ଭୁବନେଶ୍ୱର,୨୭/୭: ସୋମବାର ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା  ହୋଇପାରେ । ଅବପାତ ପ୍ରଭାବରେ ବାଦଲ ଫଟା ବର୍ଷା ଆଶଙ୍କା ଅଛି । ଲଗାଣ ବର୍ଷା  ଯୋଗୁ ୨୭ ଜିଲ୍ଲାରେ  ଆକସ୍ମିକ ବନ୍ୟା(ଫ୍ଲାସ୍‌  ଫ୍ଲଡ୍‌) ସ୍ଥିତି ସୃଷ୍ଟି ହୋଇପାରେ । ୨୯  ତାରିଖ ଯାଏ ରାଜ୍ୟରେ ବର୍ଷା ଲାଗି ରହିବ । ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି)  ଏଭଳି ସତର୍କ କରାଇଛି ।  

ଉତ୍ତର ପଶ୍ଚିମ ବଙ୍ଗୋପସାଗର  ଓ ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ  ଉପକୂଳରେ  ଅବପାତ ସୃଷ୍ଟି  ହୋଇଛି । ଏହା ଘନୀଭୂତ ହୋଇ ଆହୁରି  ବଳୁଆ ହେବ । ସୋମବାର ଗଭୀର ଅବପାତ ରୂପ ନେବ । ସୋମବାର ସକାଳରୁ  ଦିନ ୧୨ଟା ଭିତରେ ଏହା ପାରାଦୀପ ଓ  ସାଗର ଦ୍ୱୀପ ମଝିରେ ଅତିକ୍ରମ କରିବ  ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ  କରିଛି । ୧ ତାରିଖ ଯାଏ ରାଜ୍ୟର ବହୁ  ସ୍ଥାନରେ ଭାରି ବର୍ଷା ହୋଇପାରେ । ତେବେ  ୨୯ ତାରିଖ ଯାଏ ବିସ୍ତୃତ ଅଞ୍ଚଳରେ ପ୍ରବଳ  ବର୍ଷା ହେବ ବୋଲି ଆକଳନ କରାଯାଇଛି ।   ପ୍ରବଳ ବର୍ଷା ଆଶଙ୍କାରେ କେନ୍ଦ୍ରାପଡ଼ା,  ଜଗତସିଂହପୁର ଓ ମୟୂରଭଞ୍ଜରେ ସବୁ ସ୍କୁଲ  ଓ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରାଯାଇଛି ।  

​​​​​​​ଅଧିକ ପଢ଼ନ୍ତୁ :-  Sushant Singh: ଆଉ ନାହାନ୍ତି ବିଜେଡ଼ିର ଟାଣୁଆ ନେତା ସୁଶାନ୍ତ ସିଂହ, ରାଜନୈତିକ ମହଲରେ ଶୋକର ଛାୟା

ଜଗତସିଂହପୁର ବିରିଡ଼ିରେ ସର୍ବାଧିକ  ୩୨୮ମିମି ବର୍ଷା ଢାଳିଛି । ସମ୍ବଲପୁର  ଯୁଯୁମରାରେ ୨୭୫ମିମି, ନାକଟିଦେଉଳରେ  ୧୪୫, ବାଟଗାଁରେ ୧୨୦, ରେଢାଖୋଲରେ  ୧୨୯, ଖୋର୍ଦ୍ଧା ବାଲିପାଟଣାରେ ୧୨୫,  ବରଗଡ଼ ଗାଇସିଲଟରେ ୧୧୪,  ବଲାଙ୍ଗିର ସାଲେଭଟାରେ ୧୧୪,  ଜଗତ୍‌ସିଂହପୁର ଆଳିପିଙ୍ଗଳରେ ୧୧୩,  ବରଗଡ଼ ଝାରବନ୍ଧରେ ୧୧୨, କେନ୍ଦ୍ରାପଡ଼ା ରାଜକନିକାରେ ୧୦୮ ଓ ଯାଜପୁର ବରୀରେ  ୧୦୦ ମିମି ବର୍ଷା ରେକର୍ଡ ହୋଇଛି ।  

ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ  ଜିଲ୍ଲାକୁ ରେଡ୍‌ ୱାଣ୍ଣି ର୍ଂ ଦିଆଯାଇଛି ।  ଉପକୂଳ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାର  ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତିପ୍ରବଳ  ବର୍ଷା ହୋଇପାରେ । ଦକ୍ଷିଣ ଓଡ଼ିଶା  ଓ ଉପକୂଳ ଓଡ଼ିଶାର ବହୁ ଜିଲ୍ଲାରେ  ଭାରି ବର୍ଷା ଆଶଙ୍କା ଅଛି । ସମୁଦ୍ର  ଅଶାନ୍ତ ଥିବାରୁ ଆସନ୍ତା ୨୯ ତାରିଖ ଯାଏ  ସମୁଦ୍ରକୁ ନ ଯିବାକୁ ସତର୍କ କରାଯାଇଛି ।   ପ୍ରବଳ ବର୍ଷା କାରଣରୁ ନରାଜଠାରେ  ମହାନଦୀର ଜଳସ୍ତର ୨୯.୯୫ ମିଟର  ରହିଛି । ଜେନାପୁରଠାରେ ବ୍ରାହ୍ମଣୀ ନଦୀର  ଜଳସ୍ତର ବଢ଼ୁଛି । ଏଠାରେ ଜଳସ୍ତର  ରହିଛି ୧୮.୩୪ ମିଟର । ଆଖୁଆପଦାରେ ବୈତରଣୀର ଜଳସ୍ତର ୧୭.୨୨ ମିଟର ଅଛି ।