ନୂଆଦିଲ୍ଲୀ: ଆମେରିକୀୟ କୋଟିପତି ଏବଂ ନିବେଶକ ୱାରେନ୍ ବଫେଟ୍ ୧.୧୫ ବିଲିୟନ ଡଲାର ମୂଲ୍ୟର ଷ୍ଟକ ୪ଟି ଫାଉଣ୍ଡେସନକୁ ଦାନ କରିଛନ୍ତି । ବର୍କଶାୟାର ହାଥୱେରେ ୧.୧୫ ବିଲିୟନ୍‌ ଡଲାର (ପ୍ରାୟ ୯୬୯୩ କୋଟି ଟଙ୍କାରୁ ଅଧିକ) ମୂଲ୍ୟର ଷ୍ଟକ୍‌ ଦାନ କରିଛନ୍ତି ବିଶ୍ବର ୭ ନମ୍ବର ଧନୀ ବ୍ୟକ୍ତି ୱାରେନ୍ ବଫେଟ୍ । ତାଙ୍କ ପ୍ରଥମ ପତ୍ନୀଙ୍କ ନାଁରେ ଥିବା ସୁସାନ ଥମ୍ପସନ ବଫେଟ୍‌ ପ୍ରତିଷ୍ଠାନକୁ ୧.୫ ମିଲିୟନ୍‌ ଶେୟାର ମିଳିଥିବା ବେଳେ ଶେରଉଡ୍‌ ଫାଉଣ୍ଡେସନ, ହାଓ୍ବାର୍ଡ ଜି. ବଫେଟ୍‌ ଏବଂ ନୋଭୋ ଫାଉଣ୍ଡେସନକୁ ୩ ଲକ୍ଷ ଲେଖାଏଁ ଶେୟାର ମିଳିଛି । ବଫେଟ୍‌ ତାଙ୍କ ମୃତ୍ୟୁ ପରେ ତାଙ୍କର ୧୪୭.୪ ବିଲିୟନ ଆମେରିକୀୟ ଡଲାର ସମ୍ପତ୍ତିର ଉତ୍ତରାଧିକାରୀ କିଏ ହେବେ ସେନେଇ ସ୍ପଷ୍ଟ ମଧ୍ୟ କରିଛନ୍ତି । ତେବେ ଏହି ଦାନ ପରେ ବର୍କଶାୟାର ହାଥୱେ କ୍ଲାସ୍‌ ଏ ଶେୟାରରେ ଓ୍ବାରେନ୍‌ ବଫେଟ୍‌ଙ୍କ  ଭାଗିଦାରୀ ୫୬.୬ ପ୍ରତିଶତ ହ୍ରାସ ଘଟିଛି । 

ବୟସାଧିକ୍ୟ ଯୋଗୁଁ ବଫେଟ୍‌ ନିଜ ମୃତ୍ୟୁ ପରେ ସଂପତ୍ତି ଭାଗବଣ୍ଟା ଲାଗି ୩ଟି ଉତ୍ତରାଧିକାରୀ ଟ୍ରଷ୍ଟି ନିଯୁକ୍ତ କରିଛନ୍ତି  । ମୃତ୍ୟୁ ହେବା ପରେ ତାଙ୍କ ସଂପତ୍ତି ଦାନ କରିବା ଲାଗି ପିଲାମାନଙ୍କ ଉପରେ ଭରସା କରିଛନ୍ତି ବଫେଟ୍‌ । ଯଦି ପିଲାମାନେ ଏଭଳି କରିବାକୁ ସକ୍ଷମ ନହୁଅନ୍ତି ତେବେ ଉତ୍ତରାଧିକାରୀ ଟ୍ରଷ୍ଟି ଏହି କାର୍ଯ୍ୟ କରିବ ।  ଭବିଷ୍ୟତ‌ରେ ସଂପତ୍ତି ଦାନ କରିବା ଲାଗି ତାଙ୍କର ୩ ପିଲାଙ୍କ ଅନୁମତି ଆବଶ୍ୟକ ପଡ଼ିବ । ଏହା ଦ୍ବାରା ପରୋପକାର ନାଁରେ ଯେମିତି ପରିବାର ଉପରେ କୌଣସି ଚାପ ନପଡ଼େ ସେଥିପାଇଁ ଏଭଳି କରାଯାଇଛି ବୋଲି ବଫେଟ୍‌ କହିଛନ୍ତି । ବଫେଟ୍‌ ଆହୁରି ମଧ୍ୟ କହିଛନ୍ତି, ମୁଁ ଏବଂ ସୁସାନ ଆମ ପିଲାଙ୍କୁ ଭଲ ଶିକ୍ଷା ଦେଇଛୁ । ମାନବ ସେବା ଲାଗି ସେମାନଙ୍କୁ ପ୍ରେରିତ କରିଥିଲୁ । ପତ୍ନୀଙ୍କ ମୃତ୍ୟୁ ପରେ ମୁଁ ବର୍କଶାୟାର ଶେୟାରରୁ ହେଉଥିବା ରୋଜଗାରର ପରିଚାଳନା କରିବାକୁ ପ୍ରସ୍ତୁତ ନଥିଲି ।’ 

ୱାରେନ୍ ବଫେଟ୍ ୩୦ ଅଗଷ୍ଟ ୧୯୩୦ରେ ଆମେରିକାର ଓମାହା ସହରରେ ଜନ୍ମଗ୍ରହଣ କରିଥିଲେ । ପିତା ହାଓ୍ବାର୍ଡ ବଫେଟ ଜଣେ ଷ୍ଟକ୍‌ ବ୍ରୋକର ଥିଲେ ଏବଂ ପରେ ସାଂସଦ ହୋଇଥିଲେ । ୱାରେନ୍ ବଫେଟଙ୍କ ପ୍ରଥମ ପତ୍ନୀଙ୍କ ନାଁ ଥିଲା ସୁସାନ । ଦୁହେଁ ୧୯୭୦ରୁ ଅଲଗା ରହିବାକୁ ନିଷ୍ପତ୍ତି ନେଇଥିଲେ । ୨୦୦୪ରେ ସୁସାନଙ୍କ ଦେହାନ୍ତ ହୋଇଥିଲା ।  ଏହା ପରେ ୨୦୦୬ରେ ୱାରେନ୍ ବଫେଟ୍ ଏଷ୍ଟ୍ରିଡ୍‌ ମେଙ୍କସ୍‌ଙ୍କୁ ବିବାହ କରିଥିଲେ । ତାଙ୍କର ୩ଟି ସନ୍ତାନ ସୁସି, ହାଓ୍ବାର୍ଡ ଏବଂ ପିଟର ଅଛନ୍ତି ।