ଭୁବନେଶ୍ୱର,୧୮/୧୦: ଏଥର  ଉତ୍ତର ଭାରତରେ ପ୍ରବଳ ଶୀତ ହେବ ବୋଲି  ବିଭିନ୍ନ ପାଣିପାଗ ମଡେଲ ଆକଳନ କରିଛନ୍ତି ।  ଲା-ନିନା ପ୍ରଭାବରେ ଭାରତରେ ପ୍ରଚଣ୍ଡ ଶୀତ ହେବ ବୋଲି ସ୍କାଏ ମେଟ୍‌ ପୂର୍ବାନୁମାନ କରିଛି । ଏ ବର୍ଷ ଡିସେମ୍ବରରୁ ଫେବ୍ରୁଆରୀ ମାସ ଯାଏ ପୂର୍ବ ଭାରତରେ ଶୀତର ପ୍ରକୋପ ବିଶେଷ  ରହିବନି ବୋଲି କଲମ୍ବିଆର ଏକ ବିଶ୍ୱବିଦ୍ୟାଳୟ  ପୂର୍ବରୁ ଆକଳନ କରିଥିଲା । ଲା- ନିନା ପ୍ରଭାବ  ସତ୍ତେ୍ୱ ବିଶ୍ୱର ଅଧିକାଂଶ ସ୍ଥାନରେ ତାପମାତ୍ରା  ସ୍ୱାଭାବିକଠାରୁ ଅଧିକ ରହିବ ବୋଲି ବିଶ୍ୱ ପାଣିପାଗ  ସଂସ୍ଥା କହିଥିଲା । ଏଣୁ ଆଗକୁ ଦେଶ ଓ ରାଜ୍ୟରେ  ଶୀତ ପୂର୍ବାନୁମାନକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି ।

ଏହି ଦ୍ୱନ୍ଦ୍ୱ ଭିତରେ ବରିଷ୍ଠ କୃଷି ପାଣିପାଗବିତ୍‌  ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି,  ଡିସେମ୍ବର ଓ ଜାନୁୟାରୀ ମାସରେ କିଛି ଦିନ ପାଇଁ  ସ୍ୱଳ୍ପ ଅବଧିର ଅବଧିର ଶୀତ ଲହରି ଅନୁଭୂତ ହୋଇପାରେ । ।  ଉପକୂଳରେ ଶୀତ କମିବ । କିନ୍ତୁ ଆଭ୍ୟନ୍ତରୀଣ  ଓଡ଼ିଶା ସମେତ ଶୀତପ୍ରବଣ ଅଞ୍ଚଳରେ ଥଣ୍ଡା  ସ୍ୱାଭାବିକ ରହିବ । ଏ ବର୍ଷ ରାଜ୍ୟରେ କମ୍‌ ଶୀତ ହୋଇପାରେ ବୋଲି ସେ ପୂର୍ବାନୁମାନ କରିଛନ୍ତି ।  ରାଜ୍ୟକୁ ବିଳମ୍ବରେ ଶୀତ ଆସିବ ଓ କମ୍‌ ଶୀତ  ଅନୁଭୂତ ହେବ । ଡିସେମ୍ବର ମାସ ଆରମ୍ଭ ଯାଏ  ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ ।  

ଶୀତ କମିବାର କାରଣ ଦର୍ଶାଇ ସେ କହିଛନ୍ତି,  ଉତ୍ତର-ପୂର୍ବ ପବନ ବହିବାରୁ ଆର୍ଦ୍ରତା ଅଧିକ  ରହିବ । ମେଘୁଆ ପାଗ ବଢ଼ିବ । ଉତ୍ତର ଭାରତରୁ  ଥଣ୍ଡା ପବନ ଆସିବା ବାଧାପ୍ରାପ୍ତ ହୋଇପାରେ ।  ପୁଣି ପଶ୍ଚିମା ଝଡ଼ର ପ୍ରଭାବ ଅଧିକ ରହିବା  ଯୋଗୁ ପାଗ ମେଘୁଆ ରହିବା ସହ ବର୍ଷା ହେବ ।  ଦିନ ସମୟର ତାପମାତ୍ରା ସ୍ୱାଭାବିକ ଭାବେ କମ୍‌  ରହିବ । କୋହଲା ପାଗ ଅଧିକ ରହିବା ସହ ଶୀତ  କମ୍‌ ରହିବ ବୋଲି ସେ କହିଛନ୍ତି । ଅକ୍ଟୋବରରୁ  ଇଏନଏସଓ ଲା- ନିନା ଅବସ୍ଥାକୁ ଆସିଯାଇଛି ।  ବିଷୁବ ମଣ୍ଡଳୀୟ କେନ୍ଦ୍ରୀୟ ପ୍ରଶାନ୍ତ ମହାସାଗରରେ  ଜଳପତ୍ତନ ତାପମାତ୍ରା ସ୍ୱାଭାବିକଠାରୁ ୦.୫ ଡିଗ୍ରୀରୁ  ଅଧିକ କମିଛି । ଏଥରର ଶୀତ ଚାରି ମାସ ଲା- ନିନା  ଅବସ୍ଥାରେ ରହିବ । ଏହା ଦୁର୍ବଳ ରହିବା ସହିତ  ଆସନ୍ତା ଫେବ୍ରୁଆରୀ ମାସରେ ପୁଣି ସ୍ୱାଭାବିକ  ଅବସ୍ଥାକୁ ଫେରିବ ବୋଲି ସେ ଆକଳନ କରିଛନ୍ତି ।

ଲା- ନିନା ବର୍ଷରେ ଶୀତ ସ୍ୱାଭାବିକ ଭାବେ ଅଧିକ ହୁଏ । କିନ୍ତୁ ସବୁଆଡ଼େ ଶୀତର ପ୍ରଭାବ  ରହେନି । ଅଧିକ ଥଣ୍ଡା ଅଞ୍ଚଳରେ ଶୀତର ପ୍ରକୋପ  ସ୍ୱାଭାବିକଠାରୁ ଅଧିକ ରହିପାରେ । ନଭେମ୍ବର ଓ  ଡିସେମ୍ବର ମାସରେ ପଶ୍ଚିମ ହିମାଳୟ ଓ ସଂଲଗ୍ନ  ଗଞ୍ଜାମ, ଜାମ୍ମୁକଶ୍ମୀର, ଉତ୍ତରାଖଣ୍ଡ, ହିମାଚଳ  ପ୍ରଦେଶ, ପାକିସ୍ତାନ ଓ ସଂଲଗ୍ନ ଅଞ୍ଚଳରେ ତାପମାତ୍ରା ବହୁତ କମିପାରେ ।