ନୂଆଦିଲ୍ଲୀ,୨୫/୦୬; ବିରାଟ କୋହଲି ଏବଂ ରୋହିତ ଶର୍ମା ଏକ ଦଶନ୍ଧିରୁ ଅଧିକ ସମୟ ଧରି ଭାରତୀୟ କ୍ରିକେଟକୁ ନିଜ କାନ୍ଧରେ ଉଠାଇଛନ୍ତି । ଏକାଠି ସେମାନେ ବିଶ୍ୱକପ୍ ଜିତିଛନ୍ତି, ରେକର୍ଡ ଭାଙ୍ଗିଛନ୍ତି ଏବଂ ହାରିଯାଇଥିବା ମ୍ୟାଚ୍ ଜିତିଛନ୍ତି । କିନ୍ତୁ କ୍ରୀଡାର ସବୁଠାରୁ ବଡ଼ ସତ ହେଉଛି ଏହାର ଅତୀତ ନୁହେଁ ବରଂ ବର୍ତ୍ତମାନ...ଆସନ୍ତା ମାସରେ ଇଂଲଣ୍ଡରେ ହେବାକୁ ଥିବା ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ୍ । ଏହି ଦୁଇ ମହାନ ବ୍ୟାଟରଙ୍କ ବର୍ତ୍ତମାନ ଏବଂ ଭବିଷ୍ୟତ ଉପରେ ଏକ ବଡ଼ ପ୍ରଭାବ ପକାଇପାରେ । ଆସନ୍ତା ମାସରେ ଇଂଲଣ୍ଡ ବିପକ୍ଷରେ ହେବାକୁ ଥିବା ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜକୁ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି । ଘରୋଇ ପରିବେଶରେ ନିରନ୍ତର ରନ ସଂଗ୍ରହ କରିଆସୁଥିବା ଉଭୟ ଅଭିଜ୍ଞ ଖେଳାଳିଙ୍କ ପାଇଁ ଏବେ ବିଦେଶୀ ପରିସ୍ଥିତିରେ ନିଜକୁ ପ୍ରମାଣିତ କରିବାର ଚ୍ୟାଲେଞ୍ଜ ରହିଛି ।

ଏହି ସିରିଜ କେବଳ ୩ଟି ମ୍ୟାଚ୍ ନୁହେଁ । ଏହା ୨୦୨୭ ଦିନିକିଆ ବିଶ୍ୱକପ୍ ପାଇଁ ପ୍ରଥମ ପ୍ରମୁଖ ବିଦେଶ ପରୀକ୍ଷା । ଗତ ବର୍ଷ ଅକ୍ଟୋବରରେ ଭାରତ ଅଷ୍ଟ୍ରେଲିଆ ଗସ୍ତ କରିଥିଲା । ଶୁଭମନ ଗିଲଙ୍କ ନେତୃତ୍ୱରେ ଦଳ ୨-୧ରେ ସିରିଜ ହାରିଥିଲା । ପ୍ରଥମ ୨ଟି ମ୍ୟାଚରେ ବିରାଟ କୋହଲି ସିଡନୀରେ ୭୪ରନର ଇନିଂସ ଖେଳି ତାଙ୍କ ସମାଲୋଚକଙ୍କୁ ଜବାବ ଦେଇଥିଲେ । ରୋହିତ ଶର୍ମା ୮ ଏବଂ ୭୩ ଏବଂ ଅପରାଜିତ ୧୨୧ ରନ୍ କରିଥିଲେ । କିନ୍ତୁ ସିରିଜ ଜିତି ପାରିନଥିଲେ । ଭାରତରେ ଦିନିକିଆ ପିଚଗୁଡିକୁ ବ୍ୟାଟରଙ୍କ ସ୍ୱର୍ଗ ବୋଲି ବିବେଚନା କରାଯାଏ । ଯେଉଁଠାରେ ଛୋଟ ବାଉଣ୍ଡରୀ, ଫ୍ଲାଟ୍ ୱିକେଟ୍ ଏବଂ ଦ୍ରୁତ ଆଉଟଫିଲ୍ଡ ଥାଏ। ତଥାପି, ଇଂଲଣ୍ଡ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲ୍ୟାଣ୍ଡରେ ଚିତ୍ର ଭିନ୍ନ। ସେଠାରେ, ବଲ୍ ସହାୟତା କରିଥାଏ । ଅଧିକ ବାଉନ୍ସ, କମ୍ ମାର୍ଜିନ ଏବଂ ବଡ଼ ଗ୍ରାଉଣ୍ଡରେ ସଠିକ୍ ସମୟରେ ସଟ୍ ମଧ୍ୟ ପ୍ରାୟତଃ ଫିଲ୍ଡରଙ୍କ ହାତରେ ପଡିଯାଏ ।

