ଚଣ୍ଡିଗଡ଼,୩୦/୦୫: ଚଳିତ ଆଇପିଏଲ୍‌ ସିଜନ୍‌ ୧୮ରେ ୯ ବର୍ଷ ପରେ ଫାଇନାଲରେ ପ୍ରବେଶ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ପ୍ରଥମ କ୍ୱାଲିଫାୟାର ମୁକାବିଲା ପଞ୍ଜାବ କିଙ୍ଗସ୍‌କୁ ୮ ୱିକେଟରେ ହରାଇ ଫାଇନାଲ ଟିକେଟ୍‌ ହାତେଇଛି ଆର୍‌ସିବି । ଏକତରଫା ବିଜୟ ହାସଲ କରି ୯ ବର୍ଷ ପରେ ଫାଇନାଲରେ ଏଣ୍ଟ୍ରି କରିଛି । ମ୍ୟାଚ ପରେ ଶ୍ରେୟାର ଆୟର କହିଛନ୍ତି ଆମେ ଲଢେଇ ହାରିଲୁ କିନ୍ତୁ ଯୁଦ୍ଧ ନୁହେଁ ।

ଆଇପିଏଲରେ ଗୁରୁବାର ପ୍ରଥମ କ୍ୱାଲିଫାୟର ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍‌ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମୁହାଁମୁହିଁ ହୋଇଥିଲେ । ଘାତକ ବୋଲିଂ କରି ବେଙ୍ଗାଲୁରୁ ଅତି ସହଜରେ ମ୍ୟାଚ୍‌ ଜିତି ନେଇଥିଲା । ମ୍ୟାଚ୍‌ ହାରିବା ପରେ ପଞ୍ଜାବ ଅଧିନାୟକ ଶ୍ରେୟାସ ଆୟର କହିଥିଲେ, ‘ଆମେ ଲଢ଼େଇ ହାରିଲୁ କିନ୍ତୁ ଯୁଦ୍ଧ ନୁହେଁ ।’ ମୁଲନପୁର ଷ୍ଟାଡ଼ିୟମକୁ ଦୋଷ ଦେଇଛନ୍ତି ଶ୍ରେୟାସ । ଆୟରଙ୍କ କହିବା କଥା ଏବେବି ଫାଇନାଲ ଯିବା ପାଇଁ ପଞ୍ଜାବ ପାଖରେ ଆଉ ଏକ ସୁଯୋଗ ରହିଛି । କ୍ୱାଲିଫାୟର-୧ ବିଜେତା ଦଳ ଫାଇନାଲରେ ପ୍ରବେଶ କରିଥାଏ ଏବଂ ପରାଜିତ ଦଳ କ୍ୱାଲିଫାୟର-୨ ଖେଳିଥାଏ । ଆଜି (ଶୁକ୍ରବାର) ମୁମ୍ବାଇ ଇଣ୍ଡିଆନ୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ଏଲିମିନେଟର ଖେଳାଯିବ । ଏଥିରେ ବିଜେତା ଦଳ ପଞ୍ଜାବକୁ ଦ୍ୱିତୀୟ କ୍ୱାଲିଫାୟାରରେ ଭେଟିବ ।

ଅଧିକ ପଢନ୍ତୁ...IPL 2025: ଆଜି ମୁମ୍ବାଇ-ଗୁଜରାଟ ଏଲିମିନେଟର ଲଢ଼େଇ, ପରାଜିତ ଦଳ ହେବ ବିଦା

ପ୍ରଥମେ ବ୍ୟାଟିଂ କରି ପଞ୍ଜାବ କିଙ୍ଗସ୍‌ ୧୦୧ ରନ୍‌ କରି ଅଲଆଉଟ୍ ହୋଇଥିଲା । ଆର୍‌ସିବି ପକ୍ଷରୁ ସୂୟଶ ଶର୍ମା ୧୭ ରନ୍‌ ଦେଇ ୩ ୱିକେଟ ଅକ୍ତିଆର କରିଥିଲେ । ସେହିପରି ହାଜେଲହୁଡ଼ ୩ଟି ୱିକେଟ ନେଇଥିଲେ । ୟଶ ଦୟାଲ ୨, ଭୁବନେଶ୍ୱର କୁମାର ଗୋଟିଏ ୱିକେଟ ନେଇଥିଲେ । ୧୦୨ରନ୍‌ ଛୋଟିଆ ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ୧୦ ଓଭରରେ ଲକ୍ଷ୍ୟ ହାସଲ କରି ନେଇଥିଲା ଆର୍‌ସିବି । ସଲ୍ଟ ଅପରାଜିତ ୫୬ ରନ୍‌  କରିଥିଲେ । ୮ ୱିକେଟରେ ବିଜୟ ସହ ଫାଇନାଲ ଟିକେଟ ହାତେଇଛି ବେଙ୍ଗାଲୁରୁ । ଟ୍ରଫିଠୁ ଆଉ ପାଦେ ଦୂରରେ ଅଛି ଆର୍‌ସିବି ।