ନୂଆଦିଲ୍ଲୀ: ଗତବର୍ଷ ଟି-୨୦ ଏବଂ ନିକଟରେ ଟେଷ୍ଟ କ୍ରିକେଟରୁ ଅବସର ନେବା ପରେ ବିରାଟ କୋହଲି ଏବଂ ରୋହିତ ଶର୍ମା ଏବେ କେବଳ ଦିନିକିଆ କ୍ରିକେଟରେ ନଜର ଆସିବେ। ଇଂଲଣ୍ଡ ଗସ୍ତର ଠିକ୍ ପୂର୍ବରୁ ଏହି ଦୁଇ ଖେଳାଳି ଟେଷ୍ଟ କ୍ରିକେଟରୁ ଅବସର ନେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ଶୁଭମନ ଗିଲଙ୍କ ନେତୃତ୍ୱରେ ଏକ ଯୁବ ଦଳ ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ। ଏହି ସିରିଜ୍ ଜୁନ ୨୦ରୁ ଆରମ୍ଭ ହେବ। ଏବେ ପ୍ରଶଂସକମାନେ ଚିନ୍ତିତ ଯେ, ବିରାଟ ଏବଂ ରୋହିତଙ୍କୁ କେବେ ପଡ଼ିଆରେ ଦେଖିବାକୁ ମିଳିବ । ବାଂଲାଦେଶ ଗସ୍ତରେ ଏହି ଦୁଇ ବଡ଼ କ୍ରିକେଟରଙ୍କୁ ଦେଖିବାକୁ ମିଳିପାରେ । କିନ୍ତୁ ଏହି ଗସ୍ତ ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ ।
ଏହାରି ମଧ୍ୟରେ କ୍ରିକେଟ୍ ଅଷ୍ଟ୍ରେଲିଆ (ସିଏ) ଏହି ଦୁଇ ଖେଳାଳିଙ୍କ ପାଇଁ ଏକ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛି। ଇଂଲଣ୍ଡ ଗସ୍ତ ପରେ, ଟିମ୍ ଇଣ୍ଡିଆ ଅଗଷ୍ଟରେ ବାଂଲାଦେଶ ଗସ୍ତ କରିବ। ଏହି ସମୟରେ ଭାରତୀୟ ଦଳ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳିବ। ହୁଏତ ବିରାଟ କୋହଲି ଏବଂ ରୋହିତ ଶର୍ମା ଏହି ସିରିଜରେ ଖେଳିପାରନ୍ତି । ଏହା ପରେ, ଟିମ୍ ଇଣ୍ଡିଆ ଅକ୍ଟୋବରରେ ଦିନିକିଆ ସିରିଜ୍ ଖେଳିବା ପାଇଁ ଅଷ୍ଟ୍ରେଲିଆ ଗସ୍ତ କରିବ । ଏହି ଗସ୍ତ ସମୟରେ କ୍ରିକେଟ୍ ଅଷ୍ଟ୍ରେଲିଆ ଏହି ଖେଳାଳିମାନଙ୍କ ପାଇଁ କିଛି ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛି । କ୍ରିକେଟ ଅଷ୍ଟ୍ରେଲିଆ ବିରାଟ ଏବଂ ରୋହିତଙ୍କ ପାଇଁ ଏକ ବିଦାୟକାଳୀନ ସମାରୋହର ଆୟୋଜନ କରିବାକୁ ଯୋଜନା କରୁଛି । କ୍ରିକେଟ୍ ଅଷ୍ଟ୍ରେଲିଆର ସିଇଓ ଟଡ୍ ଗ୍ରୀନବର୍ଗ କହିଛନ୍ତି, ‘ଆମ ଦେଶରେ ବିରାଟ କୋହଲି ଏବଂ ରୋହିତ ଶର୍ମା ଶେଷ ଥର ପାଇଁ ଖେଳିପାରନ୍ତି । ଯଦି ଏଭଳି ହୁଏ, ତେବେ ଆମେ ଏହି ଖେଳାଳିମାନଙ୍କ ପାଇଁ କିଛି ସ୍ୱତନ୍ତ୍ର ଯୋଜନା କରିବୁ । ଯଦି ବିରାଟ ଏବଂ ରୋହିତ ODIରୁ ଅବସର ନିଅନ୍ତି, ତେବେ ଏହା 'ଏକ ଯୁଗର ଅନ୍ତ' ହେବ।’
ସେପଟେ ବିରାଟ କୋହଲି ଏବଂ ରୋହିତ ଶର୍ମା ୨୦୨୭ ODI ବିଶ୍ୱକପ୍ ଖେଳିବାକୁ ଯୋଜନା କରୁଛନ୍ତି, କିନ୍ତୁ ଏଥିରେ କୌଣସି ସ୍ପଷ୍ଟତା ନାହିଁ । କ୍ରିକେଟ୍ ଅଷ୍ଟ୍ରେଲିଆର ସିଇଓ କହିଛନ୍ତି ଯେ, ଆମେ ଏଥର ବିରାଟ କୋହଲିଙ୍କୁ ବିଗ୍ ବ୍ୟାଶ୍ ଲିଗ୍ (ବିବିଏଲ୍)ରେ ଖେଳିବାର ଦେଖିବାକୁ ଚାହୁଁଛୁ। ଏଥିପାଇଁ ଆମେ ବିସିସିଆଇ ସହ କଥା ହେବୁ। ଆମେ ବିରାଟଙ୍କୁ BBLରେ ଖେଳିବାର ଦେଖିବାକୁ ଚାହୁଁଛୁ। ଯଦିଓ ବିସିସିଆଇ ଭାରତୀୟ ଖେଳାଳିମାନଙ୍କୁ କୌଣସି ବିଦେଶୀ ଲିଗରେ ଖେଳିବାକୁ ଅନୁମତି ଦିଏ ନାହିଁ, ତଥାପି କ୍ରିକେଟ୍ ଅଷ୍ଟ୍ରେଲିଆର ସିଇଓ ଏଥିପାଇଁ ବେଶ ଆଶାବାଦୀ ଅଛନ୍ତି ।