ନୂଆଦିଲ୍ଲୀ,୧୬।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ ଓ ରୁଷ ରାଷ୍ଟ୍ରପତି ବ୍ଲାଡିମିର ପୁଟିନ୍ଙ୍କ ଭିତରେ ଆଲାସ୍କାରେ ହୋଇଥିବା ବୈଠକର କୌଣସି ନିଷ୍କର୍ଷ ବାହାରି ପାରିନି। ଏହି ବୈଠକ ପରେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲ୍ଡିମିର ଜେଲେନସ୍କିଙ୍କ ପ୍ରତିକ୍ରିୟା ଆସିଛି। ସେ କହିଛନ୍ତି ସୋମବାର ଆମେରିକା ରାଷ୍ଟ୍ରପତିଙ୍କୁ ଭେଟିବାକୁ ଆମେରିକା ଯିବେ। ପୁଟିନ୍ଙ୍କୁ ଭେଟିବା ପରେ ଜେଲେନସ୍କିଙ୍କୁ ଟ୍ରମ୍ପ ଫୋନ୍ କରିଥିଲେ। ଏହି ସମୟରେ ଟ୍ରମ୍ପ ତାଙ୍କୁ ରୁଷ ରାଷ୍ଟ୍ରପତିଙ୍କ ସହ ହୋଇଥିବା ଆଲୋଚନାର ଗୁରୁତ୍ବପୂର୍ଣ୍ଣ କଥା ବିଷୟରେ ସୂଚନା ଦେଇଛନ୍ତି।
ଏହି ଆଲୋଚନାରେ ବ୍ରିଟେନ୍ ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ଅନ୍ୟ ୟୁରୋପୀୟ ନେତା ମଧ୍ୟ ସାମିଲ ହୋଇଥିଲେ। ଜେଲେନସ୍କି କହିଛନ୍ତି, ଆଲାସ୍କାରେ ପୁଟିନ୍ ଓ ଟ୍ରମ୍ପଙ୍କ ସାକ୍ଷାତ ପରେ ଶନିବାର ଆମେରିକା ରାଷ୍ଟ୍ରପତିଙ୍କ ସହ ତାଙ୍କର ଦୀର୍ଘ ଓ ସାର୍ଥକ ଆଲୋଚନା ହୋଇଥିଲା। ଉଲ୍ଲେଖନୀୟ ଯେ, ଟ୍ରମ୍ପ ଓ ପୁଟିନ୍ଙ୍କ ଭିତରେ ବୈଠକରେ ରୁଷ-ୟୁକ୍ରେନ୍ ଯୁଦ୍ଧ ଶେଷ ହେବାକୁ ନେଇ କୌଣସି ସହମତି ପ୍ରକାଶ ପାଇନି।
ଜେଲେନସ୍କି ଏନେଇ ‘ଏକ୍ସ’ରେ ମଧ୍ୟ ଏକ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି ସୋମବାର ପ୍ରେସିଡେଣ୍ଟ ଟ୍ରମ୍ପଙ୍କୁ ଓ୍ବାଶିଂଟନ୍ ଡିସିରେ ଭେଟିବି। ଏହି ସମୟରେ ମୃତ୍ୟୁ ଏବଂ ଯୁଦ୍ଧକୁ ଶେଷ କରିବା ନେଇ ଚର୍ଚ୍ଚା ହେବ। ଏହି ନିମନ୍ତ୍ରଣ ପାଇଁ ମୁଁ ଧନ୍ୟବାଦ ଜଣାଉଛି। ହ୍ବାଇଟ ହାଉସ ପ୍ରେସ୍ ସେକ୍ରେଟରୀ କେରୋଲିନ ଲୋଭିଟ୍ କହିଛନ୍ତି, ଆଲାସ୍କାରୁ ଓ୍ବାଶିଂଟନ୍ ଫେରିବାମାତ୍ରେ ଜେଲେନସ୍କିଙ୍କ ସହ ଟ୍ରମ୍ପ ଦୀର୍ଘ ସମୟ କଥା ହୋଇଥିଲେ।