ବେଜିଂ,୧୭/୦୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚୀନ୍ ଗସ୍ତ ପରେ ଏବେ ରୁଷ୍ର ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ୍ ମଧ୍ୟ ସେଠାକୁ ଯିବେ । ଉଭୟ ଦେଶ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି । ରିପୋର୍ଟ ଅନୁସାରେ, ପୁଟିନ ମେ ୧୯-୨୦ ତାରିଖ ମଧ୍ୟରେ ବେଜିଂରେ ରହିବେ । ଚୀନ୍ ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ନିମନ୍ତ୍ରଣ କ୍ରମେ ସେ ସେଠାକୁ ଯାଉଛନ୍ତି ।
ଏହା ଚଳିତବର୍ଷ ପୁଟିନଙ୍କର ପ୍ରଥମ ବିଦେଶ ଯାତ୍ରା ହେବ । ସେଠାରେ ସେ ଜିନପିଙ୍ଗଙ୍କ ସହିତ ପରମାଣୁ ଅସ୍ତ୍ରଶସ୍ତ୍ର ନିୟନ୍ତ୍ରଣ ବୁଝାମଣା ନେଇ ଆଲୋଚନା କରିପାରନ୍ତି । ଏହାଛଡା ସେ ଚୀନର ପ୍ରଧାନମନ୍ତ୍ରୀ ଲି କିୟାଙ୍କଙ୍କୁ ଅଲଗା ଭାବେ ଭେଟିବେ । ଉଭୟଙ୍କ ମଧ୍ୟରେ ବେପାର ଏବଂ ଆର୍ଥିକ ସହଯୋଗ ପ୍ରସଙ୍ଗରେ ଚର୍ଚ୍ଚା ହେବ । ଏହି ଗସ୍ତକୁ ନେଇ ଚୀନ ମିଡିଆରେ ବେଶ୍ ଚର୍ଚ୍ଚା ଚାଲିଛି । ତାକୁ ଟ୍ରମ୍ପଙ୍କ ଗସ୍ତଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଭାବେ ଦର୍ଶାଯାଉଛି । ସାଉଥ ଚାଇନା ମର୍ନିଂ ପୋଷ୍ଟ ଅନୁସାରେ ଟ୍ରମ୍ପଙ୍କ ଗସ୍ତ ଔପଚାରିକ ଥିଲା। କିନ୍ତୁ ପୁଟିନଙ୍କ ଗସ୍ତ ଅଧିକ ଗୁରୁତର ଏବଂ ରଣନୈତିକ ପ୍ରସଙ୍ଗ ଉପରେ କେନ୍ଦ୍ରୀଭୂତ ହେବ ।
ସେପଟେ ଟ୍ରମ୍ପଙ୍କ ପରେ ଏବେ ପୁଟିନଙ୍କ ଗସ୍ତକୁ ନେଇ ରାଜନୈତିକ ବିଶ୍ଳେଷକମାନେ କହିଛନ୍ତି ଯେ, ଚୀନ ଏହାଦ୍ୱାରା ଏକସଙ୍ଗରେ ଆମେରିକା ଏବଂ ରୁଷ୍ ସହ ସଂପର୍କକୁ ସନ୍ତୁଳିତ କରିବାକୁ ଉଦ୍ୟମ କରୁଛି । ଉପରୋକ୍ତ ଦୁଇ ଦେଶ ସହ ଆଲୋଚନା କରି ଚୀନ ନିଜର ବୈଶ୍ୱିକ ଭୂମିକାକୁ ମଜଭୁତ ବୋଲି ଦେଖାଇବ ।
ଅଧିକ ପଢ଼ନ୍ତୁ :- India Bangladesh Relation: ଗଙ୍ଗା ଜଳ ମିଳିଲେ ସମ୍ପର୍କ ସୁଧୁରିବ, ୩୦ ବର୍ଷ ପୁରୁଣା ଫରକ୍କା ଚୁକ୍ତି ନବୀକରଣ ଜିଦ୍ରେ ବାଂଲାଦେଶ