ଭୁବନେଶ୍ୱର,୦୮/୦୪: ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ଏହାର ପ୍ରଭାବରେ ଆସନ୍ତା  ୧୦ରୁ ୧୭ ତାରିଖ ଯାଏ ରାଜ୍ୟର କିଛି  ସ୍ଥାନରେ ସ୍ୱଳ୍ପ ବର୍ଷା ହୋଇପାରେ । ୧୩ରୁ ୧୫ ତାରିଖ ମଧ୍ୟମ ବର୍ଷା ସମ୍ଭାବନା  ରହିଛି । ୧୬ ଓ ୧୭ରେ ୫ ଜିଲ୍ଲାରେ  ଅଧିକ ବର୍ଷା ହୋଇପାରେ । ବରିଷ୍ଠ  ପାଣିପାଗ ବିଶେଷଜ୍ଞ ଡ. ସୁରେନ୍ଦ୍ରନାଥ  ପଶୁପାଳକ ଏହି ପୂର୍ବାନୁମାନ କରିଛନ୍ତି । 

ଡ.ପଶୁପାଳକଙ୍କ ଆକଳନ  ଅନୁସାରେ, ସୃଷ୍ଟି ହୋଇଥିବା ଲଘୁଚାପ ୯ ଓ ୧୦ରେ ଅବପାତ ରୂପ ନେବାର ସମ୍ଭାବନା ରହିଛି । ଲଘୁଚାପର ସିଧା  ପ୍ରଭାବ ଓଡ଼ିଶାରେ ପଡ଼ିବ ନାହିଁ ।  କିନ୍ତୁ ଏହା ଦ୍ୱାରା ରାଜ୍ୟକୁ ସାମୁଦ୍ରିକ ପବନ ବହିବ । ଉପକୂଳ ଓଡ଼ିଶା ଓ ସଂଲଗ୍ନ ଜିଲ୍ଲାରେ କିଛି ସ୍ଥାନରେ  କାଳବୈଶାଖୀ ସମ୍ଭାବନା ରହିଛି । ୧୦ ତାରିଖରେ ଗୋଟିଏ କିମ୍ବା  ୨ଟି ସ୍ଥାନରେ ହାଲୁକା ବର୍ଷା ହେବ ।  ୧୩ରୁ ୧୫ ମଧ୍ୟରେ ଉତ୍ତର ଉପକୂଳ  ଓ ସଂଲଗ୍ନ ଯାଜପୁର, କେନ୍ଦୁଝର,  ମୟୂରଭଞ୍ଜରେ ସ୍ୱଳ୍ପ ଓ କେତେକ  ସ୍ଥାନରେ ମଧ୍ୟମ ବର୍ଷା ହୋଇପାରେ ।  

ସେହିପରି ୧୬ ଓ ୧୭ ତାରିଖରେ  ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା,  ଯାଜପୁର, ମୟୂରଭଞ୍ଜରେ ଅପେକ୍ଷାକୃତ  ଅଧିକ ବର୍ଷା ଓ ଦକ୍ଷିଣ ଆଭ୍ୟନ୍ତରଣରେ  କାଁ ଭାଁ ବର୍ଷା ହୋଇପାରେ ।  ଅନେକ ସ୍ଥାନରେ ୮ ଓ ୯ ତାରିଖରେ  ତାପମାତ୍ରା ୧ରୁ ୨ ଡିଗ୍ରୀ ସେଲସିୟସ  ବଢ଼ିବ । ୧୦ରେ ଅଳ୍ପ ସ୍ଥାନରେ କମିବ । ବଲାଙ୍ଗିର, କଳାହାଣ୍ଡି, ସୋନପୁର,  ସୁନ୍ଦରଗଡ଼ରେ ତାପମାତ୍ରା ୪୦ ଡିଗ୍ରୀ  ଉପରେ ରହିବ । ୧୪ ତାରିଖ ଅର୍ଥାତ୍‌  ପଣା ସଂକ୍ରାନ୍ତିଠାରୁ ରାଜ୍ୟରେ ତାପମାତ୍ରା  କମିପାରେ । ଉପକୂଳରେ ଗୁଳଗୁଳି  ବଢ଼ିବ । ୧୩ ଓ ୧୪ରେ ଉତ୍ତର ଉପକୂଳ  ଓ ସଂଲଗ୍ନ ଅଞ୍ଚଳରେ ଗୋଟିଏ କିମ୍ବା ଦୁଇଟି  ସ୍ଥାନରେ କୁଆପଥର ବର୍ଷା ହୋଇପାରେ । 

ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର  ଅନୁଯାୟୀ, ସୋମବାର ରାଜ୍ୟରେ ୧୧ଟି ସହରର  ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସ  ଉପରେ ରହିଥିଲା । ଅନୁଗୁଳ ସର୍ବାଧିକ  ତାପମାତ୍ରା ୪୨.୭ ଡିଗ୍ରୀ ରେକର୍ଡ  ହୋଇଛି । ବୌଦ୍ଧରେ ୪୧.୮ ଡିଗ୍ରୀ,  ଝାରସୁଗୁଡ଼ା ୪୧.୬, ଟିଟିଲାଗଡ଼ରେ  ୪୧.୫, ସୋନପୁର ୪୧.୪, ବଲାଙ୍ଗିର  ୪୧.୨, ସମ୍ବଲପୁରରେ ୪୦, ହୀରାକୁଦ  ୪୦.୩, ଭବାନୀପାଟଣା ୪୦.୫, ପାରଳାଖେମୁଣ୍ଡି ୪୦, ନୂଆପଡ଼ା ୪୦.୫  ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।  ଭୁବନେଶ୍ୱରରେ ସର୍ବୋଚ୍ଚ ତାପମାତ୍ରା  ୩୬.୮ ଡିଗ୍ରୀ ରେକର୍ଡ ହୋଇଛି । 

୯ ତାରିଖରୁ ରାଜ୍ୟର ବାଲେଶ୍ୱର,  ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା,  କଟକ, ଜଗତସିଂହପୁର, ପୁରୀ,  ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି,  ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ରାୟଗଡ଼ା, କୋରାପୁଟ, ମାଲକାନାଗିରି,  ନବରଙ୍ଗପୁରର ଗୋଟିଏ କିମ୍ବା ଦୁଇଟି  ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର  ବର୍ଷା ସମ୍ଭାବନା ରହିଛି । ବଜ୍ରପାତ  ସାଙ୍ଗକୁ ୩୦ରୁ ୪୦ କିଲୋମିଟର  ବେଗରେ ପବନ ବହିବାର ସମ୍ଭାବନା ଅଛି । ଏସବୁ ଜିଲ୍ଲାକୁ ୱେଲୋ ୱାର୍ଣ୍ଣିଂ  ଦେଇଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।