ନୂଆଦିଲ୍ଲୀ,୦୬/୦୪; ଭାରତ ବିଶ୍ୱର ଅନ୍ୟତମ ସର୍ବବୃହତ୍ ଭୂତଳ ଜଳ ବ୍ୟବହାରକାରୀ । ବିଶ୍ୱର ମୋଟ ଭୂତଳ ଜଳ ଉପଯୋଗର ପ୍ରାୟ ୨୫% ବ୍ୟବହାର କରୁଛି ଆମ ଦେଶ । ଅତ୍ୟଧିକ ଉତ୍ତୋଳନ ଭବିଷ୍ୟତରେ ବଡ଼ ସମସ୍ୟା ଆଣିପାରେ । ଜଳ ଉତ୍ସଗୁଡ଼ିକର ଦୀର୍ଘକାଳୀନ ବ୍ୟବହାରକୁ ନେଇ ଚିନ୍ତା ପ୍ରକଟ କରିଛି ପବ୍ଲିକ ଆକାଉଣ୍ଟ୍ସ କମିଟି(ପିଏସି) । କିପରି ଭୂତଳ ଜଳର ଅତ୍ୟଧିକ ଉତ୍ତୋଳନକୁ ବନ୍ଦ କରାଯିବ ସେଥିପାଇଁ ରାଜ୍ୟଗୁଡ଼ିକୁ ପ୍ରେରିତ କରିବା ପାଇଁ କମିଟି ଜଳଶକ୍ତି ମନ୍ତ୍ରାଳୟକୁ ଅନୁରୋଧ କରିଛି ।
କମିଟି ପ୍ରକାଶ କରିଛି ଯେ, ଅତ୍ୟଧିକ ଭୂତଳ ଜଳ ବ୍ୟବହାରକୁ ରୋକାଯିବା ପାଇଁ ଠୋସ୍ ପଦକ୍ଷେପ ନିଆଯିବା ଦରକାର । ଜଳ ଉତ୍ସଗୁଡ଼ିକର ଦୀର୍ଘକାଳୀନ ବ୍ୟବହାରକୁ ସୁନିଶ୍ଚିତ କରିବା ଦିଗରେ ଫଳପ୍ରଦ ଉଦ୍ୟମ ହେବା ଉଚିତ । ଏପ୍ରିଲ ୧ରେ ଲୋକସଭାରେ ଉପସ୍ଥାପିତ କମିଟିର ୪୧ତମ ‘ ଭୂତଳ ଜଳ ପରିଚାଳନା ଏବଂ ନିୟମାବଳୀ’ ରିପୋର୍ଟରେ ଭୂତଳ ଜଳର ଅତ୍ୟଧିକ ବ୍ୟବହାରକୁ ନେଇ ଚିନ୍ତା ପ୍ରକଟ କରାଯାଇଛି । ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଭାରତରେ ଭୂତଳ ଜଳ ଉତ୍ତୋଳନ ବର୍ଷକୁ ପ୍ରାୟ ୨୪୫ ବିଲିୟନ କ୍ୟୁବିକ ମିଟର(ବିସିଏମ୍) ରହିଛି । ଏହା ବିଶ୍ୱର ମୋଟ ଭୂତଳ ଜଳ ଉତ୍ତୋଳନର ପ୍ରାୟ ଏକ ଚତୁର୍ଥାଂଶ । ଦେଶରେ ପାନୀୟ ଜଳର ପ୍ରାୟ ୮୦% ଏବଂ ଜଳସେଚନର ୬୪% ଆବଶ୍ୟକତାକୁ ଏହା ମାଧ୍ୟମରେ ପୂରଣ କରାଯାଇଥାଏ ।
ରିପୋର୍ଟ ମୁତାବକ, ୪ଟି ରାଜ୍ୟରେ ୧୦୦% ରୁ ଅଧିକ ଭୂତଳ ଜଳ ଉତ୍ତୋଳନ ହୋଇଛି । ଏହି ରାଜ୍ୟଗୁଡ଼ିକ ହେଲା ଦିଲ୍ଲୀ, ହରିୟାଣା, ପଞ୍ଜାବ ଏବଂ ରାଜସ୍ଥାନ । ୨୪ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୨୬୭ ଜିଲ୍ଲାରେ ଜଳ ଉତ୍ତୋଳନ ୬୪%ରୁ ୩୮୫% ପର୍ଯ୍ୟନ୍ତ ରହିଛି, ଯାହାକି ସ୍ଥିତିର ଗମ୍ଭୀରତାକୁ ଦର୍ଶାଉଛି । ଅର୍ଥାତ୍ ଯେତିକି ରିଚାର୍ଜ ହେଉନାହିଁ ତା’ଠାରୁ ଅଧିକ ଉତ୍ତୋଳନ ହେଉଛି । ଏହା ସ୍ଥାୟୀ ଜଳ ଉପଯୋଗରେ ବିଫଳତାକୁ ଦର୍ଶାଇଥାଏ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ତତ୍କାଳ ଏ ଦିଗରେ ଠୋସ ପଦକ୍ଷେପ ନେବାକୁ ଏବଂ ଭୂତଳ ଜଳ ଉତ୍ସଗୁଡ଼ିକର ଦୀର୍ଘକାଳୀନ ସୁରକ୍ଷା ସୁନିଶ୍ଚିତ କରିବାକୁ ରାଜ୍ୟଗୁଡ଼ିକୁ ପ୍ରେରିତ କରିବା ପାଇଁ ଜଳଶକ୍ତି ମନ୍ତ୍ରାଳୟକୁ ଅନୁରୋଧ କରିଛି କମିଟି ।
ଏହା ବି ପଢନ୍ତୁ...ରାଜଧାନୀରେ ବଡ଼ ବ୍ଲାଷ୍ଟର ଉଦ୍ୟମ ହେଲା ପଣ୍ଡ, ଦୁଇ ଦୁର୍ବୃତ୍ତଙ୍କୁ ଧରିଲା ପୋଲିସ
ଜଳଶକ୍ତି ମନ୍ତ୍ରାଳୟ ପ୍ରକାଶ କରିଛି ଯେ, ଏହା ରାଜ୍ୟଗୁଡ଼ିକ ସହ ସମନ୍ୱୟ ରଖିଛି । ଜଳଶକ୍ତି ଅଭିଯାନ, ଅଟଳ ଭୂଜଳ ଯୋଜନା, ଭୂତଳ ଜଳ ପରିଚାଳନା ଯୋଜନା ଏବଂ ରାଷ୍ଟ୍ରୀୟ ଜଳ ବିଦ୍ୟୁତ ଯୋଜନା ଭଳି ଯୋଜନାଗୁଡ଼ିକୁ ଲାଗୁ କରାଯାଉଛି । ରିପୋର୍ଟ ଉପରେ ଜଳଶକ୍ତି ମନ୍ତ୍ରାଳୟ ଆହୁରି କହିଛି ଯେ, ମୌସୁମୀ ପରେ ୨୦୨୨ରେ ପ୍ରାୟ ୬୧% କୂପରେ ଜଳସ୍ତର ବୃଦ୍ଧି ପାଇଛି, ଯାହା ସୁଧାରର ପ୍ରାରମ୍ଭିକ ସଂକେତ । ଏହା ଉତ୍ସାହଜନକ । ଜଳଶକ୍ତି ଅଭିଯାନ, ଅମୃତ ସରୋବର ମିଶନ ଏବଂ ରାଷ୍ଟ୍ରୀୟ ଭୂତଳ ଜଳ ଭଣ୍ଡାର ମ୍ୟାପିଂ ଭଳି ଯୋଜନାଗୁଡ଼ିକ ସହ କୃତ୍ରିମ ଭୂତଳ ଜଳ ପୁନ ଭରିବା ପାଇଁ ମାଷ୍ଟର ପ୍ଲାନ ବି ଲାଗୁ କରାଯାଇଛି । ଅଟଳ ଭୂତଳ ଜଳ ଯୋଜନା ୭ଟି ରାଜ୍ୟରେ ଚାଲିଛି । ଏହାକୁ ଆଗକୁ ବଢ଼ାଇବାର ଯୋଜନା ରହିଛି । ସରକାରଙ୍କ ଲକ୍ଷ୍ୟ ହେଉଛି ଯେ, ବୈଜ୍ଞାନିକ ଉପାୟରେ ଭୂତଳ ଜଳ ଉତ୍ସଗୁଡ଼ିକର ପରିଚାଳନାକୁ ସୁନିଶ୍ଚିତ କରିବା ।