ନୂଆଦିଲ୍ଲୀ,୧୭/୦୫; ତିସ୍ତା ନଦୀ ପରେ, ଭାରତ ଏବଂ ବାଂଲାଦେଶ ମଧ୍ୟରେ ନଦୀ ଜଳ ଆବଣ୍ଟନ ବିବାଦ ଏବେ ତୀବ୍ର ହୋଇଛି । ବାଂଲାଦେଶର ଶାସକ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)ସ୍ପଷ୍ଟ ଭାବରେ କହିଛି ଯେ, ଗଙ୍ଗା ଜଳ ବଣ୍ଟନ ଚୁକ୍ତିର ନବୀକରଣ ଢାକାର ଭାରତ ସହିତ ଭବିଷ୍ୟତର ସମ୍ପର୍କର ମୂଳଦୁଆ ହେବ । ବାଂଲାଦେଶ ଦାବି କରିଛି ଯେ, ଦେଇ ଦେଶ ଏକ ନୂଆ ଚୁକ୍ତି ପାଇଁ ଆଲୋଚନା ଆରମ୍ଭ କରନ୍ତୁ ଯାହା ବାଂଲାଦେଶୀ ଲୋକଙ୍କ ଆଶା ଏବଂ ଆବଶ୍ୟକତା ପୂରଣ କରିବ ।
ଫରକ୍କା ବ୍ୟାରେଜକୁ ନେଇ ବିବାଦ- ବାଂଲାଦେଶ କ୍ଷମତାଶୀନ ବିଏନପି ସରକାର ଭାରତ ସହିତ ସମ୍ପର୍କକୁ ଜଳ ବୁଝାମଣା ସହିତ ଯୋଡ଼ିଛି । ଡାକା ସଫା ସଫା କହିଛି ଯଦି ଦୁଇ ଦେଶ ମଧ୍ୟରେ ସମ୍ପର୍କ ସୁଧାରିବାର ଅଛି ତେବେ ଡିସେମ୍ବରରେ ଶେଷ ହୋଉଥିବା ଗଙ୍ଗା ଜଳ ଆବଣ୍ଟନ ସନ୍ଧିକୁ ବାଂଲାଦେଶର ଆବଶ୍ୟକତା ହିସାବରେ ନବୀକରଣ କରିବାକୁ ହେବ । ବାଂଲାଦେଶ ଅଭିଯୋଗ କରିଛି କି, ପଶ୍ଚିମବଙ୍ଗ ସ୍ଥିତ ଭାରତର ଫରକ୍କା ବ୍ୟାରେଜ କାରଣରୁ ଖରାଦିନେ ପାଣି ପ୍ରବାହ କମ ହେଉଛି । ଫଳରେ ଉପକୂଳ ଅଞ୍ଚଳରେ ଲୁଣିଆ ପାଣି ଆସୁଛି । ଏହା କୃଷିକୁ ବ୍ୟାପକ କ୍ଷତି ପହଞ୍ଚାଉଛି । ଭାରତ ନିରନ୍ତର ଭାବେ କହି ଆସୁଛି ଯେ ଫରକ୍କା ବ୍ୟାରେଜ୍ ମୁଖ୍ୟତଃ ହୁଗଲି ନଦୀରୁ ପାଣିକୁ ସ୍ଥାନାନ୍ତରିତ କରିବାକୁ ନିର୍ମାଣ କରାଯାଇଥିଲା । ଯାହାଦ୍ୱାରା କୋଲକତା ବନ୍ଦରର ନୌଚଳନା ବଜାୟ ରହିବ ।
୧୯୯୬ ମସିହାରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କ କାର୍ଯ୍ୟକାଳ ସମୟରେ ୩୦ ବର୍ଷ ପାଇଁ ଗଙ୍ଗା ଜଳ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା . ଏହି ଐତିହାସିକ ଚୁକ୍ତିନାମା ଡିସେମ୍ବର ୨୦୨୬ରେ ଶେଷ ହେବାକୁ ଯାଉଛି । ଢାକାରେ ଏକ କାର୍ଯ୍ଯକ୍ରମରେ ବିଏମପି ମନ୍ତ୍ରୀ ମିର୍ଜା ଫଖରୁଲ ଇସଲାମ ଆଲମଗିର କହିଛନ୍ତି, ଭାରତ ସହିତ ଭଲ ସମ୍ପର୍କ ସ୍ଥାପନ କରିବାର ସୁଯୋଗ ଗଙ୍ଗା ଜଳ ବଣ୍ଟନ ଚୁକ୍ତି କିମ୍ବା ଫରକ୍କା ଚୁକ୍ତି ସ୍ୱାକ୍ଷକ ଉପରେ ନିର୍ଭର କରିବ । ନୂଆ ଚୁକ୍ତି ବାଂଲାଦେଶ ଲୋକଙ୍କ ସ୍ୱାର୍ଥ ପାଇଁ ହେବା ଉଚିତ୍ । ନୂଆ ଚୁକ୍ତି ନହେବା ପର୍ଯ୍ୟନ୍ତ ବର୍ତ୍ତମାନର ବ୍ୟବସ୍ଥା ବଳବତ୍ତର ରହିବା ଉଚିତ୍ ।
