ନୂଆଦିଲ୍ଲୀ,୨୯।୪: ଦିଲ୍ଳୀ ହାଇକୋର୍ଟରେ ଲଜ୍ଜା ଓ ଚକିତ କରିଦେବା ଭଳି ଏକ ଘଟଣା ଦେଖିବାକୁ ମିଳିଛି। କୋର୍ଟରେ ନିୟମିତ ଶୁଣାଣି ବେଳେ ଭର୍ଚୁଆଲ କନଫ୍ରେନ୍ସିଂରେ ଚାଲିଲା ପର୍ଣ୍ଣ ଭିଡିଓ। ହାଇକୋର୍ଟର ଚିଫ୍ ଜଷ୍ଟିସ୍ ଦେବେନ୍ଦ୍ର ଉପାଧ୍ୟୟ ଓ ଜଷ୍ଟିସ୍ ତେଜସ୍ କାରିୟାଙ୍କ ଖଣ୍ଡପୀଠ ନିୟମିତ ମାମଲାର ଶୁଣାଣି କରିବା ବେଳେ ଭର୍ଚୁଆଲ କନଫ୍ରେନ୍ସିଂରେ ଜଣେ ଅଜଣା ୟୁଜର ନିଜର ସ୍କ୍ରିନ୍ରେ ଅଶ୍ଲୀଳ ଭିଡିଓ ଚଳାଇବା ଆରମ୍ଭ କରିଦେଇଥିଲେ। ଏପରିକି ତାକୁ ମଧ୍ୟ ସେୟାର ବି କରିଦେଇଥିଲେ। ଏହା ଦେଖି କୋର୍ଟ ରୁମ୍ରେ ତୁରନ୍ତ ଭର୍ଚୁଆଲ ମିଟିଂକୁ ବନ୍ଦ କରିବାକୁ ପଡିଥିଲା।
ଯେତେବେଳେ ପୁଣିଥରେ ଅନଲାଇନ୍ କୋର୍ଟ କାର୍ଯ୍ୟ ଆରମ୍ଭ ହେଲା ସେହି ବ୍ୟକ୍ତି ଜଣକ ପର୍ଣ୍ଣ ଭିଡିଓ ପୁଣିଥରେ ଚଳାଇବା ଆରମ୍ଭ କରିଦେଲେ। ଏଭଳି ହେବାର ଦେଖି କୋର୍ଟ ଅଧିକାରୀମାନେ ଭିସି ବନ୍ଦ କରିଦେଇଥିଲେ ଏବଂ ତାକୁ ଅନ୍ କରିନଥିଲେ। ମିଳିଥିବା ସୂଚନା ଅନୁସାରେ, ଏହି ପର୍ଣ୍ଣ ଭିଡିଓ ଭର୍ଚୁଆଲ କନଫ୍ରେନ୍ସିଂ ସିଷ୍ଟମ ଜରିଆରେ ଆମେରିକାରୁ ବ୍ରଡକାଷ୍ଟ କରାଯାଇଥିଲା। ଏହି କଣ୍ଟେଣ୍ଟ ଶ୍ରୀଧର ସରନୋବତ୍ ଓ ଶିତଜିତ୍ ସିଂହ ନାମକ ଜଣେ ୟୁଜରଙ୍କ ଆକାଉଣ୍ଟରୁ ଚଳଯାଇଥିଲା। ତେବେ ଏହାର ସୂଚନା ମିଳିବା ଏବେ ବାକି ରହିଛି।
‘ବାର ଆଣ୍ଡ ବେଞ୍ଚ’ ର ରିପୋର୍ଟ ଅନୁସାରେ, ପର୍ଣ୍ଣ ଭିଡିଓ ସହିତ ବ୍ୟାକ୍ ଗ୍ରାଉଣ୍ଡରେ ଶୁଣିବାକୁ ମିଳିଥିଲା ଏହା ଆମେରିକାରୁ ହ୍ୟାକ୍ ହୋଇସାରିଛି। ମିଟିଂକୁ ଏବେ ତୁରନ୍ତ ବନ୍ଦ କରି ଦିଅ। ଏହାକୁ ପୁଣିଥରେ ଚାଲୁ କରନି। ତୁମେ ହ୍ୟାକ୍ ହୋଇସାରିଛ।’ ଦିଲ୍ଲୀ ହାଇକୋର୍ଟରେ ଏଭଳି ଏହା ପ୍ରଥମ ମାମଲା। ଏହି ଘଟଣା ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟା ୫୬ ମିନିଟ୍ ସମୟରେ ଦେଖିବାକୁ ମିଳିଛି। ଉଲ୍ଲେଖନୀୟ ଯେ, ମୁଖ୍ୟ ବିଚାରପତି କୋର୍ଟରେ ବୁଧବାର ଜନସ୍ବାର୍ଥ ମାମଲାର ଶୁଣାଣି ପାଇଁ ପ୍ରସ୍ତୁତ ହେଉଥିଲେ, ସେତେବେଳେ ଏହି ଘଟଣା ଘଟିଥିଲା। ଖଣ୍ଡପୀଠଙ୍କ ଆଗରେ ଶୁଣାଣି ପାଇଁ ୧୦୦ ରୁ ଅଧିକ ମାମଲା ରହିଥିଲା। ଏହି ଘଟଣା ପରେ ଦିଲ୍ଳୀ ହାଇକୋର୍ଟ ଭିଡିଓ କନଫ୍ରେନ୍ସିଂ ଇଣ୍ଟରଫେସ୍ ସମ୍ଭାବିତ ସାଇବର ଆଟାକାର ଯାଞ୍ଚ କରୁଛନ୍ତି। କୁହାଯାଉଛି ଯେ, ପର୍ଣ୍ଣ ଭିଡିଓ ଦୁଇ ଥର ଚାଲିବା କାରଣରୁ କୋର୍ଟ ରୁମ୍ରେ ଥିବା ବିଚାରପତି, ଓକିଲ, କୋର୍ଟ ଅଫିସର ଓ ଅନ୍ୟଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ବର୍ତ୍ତମାନ ମାମଲାର ଯାଞ୍ଚ କରାଯାଉଛି ଓ ଦାୟୀ ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।