ବେଙ୍ଗାଲୁରୁ: ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟର ତୃତୀୟ ଦିନରେ ବିରାଟ କୋହଲି ୭୦ ରନ୍‌ କରିବା ସହ ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି ।  ବିରାଟ କୋହଲି ଟେଷ୍ଟ ମ୍ୟାଚ୍‌ରେ ୯୦୦୦ ରନ୍‌ ପୂରା କରିଛନ୍ତି । ୧୯୭ଟି ପାଳିରେ କୋହଲି ୯୦୦୦ ରନ୍‌ କ୍ଲବରେ ସାମିଲ ହୋଇଛନ୍ତି । ଆଜି ଅର୍ଦ୍ଧଶତକ କରିବା ସହ କୋହଲି ଏହି ରେକର୍ଡ କରିବା ସହ ବିପର୍ଯ୍ୟୟର ସାମ୍ନା କରିଥିବା ଭାରତୀୟ ଦଳର ସାହାରା ପାଲଟିଛନ୍ତି । 

ଟେଷ୍ଟରେ ୯ ହଜାର ରନ୍ କରିଥିବା ଖେଳାଳିଙ୍କ ତାଲିକାରେ ଚତୁର୍ଥ ସ୍ଥାନରେ ପହଞ୍ଚିଛନ୍ତି ବିରାଟ କୋହଲି । ରାହୁଲ ଦ୍ରାବିଡ, ସଚିନ ତେନ୍ଦୁଲକର ଏବଂ ସୁନୀଲ ଗାଭାସ୍କାରଙ୍କ ନାଁରେ ଏହି ରେକର୍ଡ ରହିଛି । ସଚିନ ତେନ୍ଦୁଲକର ୧୭୯ ପାଳି ଖେଳି ୯ ହଜାର ରନ୍‌ କରିଥିବା ବେଳେ ଗାଭାସ୍କର ୧୯୨ ଏବଂ ଦ୍ରାବିଡ ୧୭୬ ପାଳି ଖେଳି ରେକର୍ଡ ରଚିଥିଲେ । ଏହା ବ୍ୟତୀତ ଇଂଲଣ୍ଡ ବିପକ୍ଷରେ ବିରାଟ କୋହଲି ୧୯୯୧ ରନ୍‌ କରିଛନ୍ତି । ସେହିଭଳି ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା ଏବଂ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷରେ କୋହଲି ଏକ ହଜାର ରନ୍‌ରୁ ଅଧିକ କରିସାରିଛନ୍ତି । 

ଟେଷ୍ଟ କ୍ରିକେଟରେ ସବୁଠୁ କମ ପାଳି ଖେଳି ୯ ହଜାର ରନ୍‌ କରିବାର ବିଶ୍ବ ରେକର୍ଡ କୁମାର ସାଙ୍ଗାକାରାଙ୍କ ନାଁରେ ରହିଛି । ସେ ୧୭୨ଟି ପାଳିରେ ଏହି ରେକର୍ଡ କରିପାରିଥିଲେ । ଷ୍ଟିଭ୍‌ ସ୍ମିଥ ୧୭୪ଟି ପାଳିରୁ ୯୦୦୦ ଟେଷ୍ଟ ରନ୍‌ ପୂରା କରିଥିଲେ । ଏହି କ୍ରମରେ ରାହୁଲ ଦ୍ରାବିଡ ତୃତୀୟ ସ୍ଥାନରେ ରହିଛନ୍ତି । ସେପଟେ ଭାରତ ପାଇଁ ନମ୍ବର ୩ରେ ଖେଳି ବିରାଟ କୋହଲି ୧୫୦୦୦ ଅନ୍ତର୍ଜାତୀୟ ରନ୍‌ ପୂରା କରିଛନ୍ତି । ଏବେ ସୁଦ୍ଧା ପଣ୍ଟିଂ, ସାଙ୍ଗାକାରା ଏବଂ କେନ ଓ୍ବିଲିୟମସନ୍‌ଙ୍କ ନାଁରେ ଏହି ରେକର୍ଡ ରହିଥିଲା ।