ଭୁବନେଶ୍ୱର,୨୪/୦୭:  ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନ  ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଗୁରୁବାର  ଉତ୍ତର ବଙ୍ଗୋପସାଗରରେ ଲଘୁଚାପ  ସୃଷ୍ଟି ହୋଇପାରେ । ଏହା ପ୍ରଭାବରେ  ଆସନ୍ତା ଦୁଇ ଦିନ ରାଜ୍ୟରେ ପ୍ରବଳ  ବର୍ଷା ହେବ । କିଛି ସ୍ଥାନରେ ଅତିପ୍ରବଳ  ବର୍ଷା ହେବ । ପାଣିପାଗ ବିଭାଗ  (ଆଇଏମ୍‌ଡି) ଏହି ପୂର୍ବାନୁମାନ କରିଛି । 

ଗୁରୁବାର ମୟୂରଭଞ୍ଜ, କେନ୍ଦୁଝର,  ମାଲକାନଗିରି ଓ କୋରାପୁଟରେ  ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା  ଅଛି । ଏହି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ସୁନ୍ଦରଗଡ଼,  ଦେବଗଡ଼, ବାଲେଶ୍ୱର, ଭଦ୍ରକ,  କେନ୍ଦ୍ରାପଡ଼ା, ଯାଜପୁର, ଢେଙ୍କାନାଳ  ଓ ଅନୁଗୁଳରେ ମଧ୍ୟ ପ୍ରବଳ ବର୍ଷା ହୋଇପାରେ । ଉପକୂଳ ଓଡ଼ିଶା ଓ  ଦକ୍ଷିଣ ଓଡ଼ିଶାର ଗୋଟିଏ ବା ଦୁଇଟି  ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା  ସମ୍ଭାବନା ଅଛି।

ଶୁକ୍ରବାର (୨୫ ତାରିଖ) ମୟୂରଭଞ୍ଜ ଓ କେନ୍ଦୁଝରରେ  ଅତି ଭୀଷଣ ବର୍ଷା ହୋଇପାରେ । ଏହି ଦୁଇ ଜିଲ୍ଲାକୁ  ରେଡ୍‌ ୱାର୍ଣ୍ଣିଂ ଦିଆଯାଇଛି । ବାଲେଶ୍ୱର, ଭଦ୍ରକ,  ଯାଜପୁର, ଅନୁଗୁଳ, ଢେଙ୍କାନାଳ, କେନ୍ଦ୍ରାପଡ଼ା,  ଜଗତସିଂହପୁର ଓ ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ପାଇଁ  ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଆଭ୍ୟନ୍ତରୀଣ ଓଡ଼ିଶାର  ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ଆକଳନ  କରାଯାଇଛି । ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଘଡ଼ଘଡ଼ି  ସହ ବର୍ଷା ହୋଇପାରେ ।

 ଶନିବାର (୨୬ ତାରିଖ) ମୟୂରଭଞ୍ଜ, କେନ୍ଦୁଝର  ଓ ସୁନ୍ଦରଗଡ଼ରେ ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା  ଅଛି । ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛି  ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ୨୭ ତାରିଖରେ  ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ଭାରି ବର୍ଷା ଆଶଙ୍କା  ଅଛି । ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ  ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି  ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି । 

ବୁଧବାର ଭୁବନେଶ୍ୱରରେ ପ୍ରବଳ ବର୍ଷା  ହୋଇଛି । ଦାରିଙ୍ଗିବାଡ଼ିରେ ୬୨ମିମି, ଛତ୍ରପୁରରେ  ୪୨.୬, ଖୋର୍ଦ୍ଧାରେ ୨୧, ପାରଳାଖେମୁଣ୍ଡିରେ ୨୦.୪,  ରାୟଗଡ଼ାରେ ୧୭.୪, ପୁରୀରେ ୧୧.୮, କଟକ  ଓ ଗୋପାଳପୁରରେ ୫.୨, ଟିଟିଲାଗଡ଼ରେ ୫,  ମାଲକାନଗିରିରେ ୩.୨ମିମି ବର୍ଷା ରେକର୍ଡ ହୋଇଛି ।