ନୂଆଦିଲ୍ଲୀ,୨୪/୦୨: ‘ସୋନାର ବାଙ୍ଗଲା’ ସ୍ୱପ୍ନ ଦେଖୁଥିବା ଯେ କେହି ଆଜି ପୀଡ଼ାରେ । ଯୁବପିଢ଼ି, ବୃଦ୍ଧବୃଦ୍ଧା ଏବଂ ମହିଳାମାନେ ସମସ୍ତେ ଏହି ସ୍ୱପ୍ନ ଦେଖୁଥିଲେ । କିନ୍ତୁ ସେମାନଙ୍କ ସହ ବାରମ୍ବାର ଧୋକା ହୋଇଛି । ସେମାନେ ଗଭୀର ପୀଡ଼ାରେ ଅଛନ୍ତି । ଏହାକୁ ନେଇ ମୋ ହୃଦୟ ମଧ୍ୟ ବ୍ୟଥିତ । ସେଥିପାଇଁ ମନର ଗଭୀରତାରେ ମୁଁ ଏକ ସଂକଳ୍ପ ନେଇଛି । ପଶ୍ଚିମବଙ୍ଗକୁ ବିକଶିତ ତଥା ସମୃଦ୍ଧ ବନାଇବା ଲାଗି ସଂକଳ୍ପ ନେଇଛି । ଆମେ ‘ସୋନାର ବାଙ୍ଗଲା’ ସ୍ୱପ୍ନ ପୂରଣ କରିବୁ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ପଶ୍ଚିମବଙ୍ଗର ନାଗରିକଙ୍କୁ ଏକ ଖୋଲା ଚିଠି ଲେଖି ଏଭଳି ପ୍ରତିଶ୍ରୁତି ଦେଇଛନ୍ତି । ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ଆଉ କିଛି ମାସ ବାକି ଥିବା ବେଳେ ପ୍ରଧାନମନ୍ତ୍ରୀ ଏହି ଆବେଗଭରା ଚିଠି ଲେଖି ରାଜ୍ୟରେ କ୍ଷମତା ପରିବର୍ତ୍ତନ ଲାଗି ଦେଇଛନ୍ତି ଆହ୍ୱାନ । ଉଭୟ ହିନ୍ଦୀ ଓ ବଙ୍ଗଳାରେ ଏହି ପତ୍ର ଲେଖିଛନ୍ତି ମୋଦି । ଏଥିରେ ସିଏଏ ଏବଂ ଅନୁପ୍ରବେଶ ପ୍ରସଙ୍ଗ ଉଠାଯାଇଛି । ଏହାଛଡ଼ା ରାଜ୍ୟର ବିକାଶ, ଆଇନଶୃଙ୍ଖଳା ଓ କଲ୍ୟାଣକାରୀ ଯୋଜନାକୁ ନେଇ ପ୍ରଧାନମନ୍ତ୍ରୀ ନିଜ ଭାବନା ଉପସ୍ଥାପନ କରିଛନ୍ତି । ମୋଦି ଲେଖିଛନ୍ତି, ଆଉ କିଛି ମାସ ମଧ୍ୟରେ ପଶ୍ଚିମବଙ୍ଗର ଭାଗ୍ୟ ନିର୍ଦ୍ଧାରଣ ହେବ ।
ଆଗାମୀ ପିଢ଼ିର ଭାଗ୍ୟ କେଉଁ ଦିଗରେ ଆଗକୁ ବଢ଼ିବ, ତାହା ଆପଣମାନଙ୍କ ସୁଚିନ୍ତିତ ନିଷ୍ପତ୍ତି ଉପରେ ନିର୍ଭର କରେ । ପ୍ରଧାନମନ୍ତ୍ରୀ ଦୁର୍ନୀତି ଓ କୁଶାସନମୁକ୍ତ ବେଙ୍ଗଲ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି, ଯେଉଁଠାରେ ମହିଳାମାନେ ନିଜକୁ ସୁରକ୍ଷିତ ମଣିପାରିବେ ଏବଂ ଯୁବପିଢ଼ିଙ୍କୁ କାମ ଲାଗି ବାହାରକୁ ଯିବାକୁ ପଡ଼ିବ ନାହିଁ । ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ସ୍ୱାଧୀନତା ପରେ ପଶ୍ଚିମବଙ୍ଗ ଦେଶର ଅର୍ଥ ବ୍ୟବସ୍ଥାର ଦିଗ ଧାର୍ଯ୍ୟ କରୁଥିଲା । ଶିଳ୍ପ ବିକାଶରେ ଅଗ୍ରଣୀ ଥିଲା । କିନ୍ତୁ ଆଜି ଏହି ଗୌରବଶାଳୀ ରାଜ୍ୟର ସ୍ଥିତି ଦେଖି ମୁଁ ଚିନ୍ତିତ । ବିଗତ ଦଶନ୍ଧିଗୁଡ଼ିକର କୁଶାସନ ଓ ତୁଷ୍ଟୀକରଣ ରାଜନୀତି କାରଣରୁ ରାଜ୍ୟକୁ ଯେଉଁ ଅପୂରଣୀୟ କ୍ଷତି ମିଳିଛି, ତାହା ବର୍ଣ୍ଣନା କରିବା କଷ୍ଟକର ।
ଆହୁରି ପଢନ୍ତୁ-୬୪ ଦେଶଙ୍କୁ ନେଇ ଓମ୍ ବିର୍ଲାଙ୍କ 'ଫ୍ରେଣ୍ଡସିପ୍ ଗ୍ରୁପ୍', ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଦୁଇ ଓଡ଼ିଆ
ସ୍ୱାମୀ ବିବେକାନନ୍ଦ ଓ ଋଷି ଅରବିନ୍ଦ ଯେଉଁ ବେଙ୍ଗଲର ସ୍ୱପ୍ନ ଦେଖିଥିଲେ, ତାହା ଆଜି ଭୋଟ ବ୍ୟାଙ୍କର ସଙ୍କୀର୍ଣ୍ଣ ରାଜନୀତି, ହିଂସା ଏବଂ ଅରାଜକତାରେ ବୁଡ଼ିଯାଇଛି । ଏହା ଆମ ସମସ୍ତଙ୍କ ପାଇଁ ଯନ୍ତ୍ରଣାଦାୟକ । ସୁଭାଷ ବୋଷଙ୍କ ଏହି ପବିତ୍ର ଭୂମି ଅବୈଧ ଅନୁପ୍ରବେଶ ଏବଂ ମହିଳା ବିରୋଧୀ ହିଂସାରେ କଳଙ୍କିତ । କବିଗୁରୁ ରବୀନ୍ଦ୍ରନାଥ ଠାକୁରଙ୍କ ସୋନାର ବାଙ୍ଗଲାକୁ ନକଲି ଭୋଟର ମାଡ଼ି ବସିଛନ୍ତି । ମୋଦି ଲେଖିଛନ୍ତି, ବିଗତ ୧୧ ବର୍ଷରେ ଦେଶବାସୀଙ୍କ ଆଶୀର୍ବାଦକୁ ଶକ୍ତି କରି ମୋ ସରକାର ଜନକଲ୍ୟାଣକାରୀ ଏବଂ ସାମଗ୍ରିକ ବିକାଶକୁ ପ୍ରାଥମିକତା ଦେଉଛି । ଚାଷୀଙ୍କ ହିତଠାରୁ ଯୁବପିଢ଼ିଙ୍କ ସ୍ୱପ୍ନ ପୂରଣ ପର୍ଯ୍ୟନ୍ତ ଏବଂ ମାତୃଶକ୍ତିଙ୍କୁ ସଶକ୍ତିକରଣରୁ ସମାଜର ପ୍ରତ୍ୟେକ ବର୍ଗ ଯାଏ, ଆମ ନୀତି ଓ ନିରନ୍ତର ପ୍ରୟାସର ସକାରାତ୍ମକ ପ୍ରୟାସ ଆଜି ସ୍ପଷ୍ଟ ଦେଖିବାକୁ ମିଳୁଛି ।