଜଣେ ସଫଳ ମଣିଷ ହେବାକୁ ସ୍ୱପ୍ନ ଦେଖିଥିଲେ । ଆଜି ତାହା ବାସ୍ତବତାର ରୂପ ନେଇଛି। ସୋମବାର ଯେତେବେଳେ ସେ ନିଜ ଭିଟାମାଟିକୁ ଫେରିଲେ ତାଙ୍କୁ ଗାଁ ମୁଣ୍ଡରୁ ବାଜା ବଜାଇ, ବନ୍ଦା ପନା କରି ନାଚି ଗାଇ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା ସହ ଗ୍ରାମ ଦେବୀଙ୍କ ନିକଟରେ ପୂଜାର୍ଚ୍ଚନା କରିଥିଲେ। ଉପସ୍ଥିତ ବନ୍ଧୁ ପରିଜନ ଓ ଗ୍ରାମବାସୀ ମାନେ ଗାଁର ସୁନାପୁଅକୁ ଫୁଲମାଳ ଦେଇ ଶୁଭେଚ୍ଛା ଜଣାଇଥିଲେ। ପରେ ଘରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେବାସହ ଏହି ଖୁସିର ମୁହୂର୍ତ୍ତକୁ ସେଲିବ୍ରେସନ ପାଇଁ କେକ କାଟି, ମିଠା ବାଣ୍ଟି ଖୁସି ମନେଇଥିଲେ। ହିମାଂଶୁ ନାଏକ ଗାଁର ଟେକ ରଖିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ଦିଆଯାଇଛି।

​​​​​​​