ନୂଆଦିଲ୍ଲୀ: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିକଟରେ ବଡ଼ ଦାବି କରିଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି । କିଭ୍କୁ ସ୍ଥାୟୀ ଶାନ୍ତି ଦରକାର, ଯେମିତି ଋଷ ଭବିଷ୍ୟତରେ ବିନାଶ କରିପାରିବ ନାହିଁ ବୋଲି ଟ୍ରମ୍ପଙ୍କୁ କହିଛନ୍ତି ଜେଲେନସ୍କି । ଦୀର୍ଘ ୩ ବର୍ଷର ଯୁଦ୍ଧ ପରେ ପ୍ୟାରିସ୍ରେ ଦୁଇ ନେତାଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା । ଏହା ପୂର୍ବରୁ ଟ୍ରମ୍ପ କହିଥିଲେ ଯେ, ଜେଲେନସ୍କି ଆଲୋଚନା କରିବାକୁ ଆଗ୍ରହୀ ଅଛନ୍ତି । ଋଷ ଏବଂ ୟୁକ୍ରେନ୍ ମଧ୍ୟରେ ଥିବା ବିବାଦ ସମାଧାନ କରିଦେବେ ବୋଲି କହିଥିଲେ ଟ୍ରମ୍ପ ।
କିଭଳି ସମାଧାନ କରିବେ ସେନେଇ ନକହି ଆଗକୁ ଉଭୟ କିଭ୍ ଏବଂ ମସ୍କୋ ହ୍ବାଇଟ ହାଉସ୍ ଆସିବେ ବୋଲି ଦାବି କରିଥିଲେ । ଜେଲେନସ୍କି ସୋସିଆଲ ମିଡଆରେ ଲେଖିଛନ୍ତି, ‘ମୁଁ କହିଛି ଆମକୁ ସ୍ଥାୟୀ ଶାନ୍ତି ଦରକାର । ଫଳରେ ପୂର୍ବ ଭଳି ଋଷ ଆମକୁ ଧ୍ବଂସ କରିପାରିବ ନାହିଁ ।’ ପ୍ରାୟ ୩ ବର୍ଷ ହେଲା ୟୁକ୍ରେନ୍ ଯୁଦ୍ଧ ଜାରି ରହିଛି । ଏଥିରେ ହଜାର ହଜାର ଲୋକଙ୍କ ଜୀବନ ଯାଇଥିବା ବେଳେ ଲକ୍ଷ ଲକ୍ଷ ଲୋକ ଦେଶ ଛାଡ଼ି ଚାଲିଯାଇଛନ୍ତି ।
ଏହାକୁ ନେଇ ଜେଲେନସ୍କି ପୋଷ୍ଟ କରିଛନ୍ତି ଯେ, ‘ଅନ୍ୟ କେଉଁ ଦେଶ ଅପେକ୍ଷ ଅଧିକ ଶାନ୍ତି ୟୁକ୍ରେନ୍ ଚାହୁଁଛି । ଋଷିଆ ଆମ ମାଟିକୁ ଯୁଦ୍ଧ ନେଇଆସିଛି । ଆଉ ଋଷ ହିଁ ଶାନ୍ତି ଭଙ୍ଗ କରିବାକୁ ଅଧିକ ଚେଷ୍ଟା କରୁଛି । ଯୁଦ୍ଧର ଅନ୍ତ ନାହିଁ । କିଭ୍ ଏକ ଦୀର୍ଘସ୍ଥାୟୀ ଶାନ୍ତି ଚାହୁଁଛି ।’ ସେପଟେ ଦେଶର ସୈନିକଙ୍କ ମୃତ୍ୟୁ ସଂଖ୍ୟା ପ୍ରଘଟ କରୁନଥିବା ଜେଲେନସ୍କି ଏବେ ଏହାର ତଥ୍ୟ ଦେଇଛନ୍ତି । ଯୁଦ୍ଧରେ ୪୩ ହଜାର ୟୁକ୍ରେନୀୟ ସୈନିକଙ୍କ ଜୀବନ ଯାଇଥିବା ବେଳେ ୩୭ ହଜାରରୁ ଅଧିକ ଆହତ ହୋଇଛନ୍ତି ବୋଲି ଜେଲେନସ୍କି କହିଛନ୍ତି ।