ଅଷ୍ଟ୍ରେଲିଆରେ କୋହଲିଙ୍କ ପ୍ରାରମ୍ଭିକ ବିଫଳତା ଏହି କାରଣରୁ ଆଲୋଚନାର ବିଷୟ ପାଲଟିଥିଲା। ମିଚେଲ ଷ୍ଟାର୍କ ଏବଂ ଜାଭିୟର ବାର୍ଟଲେଟ୍ ତାଙ୍କୁ ଏପରି ପରିସ୍ଥିତିରେ ଚ୍ୟାଲେଞ୍ଜ କରିଥିଲେ । ଯେଉଁଠାରେ ସାମାନ୍ୟତମ ବୈଷୟିକ ତ୍ରୁଟି ମଧ୍ୟ ମହଙ୍ଗା ସାବ୍ୟସ୍ତ ହୋଇପାରେ। ସୋସିଆଲ ମିଡିଆରୁ ଟିଭି ଷ୍ଟୁଡିଓ ପର୍ଯ୍ୟନ୍ତ ପ୍ରଶ୍ନ ଉଠିଥିଲା। କେତେକ ଏପରି ମଧ୍ୟ କହିଥିଲେ ଯେ କୋହଲିଙ୍କ ସମୟ ସରିଗଲା । କିନ୍ତୁ କ୍ରିକେଟ ଇତିହାସ ଦର୍ଶାଏ ଯେ ମହାନ ଖେଳାଳିମାନେ କଠିନ ପରିସ୍ଥିତିରୁ ନିଜର ଉତ୍ତର ଲେଖନ୍ତି। କୋହଲି ସିଡନୀ ପିଚ୍ରେ ଏକ ସହଜରେ ୭୪ ରନ୍ କରିଥିଲେ ଏବଂ ତା’ପରେ ଭାରତକୁ ଫେରି ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲାଣ୍ଡ ବିପକ୍ଷରେ ସ୍କୋର କରି ବିତର୍କର ଧାରାକୁ ବଦଳାଇ ଦେଇଥିଲେ। ରୋହିତ ମଧ୍ୟ ଘରୋଇ ସ୍ତରରେ ନିରନ୍ତର ପ୍ରଭାବଶାଳୀ ଅଛନ୍ତି । କିନ୍ତୁ ପ୍ରକୃତ ପରୀକ୍ଷା ଘରେ ନୁହେଁ, ବରଂ ବିଦେଶରେ ।

ଏହା ବି ପଢନ୍ତୁ...Akash Deep wedding: ହାତକୁ ଦୁଇହାତ ହେଲେ ଟିମ୍ ଇଣ୍ଡିଆ ଷ୍ଟାର ଆକାଶ, ଅକ୍ଷିତାଙ୍କୁ କଲେ ଜୀବନସାଥୀ  

ଏହି କାରଣରୁ ଇଂଲଣ୍ଡ ଗସ୍ତ ଉଭୟଙ୍କ ପାଇଁ ଏକ ବଡ଼ ପରୀକ୍ଷା । ଏହି ସିରିଜରେ ରନ୍ ସ୍କୋର କରି, ରୋହିତ ଏବଂ ବିରାଟ ପ୍ରମାଣ କରିପାରିବେ ଯେ, ସେମାନଙ୍କ ପାଖରେ ଏବେ ବି ବିଦେଶୀ ପିଚ୍ରେ ମ୍ୟାଚ୍ ଜିତିବାର କ୍ଷମତା ଅଛି । ୨୦୨୭ ବିଶ୍ୱକପରେ, ସେମାନେ ଦକ୍ଷଣ ଆଫ୍ରିକା, ଜିମ୍ବାୱେ ଏବଂ ନାମ୍ବିଆରେ ସମାନ ଚ୍ୟାଲେଞ୍ଜିଂ ପରିସ୍ଥିତର ସମ୍ମୁଖୀନ ହେବେ ଯେପତି ସେମାନେ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡରେ ସମ୍ମୁଖୀନ ହେବେ । ଇଂଲଣ୍ଡ ବିପକ୍ଷରେ ଏହା କେବଳ ଦ୍ୱିପାକ୍ଷିକ ସିରିଜ ନୁହେଁ । ଭାରତୀୟ କ୍ରିକେଟରେ ଏକ ସୁବର୍ଣ୍ଣ ଅଧ୍ୟାୟ ଲେଖିଥିବା ଦୁଇ ବ୍ୟାଟରଙ୍କ ପାଇଁ ଏକ ଅଗ୍ନିପରୀକ୍ଷା । 

  

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜର ପ୍ରଥମ ମ୍ୟାଚ୍ ୧୪ ଜୁଲାଇ, ୨୦୨୬ରେ ବର୍ମିଂହାମରେ ଖେଳାଯିବ। ଦ୍ୱିତୀୟ ଏକଦିବସୀୟ ମ୍ୟାଚ୍ ୧୬ ଜୁଲାଇରେ କାର୍ଡିଫରେ ଏବଂ ଜୁଲାଇ ୧୯ରେ ତୃତୀୟ ଦିନିକିଆ ଐତିହାସିକ ଲର୍ଡସରେ ଖେଳାଯିବ । ୨୦୨୭ ବିଶ୍ୱକପ ପ୍ରସ୍ତୁତିକୁ ମଜବୁତ କରିବା ପାଇଁ ୩ଟି ମ୍ୟାଚରେ ସିରିଜ ଜିତିବା ଲକ୍ଷ୍ୟରେ ରହିବ ଭାରତ ।