ଫିରିଙ୍ଗିଆ, ୧୩/୫: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକରେ ସରକାରଙ୍କ ତରଫରୁ ଲୋକଙ୍କୁ ପିଇବା ପାଣି ଯୋଗାଇବା ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି। ଆଦିବାସୀ ଅଧୂଷିତ ଉପାନ୍ତ ଅଞ୍ଚଳବାସୀ ସରକାରଙ୍କ ଦ୍ଵାରା ଦିଆଯାଉଥିବା ସୁବିଧା ନପାଇ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସରକାରଙ୍କ ଯୋଜନା ସତେ ଯେମିତି ସେମାନଙ୍କ ପାଇଁ ସାତ ସପନ ପାଲଟିଛି। ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ବ୍ଲକ ପ୍ରଶାସନ ଏମିତିକି ଜିଲ୍ଲା ପ୍ରଶାସନଙ୍କୁ ଲିଖିତ ଗୁହାରି କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରୁନାହିଁ । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ବନ୍ଧଗଡ଼ ପଞ୍ଚାୟତ ଅଧିନସ୍ଥ ମଣିପଦର ଗ୍ରାମ ତଳସାହିରୁ ଏଭଳି ଏକ ଚିତ୍ର ସାମ୍ନାକୁ ଆସିଛି।
ଗାଁରେ କାହିଁ କେଉଁ କାଳରୁ ଜନବସତି ଥିବା ବେଳେ ଏବେ ପ୍ରାୟ ୧୨ ଘର ରହିଆସୁଛନ୍ତି। ଗ୍ରାମରେ ଗୋଟେ ହେଲେ ନଳକୂପ ନାହିଁ। ଗ୍ରାମରେ ବସୁଧା ଯୋଜନାର ପାଣି ଟ୍ୟାଙ୍କି ଓ ସୋଲାର ପାଣି ବ୍ୟବସ୍ଥା ରହିଛି, ହେଲେ ପାଣି ଆସୁନି । ଏବେ ଖରାଦିନ ଚାଲିଥିବା ବେଳେ ଗ୍ରାମର ମହିଳାମାନଙ୍କୁ ଦିନରାତି ପାଣି ଚିନ୍ତା ଘାରିଛି । ଭୋର ସକାଳୁ ଉଠି ମାଟି ଛୁଆଁ ପାଖରେ ପହଞ୍ଚି ପାଣି ପାଇଁ ଘଣ୍ଟାଘଣ୍ଟା ଅପେକ୍ଷା କରୁଛନ୍ତି। ବେଳେବେଳେ ପାଣି ପାଇଁ ପାଟିତୁଣ୍ଡ ଓ ଗଣ୍ଡଗୋଳ ମଧ୍ୟ ହେଉଥିବା ଅଭିଯୋଗ ଆସିଛି।
ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଗ୍ରାମରେ ବସୁଧା ଯୋଜନାରେ ପାଣି ଯୋଗେଇ ଦେବା ସହିତ ସୋଲାର ପାଣିର ବି ବ୍ୟବସ୍ଥା ରହିଛି। ହେଲେ ଗତବର୍ଷର କାଳବୈଶାଖୀର ପ୍ରଭାବରେ ସୋଲାର ମେସିନ ଖରାପ ହୋଇଯିବା ପରେ ତାକୁ ଆଉ ନିର୍ମାଣ କରାଯାଉନି। ଅନ୍ୟପଟେ ବସୁଧା ପାଣି ମଧ୍ୟ ଅଳ୍ପ ସମୟ ପାଇଁ ଛାଡୁଥିବାରୁ ଗ୍ରାମରେ ପାଣି ସମସ୍ୟା ଦେଖାଯାଉଛି। ବସୁଧା ପାଣି ଯେତିକି ସମୟ ଛଡାଯାଉଛି ସେତିକି ସମୟ ମଧ୍ୟରେ ଏକ ବାଲ୍ଟି ବି ପୁରା ହେବନି ବୋଲି ଗ୍ରାମର ମହିଳାମାନେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଗ୍ରାମରେ ଥିବା ମାଟିଛୁଆଁ ମଧ୍ୟ ଏକ ବିଲ ମଧ୍ୟରେ ଖୋଲାମେଲାରେ ରହିଛି। ଫଳରେ ପାଣି ପ୍ରଦୂଷିତ ହେଉଛି। ଉକ୍ତ ପାଣି ପିଇବା ଦ୍ୱାରା ଗ୍ରାମବାସୀ ଅନେକ ସମୟରେ ବିଭିନ୍ନ ପ୍ରକାର ରୋଗର ଶିକାର ହେଉଛନ୍ତି । ଆଗକୁ ବର୍ଷାଋତୁ ସାଙ୍ଗକୁ ଚାଷବାସ ସମୟ ଆସୁଥିବାରୁ ବିଲ ଜୋତାଜୋତି କରିଦେଲେ ଆଉ ପାଣି ମିଳିବନି ବୋଲି ମହିଳାମାନେ ଚିନ୍ତାବ୍ୟକ୍ତ କରିଛନ୍ତି। ତେଣୁ ପ୍ରଶାସନ ଖରାପ ହୋଇଥିବା ସୋଲାର ମେସିନର ମରାମତି ସାଙ୍ଗକୁ ଯଥେଷ୍ଟ ସମୟ ଯାଏ ବସୁଧା ପାଣି ଛାଡିବାକୁ ଗ୍ରାମବାସୀ ଦାବୀ କରିଛନ୍ତି। ଏହା ସହିତ ଯୁଦ୍ଧକାଳୀନ ସ୍ଥିତିରେ ଗ୍ରାମରେ ଏକ ନଳକୂପ ଖନନ କରିବା ପାଇଁ ଗ୍ରାମର ଅମ୍ବିକା କହଁର, ବନ୍ଧନୀ କହଁର, ଦେବକୀ କହଁର, ରେବତୀ କହଁର, ଲିତମା କହଁର ଦାବୀ କରିଛନ୍ତି।