ନୂଆଦିଲ୍ଲୀ,୨୨/୦୭: ଏକ ଅଜଣା ଭିଡିଓକୁ ନେଇ ଏବେ ସୋସିଆଲ ମିଡିଆରେ ଉତ୍ତେଜନା। ଗୋଟିଏ ଅଫିସରେ ଜଣେ ବିଦେଶୀଙ୍କ ପାଇଁ କିଛି ଭାରତୀୟ କର୍ମଚାରୀ ନାଚୁଥିବାର ଦେଖିବାକୁ ମିଳିଛି, ଏବଂ ଏହି ଭିଡିଓଟି ସାମାଜିକ ଗଣାମାଧ୍ୟମରେ ଭାଇରାଲ ହେବା ପରେ ଏନେଇ କାର୍ଯ୍ୟକ୍ଷେତ୍ରରେ ଭାରତୀୟ କର୍ମଚାରୀଙ୍କ ଆଚରଣ ବିତର୍କର ବିଷୟ ପାଲଟିଛି। ଏକ୍ସରେ ସେୟାର କରାଯାଇଥିବା ଏହି କ୍ଲିପ୍‌ରେ ଦାବି କରାଯାଇଛି ଯେ କିଛି ଟେକ୍ କର୍ମଚାରୀ ଜଣେ ବିଦେଶୀ କ୍ଲାଏଣ୍ଟଙ୍କୁ ସେମାନଙ୍କ ଅଫିସରେ ନୃତ୍ୟ ପ୍ରଦର୍ଶନ ସହିତ ସ୍ୱାଗତ କରୁଛନ୍ତି। 

ଭିଡିଓ କ୍ଲିପ୍‌ଟିରେ ଦେଖିବାକୁ ମିଳିଛି ଯେ, ସମଗ୍ର ଅଫିସ୍‌ର କର୍ମଚାରୀମାନେ ତେଲୁଗୁ ଗୀତ "କିଲି କିଲି"ରେ ତାଳ ମିଶାଇ ନାଚୁଛନ୍ତି। ସେମାନଙ୍କ ମଧ୍ୟରୁ କିଛି ଖାଲି ପାଦରେ ମଧ୍ୟ ଅଛନ୍ତି। ସେମାନଙ୍କୁ ଦେଖୁଥିବା ବିଦେଶୀ ବ୍ୟକ୍ତି ସେମାନଙ୍କ ପ୍ରଦର୍ଶନ ଜାରି ରଖିବା ସହିତ ଉତ୍ସାହିତ ହେଉଥିବାର ଦେଖାଯାଉଛି। କ୍ଲିପ୍‌ଟିରେ ଜଣେ କର୍ମଚାରୀ ବଲିଉଡ୍ ଗୀତ "ମୈଁ ତେରା ବୟଫ୍ରେଣ୍ଡ" ଗୀତରେ ଏକା ନାଚୁଥିବା ଦେଖିବାକୁ ମିଳିଥିଲା। ବିଦେଶୀ ବ୍ୟକ୍ତି ଜଣକ ଏକ କ୍ୟୁବିକେଲ୍ ପାଖରେ ଠିଆ ହୋଇ କର୍ମଚାରୀଙ୍କ ନାଚ ଦେଖୁଛନ୍ତି ଏବଂ ହସୁଥିବାର ଦେଖିବାକୁ ମିଳିଛି। 

ଭିଡିଓ ସେୟାର କରିଥିବା ୟୁଜର ଏହି ଆଚରଣକୁ ନିନ୍ଦା କରିଛନ୍ତି। କ୍ୟାପସନରେ ଲେଖାଯାଇଛି, "ଅଫିସରେ ଭାରତୀୟ ଝିଅମାନେ ନାଚିନାଚି ଜଣେ ବିଦେଶୀ ଗ୍ରାହକଙ୍କୁ ସ୍ୱାଗତ କରିବା ଭଳି ଦୃଶ୍ୟ ଦେଖିବା ବହୁତ ଦୁଃଖଦ ଏବଂ ଗ୍ରାହକଙ୍କୁ ମଧ୍ୟ ନାଚିବାକୁ ବାଧ୍ୟ କରାଯାଉଛି। ଏପରି ପ୍ରଦର୍ଶନ ଅନ୍ୟ ଦେଶମାନଙ୍କୁ କେବଳ ଭାରତୀୟ ଅଫିସଗୁଡ଼ିକୁ ସାଧାରଣ ଏବଂ ଗୁରୁତ୍ବପୂର୍ଣ୍ଣ କାମ ପାଇଁ ଯୋଗ୍ୟ ନୁହେଁ ବୋଲି ଅନୁଭବ କରାଇବ।" ଭିଡିଓଟିକୁ ଦୁଇ ମିଲିୟନରୁ ଅଧିକ ଲୋକ ଦେଖିସାରିବା ପରେ, କିଛି ଭାରତୀୟ ଏକ୍ସ ୟଚଜର କର୍ମଚାରୀଙ୍କ ନୃତ୍ୟ ଦେଖି ଅସନ୍ତୋଷ ବ୍ୟକ୍ତ କରିଥିଲେ, ଏବଂ କିଛି ୟୁଜର୍ସ ଏଥିରେ କୌଣସି ଭୁଲ ନଥିବା ମଧ୍ୟ କହିଛନ୍ତି।