ନୂଆଦିଲ୍ଲୀ,୨୩/୦୫; ଚଳିତ ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦ ସିଜିନର ଉଦଘାଟନୀ ମ୍ୟାଚରେ ପରାଜୟର ପ୍ରତିଶୋଧ ନେଇ ଦ୍ୱିତୀୟ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ପରାସ୍ତ କରିଥିଲା । ମ୍ୟାଚଟି ଅତ୍ୟନ୍ତ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଥିଲା ହେଲେ ବିବାଦକୁ ନେଇ କଳ୍ପନା ବି କରିନଥିଲେ  । ବେଙ୍ଗାଲୁରୁର ଷ୍ଟାର ବ୍ୟାଟର ଏବଂ ହାଇଦ୍ରାବାଦର ବିସ୍ଫୋରକ ଓପନର ଟ୍ରାଭିସ୍ ହେଡ୍ ମଧ୍ୟରେ ଗରମା ଗରମ ମାହୋଲ ଖବର ଶିରୋନାମା ପାଲଟିଛି । ମ୍ୟାଚ୍ ପରେ ଟ୍ରାଭିସ୍ ହେଡ୍‌ ସହ ହାତ ମିଳାଇବାକୁ ମନା କରି ବିରାଟ କୋହଲି ଏକ ନୂତନ ବିବାଦ ସୃଷ୍ଟି କରିଛନ୍ତ ।

ହାଇଦ୍ରାବାଦରେ ଖେଳାଯାଇଥିବା ମ୍ୟାଚ୍‌ରେ, ବାଙ୍ଗାଲୋରର ଇନିଂସ ସମୟରେ ହେଡ୍ ଏବଂ କୋହଲିଙ୍କ ମଧ୍ୟରେ ଏକ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। କୋହଲି ବ୍ୟାଟିଂ କରୁଥିବା ସମୟରେ, ଅଷ୍ଟ୍ରେଲିୟ କ୍ରିକେଟର ଏକ ମନ୍ତବ୍ୟ ଦେଇଥିଲେ, ଯାହାର ଜବାବରେ କୋହଲି ପ୍ରତିକ୍ରିୟା ଦେଇଥିଲେ। ପରେ କିଛି ସମୟ ପାଇଁ ଏହି ମୁହାଁମୁହିଁ ପରିସ୍ଥିତି ଜାରି ରହିଥିଲା। ତା'ପରେ, ଯେତେବେଳେ ଭେଙ୍କଟେଶ ଆୟର ଆଉଟ୍ ହୋଇଥିଲେ, ହେଡ୍ କୋହଲିଙ୍କ ପାଖ ଦେଇ ଯାଉଥିବା ସମୟରେ ଏକ ମନ୍ତବ୍ୟ ଦେଇଥିଲେ, ଯାହା ପରିସ୍ଥିତିକୁ ଆହୁରି ତୀବ୍ର କରିଥିଲା। ମ୍ୟାଚ ସରିବା ପରେ ପରମ୍ପରା ଅନୁସାରେ ଦୁଇ ଦଳର ଖେଳାଳି ପରସ୍ପର ସହ ହାତ ମିଳାଥିଲେ । କୋହଲି ଅଭିଷେକ ଶର୍ମାଙ୍କ ସହ ହାତ ମିଳାଇଥିଲେ । ତାଙ୍କ ପଛକୁ ଟ୍ରେଭିସ୍ ହେଡ୍‌ ରହିଥିଲେ । ସେ ହାତ ବଢାଇଥିଲେ ହେଲେ ବିରାଟ ତାଙ୍କ ସହ ହ୍ୟାଣ୍ଡସେକ୍ କରିନଥିଲେ । ଏହି ଘଟଣାର ଭିଡିଓଟି ତୁରନ୍ତ ସୋସିଆଲ ମିଡିଆରେ ଭାଇରାଲ ହୋଇଗଲା। କୋହଲିଙ୍କ ଆଚରଣକୁ ସମାଲୋଚନା କରାଯାଇଛି । ମ୍ୟାଚ୍ ପରେ, ଖେଳାଳିମାନେ ସାଧାରଣତଃ ସେମାନଙ୍କର ଅଭିଯୋଗ ଭୁଲିଯାଆନ୍ତି । ଅନିଚ୍ଛା ସତ୍ତ୍ୱେ, ହାତ ମିଳାନ୍ତି,  କିନ୍ତୁ ବିରାଟ କୋହଲି ଏପରି କରିବାକୁ ମନା କରିବା କ୍ରିକେଟ୍ ପ୍ରଶଂସକଙ୍କୁ ପସନ୍ଦ ଆସିନାହିଁ ।
​​​​​​​

ଏହା ବି ପଢନ୍ତୁ...FIFA World Cup 2026: ଆଉ ୧୯ ଦିନ, କେତେ ପ୍ରସ୍ତୁତ ଜର୍ମାନୀ ? ୨୦୨୨ ପରେ ଲିଗ୍ ପର୍ଯ୍ୟାୟରୁ ଉଠି ପାରି ନଥିଲା ଦଳ

ମ୍ୟାଚ୍ ବାବଦରେ କହିବାକୁ ଗଲେ ଘରୋଇ ହାଇଦ୍ରାବାଦ ଓ ବେଙ୍ଗାଲୁରୁ ମଧ୍ୟରେ ଅନୁଷ୍ଠିତ ଚଳିତ ଆଇପିଏଲ୍‌ରେ ୬୭ତମ ଲିଗ୍ ମୁକାବିଲାରେ ହାଇଦ୍ରାବାଦ ୫୫ ରନ୍‌ରେ ବିଜୟ ହାସଲ କରିଛି । ଏହି ମ୍ୟାଚରେ ଇଶାନ କିଷନ, ଅଭିଷେକ ଶର୍ମା ଓ ହେନରିକ କ୍ଲାସେନଙ୍କ ଧୂଆଁଧାର ବ୍ୟାଟିଂ ବଳରେ ହାଇଦ୍ରାବାଦ ୪ ୱିକେଟ୍ ହରାଇ ୨୫୫ ରନ ସଂଗ୍ରହ କରିଥିଲା । ଚଳିତ ସିଜନରେ ହାଇଦ୍ରାବାଦ ସର୍ବାଧିକ ୯ଥର ୨୦୦ରୁ ଊଦ୍ଧ୍ୱର୍ ରନ୍ ସଂଗ୍ରହ କରିବାରେ ରେକର୍ଡ କରିଥିଲା । ଜବାବରେ ବେଙ୍ଗାଲୁରୁ ୪ ୱିକେଟ୍ ହରାଇ ୨୦୦ ରନ କରିବାକୁ ସକ୍ଷମ ହୋଇଥିଲା । ପରାଜୟ ସତ୍ତେ୍ୱ ବେଙ୍ଗାଲୁରୁ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ବଜାୟ ରଖିଛି । ହାଇଦ୍ରାବାଦ ୧୮ ପଏଣ୍ଟ ଅର୍ଜନ କରିଥିଲେ ହେଁ ତୃତୀୟ ସ୍ଥାନରେ ରହିଛି ।