ଭୁବନେଶ୍ୱର,୨୮/୦୮: ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ସ୍ପଷ୍ଟ ଚିହ୍ନିତ ଲଘୁଚାପ ହୋଇ  ରହିଛି । ୨୪ ଘଣ୍ଟାରେ ଏହା ପଶ୍ଚିମ- ଉତ୍ତର ପଶ୍ଚିମ ଦିଗରେ ମୁହାଁଇବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ତେବେ ୩ ତାରିଖରେ ପୁଣି ଗୋଟିଏ ଲଘୁଚାପ ସୃଷ୍ଟି ହେବ । ଏହା ବିଶେଷ ବଳୁଆ ହେବନି ବୋଲି  ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ  ପଶୁପାଳକ ଆକଳନ କରିଛନ୍ତି । 

ପ୍ରଫେସର ପଶୁପାଳକ କହିଛନ୍ତି, ଓଡ଼ିଶା ସଂଲଗ୍ନ  ବଙ୍ଗୋପସାଗରରେ ଥିବା ଲଘୁଚାପ ଶୁକ୍ରବାର  ଛତିଶଗଡ଼ରେ ପହଞ୍ଚିପାରେ । ୨୮ ତାରିଖ କିଛି ସ୍ଥାନରେ ବର୍ଷା ହୋଇପାରେ । ୨୯ ତାରିଖ କେନ୍ଦ୍ରୀୟ ଓ ଉତ୍ତର  ଓଡ଼ିଶାରେ ସ୍ୱଳ୍ପ ବର୍ଷା ହୋଇପାରେ । ୩୦ ତାରିଖରେ  ଉତ୍ତର ଓ ପଶ୍ଚିମ ଓଡ଼ିଶା, ୩୧ରେ ଅଧିକାଂଶ ସ୍ଥାନରେ ସ୍ୱଳ୍ପ ବର୍ଷା ହେବ । କିଛି ସ୍ଥାନରେ ମଧ୍ୟମ ଧରଣର ( ୩୫  ମିମି ପର୍ଯ୍ୟନ୍ତ) ବର୍ଷା ସମ୍ଭାବନା ଅଛି । ୩୧ ତାରିଖ ଯାଏ  ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ନାହିଁ । ବୁଧବାର ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ପ୍ରବଳ  ବର୍ଷା ହୋଇଛି । 

ଗୁରୁବାର ନବରଙ୍ଗପୁର, କଳାହାଣ୍ଡି,  ବଲାଙ୍ଗୀର, ନୂଆପଡ଼ା ଓ ବରଗଡ଼ର ବିକ୍ଷିପ୍ତ ସ୍ଥାନରେ  ଅଧିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ  କରିଛି । ୨୯ ଓ ୩୦ ତାରିଖରେ ପଶ୍ଚିମ ଓଡ଼ିଶାର କିଛି  ସ୍ଥାନରେ ବର୍ଷା ହୋଇପାରେ ।

 ପାରଳାଖେମୁଣ୍ଡିରେ ୧୮ମିମି, କୋରାପୁଟରେ ୧୦.୨  ଓ ଭୁବନେଶ୍ୱରରେ ୧୨.୪ ମିମି ବର୍ଷା ହୋଇଛି । ୨୪ ଘଣ୍ଟା  ଭିତରେ କୋରାପୁଟରେ ୧୧୮.୪ ମିମି, ମାଲକାନଗିରିରେ  ୯୦.୬, ନବରଙ୍ଗପୁରରେ ୬୪.୪, ଛତ୍ରପୁରରେ ୪୫.୪,  ଦାରିଙ୍ଗିବାଡ଼ିରେ ୨୨ ଓ ରାୟଗଡ଼ାରେ ୧୭ ମିମି ବର୍ଷା ହୋଇଛି ।