ଗଙ୍ଗା ନଦୀ ପ୍ରସଙ୍ଗ କାହିଁକି ସମ୍ବେଦନଶୀଳ ? ଭାରତରୁ ଚାପାଇ ନବାବଗଞ୍ଜ ଦେଇ ବାଂଲାଦେଶରେ ପ୍ରବେଶ କରୁଥିବା ଗଙ୍ଗା ନଦୀ ସେଠାରେ ପଦ୍ମା ନାମରେ ଜଣାଶୁଣା । ବାଂଲାଦେଶର ୧୭୦ ନିୟୁତ ଜନସଂଖ୍ୟାର ପ୍ରାୟ ଏକ ତୃତୀୟାଂଶ ଲୋକ ଜୀବିକା ଏବଂ ପରିବେଶଗତ ସ୍ଥିରତା ପାଇଁ ନଦୀ ପ୍ରଣାଳୀ ଉପରେ ନିର୍ଭର କରନ୍ତି । ଭାରତର ଉତ୍ପନ୍ନ ଦେଉଥିବା ୫୪ଟି ନଦୀ ବାଂଲାଦେଶରେ ପ୍ରବାହିତ ହୁଏ ।
ଏହା ବି ପଢନ୍ତୁ...Indus Waters Treaty: ପାକିସ୍ତାନକୁ ଭାରତର ଝଟ୍କା; ସିନ୍ଧୁ ଜଳ ଚୁକ୍ତିରେ କୋର୍ଟଙ୍କ ରାୟକୁ କଲା ପ୍ରତ୍ୟାଖାନ, କହିଲା ବୁନ୍ଦାଏ ପାଣି...
ଗଙ୍ଗା ଚୁକ୍ତିନାମାକୁ ନେଇ ଅନିଶ୍ଚିତତା ଜାରି ରହିଥିବା ବେଳେ, ବାଂଲାଦେଶ ସରକାର ପଦ୍ମା ନଦୀରେ ଏକ ମେଗା ବ୍ୟାରେଜ ପ୍ରକଳ୍ପକୁ ଅନୁମୋଦ କରିଛନ୍ତି । ଢାକା କହିଛି ଯେ, ଏହା ଫରକ୍କା ବ୍ୟାରେଜର ନକାରାତ୍ମକ ପ୍ରଭାବକୁ ପୂରଣ କରିବା ପାଇଁ ଲକ୍ଷ୍ୟ ରଖିଛି । ପ୍ରଧାନମନ୍ତ୍ରୀ ତାରିକ୍ ରହମାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଏହି ପ୍ରକଳ୍ପକୁ ଅନୁମୋଦ କରାଯାଇଛି । ବାଂଲାଦେଶ ଜଳ ସମ୍ପଗ ମନ୍ତ୍ରୀ ଶାହିଦୁଦ୍ଦିନ ଚୌଧୁରୀ ଆନି କହିଛନ୍ତି ଯେ, ଏହି ବ୍ୟାରେଜ ବାଂଲାଦେଶର ଜାତୀୟ ସ୍ୱାର୍ଥରେ ଏବଂ ଭାରତ ସହିତ ପରାମର୍ଶ କରିବାର କୌଣସି ଆବଶ୍ୟକତା ନାହିଁ । ଚଳିତ ମାସ ଆରମ୍ଭରେ, ତୀସ୍ତା ନଦୀ ଜଳ ବଣ୍ଟନ ଚୁକ୍ତିନାମରେ ବିଳମ୍ବକୁ ନେଇ ବିଏନପି ନେତାମାନେ ପୂର୍ବତନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଥିଲେ । ବିଏନପି ସୂଚନା ସଚିବ ଅଜିଜୁଲ ବାରୀ ହୋଲାଲ ଅଭିଯୋଗ କରିଥିଲେ ଯେ, ମମତା ବାନାର୍ଜୀଙ୍କ ସରକାର ଭାରତ ଏବଂ ବାଂଲାଦେଶ ମଧ୍ୟରେ ପ୍ରସ୍ତାବିତ ତୀସ୍ତା ଚୁକ୍ତିନାମାକୁ ବର୍ଷ ବର୍ଷ ଧରି ଅଟକାଇ ରଖିଥିଲେ ।