ଭୁବନେଶ୍ୱର ୨୫/୦୯: ଆସନ୍ତା ୨୬ ଓ ୨୭ ତାରିଖ ରାଜ୍ୟରେ  ପ୍ରବଳ ବର୍ଷା ହେବ । ୨୬ରେ ଲଘୁଚାପ ପ୍ରଭାବରେ କୋରାପୁଟ ଓ  ରାୟଗଡ଼ାରେ ଅତିପ୍ରବଳ ବର୍ଷା ହୋଇପାରେ । ଉତ୍ତର ଓଡ଼ିଶା ଓ  ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ । ୨୭ରେ ମଧ୍ୟ  ଦକ୍ଷିଣ ଓଡ଼ିଶାର ବହୁ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସତର୍କ କରାଇଛି । କିନ୍ତୁ ୨୮ ତାରିଖରୁ ବର୍ଷା ନାହିଁ ବୋଲି  ପୂର୍ବାନୁମାନ ଦିଆଯାଇଛି । ସେପଟେ ମହାନଦୀର ଉପରମୁଣ୍ଡରେ  ପ୍ରବଳ ବର୍ଷା ହୋଇଛି । ଆଗକୁ ଅଧିକ ବର୍ଷା ଥିବାରୁ ମହାନଦୀରେ  ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି ।

ଗୁରୁବାର ଲଘୁଚାପ ସୃଷ୍ଟି ହେବ । ଏହା ପ୍ରଭାବରେ  ଦକ୍ଷିଣ ଓଡ଼ିଶାର ବହୁ ଜିଲ୍ଲାରେ ଭାରୀ ବର୍ଷା ଆଶଙ୍କା ଅଛି ।  କୋରାପୁଟ, ରାୟଗଡ଼ା, ଗଜପତି, ମାଲକାନଗିରିରେ ପ୍ରବଳ ବର୍ଷା  ହୋଇପାରେ । ୨୬ ତାରିଖରେ ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା,  ମାଲକାନଗିରି, କଳାହାଣ୍ଡି, କନ୍ଧମାଳ ଓ ବାଲେଶ୍ୱରରେ ପ୍ରବଳ ବର୍ଷା  ହୋଇପାରେ । ୪୦ରୁ  ୫୦ କିମି ବେଗରେ  ପବନ ବହିବା ସହ  ପବନର ଝଟ୍‌କା  ୬୦କିମି ଛୁଇଁପାରେ ।  ମୟୂରଭଞ୍ଜକୁ ଅଧିକ ବର୍ଷା ଅଛି । ଆଭ୍ୟନ୍ତରୀଣ ଓଡି଼ଶା ଓ ଉପକୂଳ  ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ।

 

Updated Warning Map for Day-1 for Odisha pic.twitter.com/MjH2CpdAhE

— Meteorological Centre, Bhubaneswar (@mcbbsr) September 24, 2025

୨୭ ତାରିଖରେ ନବରଙ୍ଗପୁରରେ ପ୍ରବଳରୁ ଅତିପ୍ରବଳ ବର୍ଷା  ଆଶଙ୍କା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଗଞ୍ଜାମ, ଗଜପତି,  ରାୟଗଡ଼ା, ମାଲକାନଗିରି ଓ କୋରାପୁଟରେ ପ୍ରବଳ ବର୍ଷା ହୋଇପାରେ ।  ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା  ଅଛି । ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ମଧ୍ୟ ବିଜୁଳି ଓ  ଘଡ଼ଘଡ଼ି ସହ ବର୍ଷା ହୋଇପାରେ ।

ଏବେ ଉତ୍ତର ଓଡ଼ିଶା ଓ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗର  ଉପରେ ଲଘୁଚାପ ରହିଛି ଓ ଧୀରେ ଧୀରେ ଦୁର୍ବଳ ହେଉଛି । ଆସନ୍ତା  ୧୨ ଘଣ୍ଟାରେ ଏହା ଆହୁରି ଦୁର୍ବଳ ହୋଇଯିବ । ଗୁରୁବାର ସୁଦ୍ଧା ଉତ୍ତର  ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି  ହେବ । ଏହା ପଶ୍ଚିମ ଦିଗରେ ମୁହାଁଇ ଅବପାତରେ ପରିଣତ ହେବ ।  ଏହା ପ୍ରଭାବରେ ୨୭ ତାରିଖ ଯାଏ ଅଧିକ ବର୍ଷା ହେବ ।

ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ କହିଛନ୍ତି,  ହୀରାକୁଦର ଉପରମୁଣ୍ଡରେ ପ୍ରବଳ ବର୍ଷା ହୋଇଛି । ଉପରମୁଣ୍ଡରେ  ହାରାହାରି ୪୧ମିମି ବର୍ଷା ହୋଇଛି । ୨୭ ତାରିଖ ସକାଳୁ ମୁଣ୍ଡଳୀରେ  ପ୍ରାୟ ୭ଲକ୍ଷ କ୍ୟୁସେକ୍‌ ଜଳ ପ୍ରବାହିତ ହେବ । ଏହାଦ୍ୱାରା ଶାଖା  ନଦୀରେ କୁଆଖାଇ, ବିରୂପା, କାଠଯୋଡ଼ି, କୁଶଭଦ୍ରା, ଦୟା ଓ ଭାର୍ଗବୀ  ନଦୀର ଜଳସ୍ତର ବଢ଼ିପାରେ । ସରକାର ଏହାକୁ ମୁକାବିଲା ପାଇଁ  ପ୍ରସ୍ତୁତ ଅଛନ୍ତି ବୋଲି ସେ କହିଛନ୍ତି । ବୁଧବାର ନୂଆପଡ଼ାରେ ୭୬ମିମି  ବର୍ଷା ହୋଇଛି । ବାଲେଶ୍ୱରରେ ୪୮.୪, ଝାରସୁଗୁଡ଼ାରେ ୧୯.୮,  ହୀରାକୁଦରେ ୧୬.୪ ଓ ନବରଙ୍ଗପୁରରେ ୧୫ମିମି ବର୍ଷା ହୋଇଛି ।