ଭୁବନେଶ୍ୱର,୦୫/୦୮: ଆସନ୍ତା  ୧୪ ତାରିଖରୁ ରାଜ୍ୟରେ ଲଘୁଚାପ ବର୍ଷା ହୋଇପାରେ । ୧୩ ତାରିଖରେ ଏକ ଘୂର୍ଣ୍ଣିବଳୟ  ସୃଷ୍ଟି ହେବ । ପରେ ଏହା ଲଘୁଚାପ ରୂପ ନେବ । ଏହାର ପ୍ରଭାବରେ ୧୭ ତାରିଖ ଯାଏ  ପ୍ରବଳ ବର୍ଷା ଲାଗି ରହିବ । ବରିଷ୍ଠ ପାଣିପାଗ  ବିଶେଷଜ୍ଞ ପ୍ରଫେସର ଡ. ସୁରେନ୍ଦ୍ରନାଥ  ପଶୁପାଳକ ଏହି ପୂର୍ବାନୁମାନ କରିଛନ୍ତି । ରାଜ୍ୟରେ ଏବେ ମୌସୁମୀ ନିଷ୍କ୍ରିୟ ଅଛି ।  ଆସନ୍ତା ୧୩ ତାରିଖରେ ଓଡ଼ିଶା ସଂଲଗ୍ନ ଉତ୍ତର  ପଶ୍ଚିମ ବଙ୍ଗୋପସାଗର ବା ଏହାର ଦକ୍ଷିଣରେ  ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ପରବର୍ତ୍ତୀ  ୨୪ରୁ ୪୮ ଘଣ୍ଟାରେ ଏହା ଲଘୁଚାପ ରୂପ  ନେବ । ଏହା ବର୍ଷା କରାଇବ । କେନ୍ଦ୍ରୀୟ  ଓଡ଼ିଶା ଓ ଦକ୍ଷିଣ ଉପକୂଳରେ ମଧ୍ୟମ  ପରିମାଣର ବର୍ଷା ହୋଇପାରେ । ପଶ୍ଚିମ  ଓଡ଼ିଶାରେ ପ୍ରବଳ ବର୍ଷା ହେବ । ଦକ୍ଷିଣ  ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା ଅଛି । 

ବଙ୍ଗୋପସାଗରୀୟ ଲଘୁଚାପ ବା ମୌସୁମୀ  ଟ୍ରଫ୍‌ ଠିକ୍‌ ସ୍ଥାନରେ ସ୍ଥାନିତ ହେଲେ ରାଜ୍ୟରେ  ଭଲ ବର୍ଷା ହୋଇଥାଏ । କିନ୍ତୁ ବର୍ତ୍ତମାନ ମୌସୁମୀ ଟ୍ରଫ୍‌ ଉତ୍ତରାଭିମୁଖୀ ହୋଇଛି ।  ଏବେ ହିମାଳୟ ଅଞ୍ଚଳରେ ବର୍ଷା ହେଉଛି । ୧୪  ତାରିଖ ଭିତରେ ବଙ୍ଗୋସାଗରରେ ଲଘୁଚାପ ସୃଷ୍ଟିର ସମ୍ଭାବନା ନାହିଁ । ଆସନ୍ତା ୧୦  ଦିନ ଯାଏ କେବଳ ପରିଚଳନ ଜନିତ ସ୍ୱଳ୍ପ ବର୍ଷା  ହୋଇପାରେ । ବିସ୍ତୃତ ଅଞ୍ଚଳରେ ଅଧିକ ବର୍ଷା ସମ୍ଭାବନା  ନାହିଁ ବୋଲି ଡ. ପଶୁପାଳକ ପୂର୍ବାନୁମାନ କରିଛନ୍ତି । 

ରାଜ୍ୟର ସବୁ ସ୍ଥାନରେ ପର୍ଯ୍ୟାପ୍ତ ପରିମାଣର  ବର୍ଷା ହେଉନଥିବାରୁ ଅନେକ ସ୍ଥାନରେ ତଳି ରୁଆ ହୋଇପାରୁନି । ୬ ଓ ୭ ତାରିଖରେ ସ୍ୱଳ୍ପ ବର୍ଷା ଯୋଗୁ  କିଛି ସ୍ଥାନରେ ତଳି ବଞ୍ଚିଯିବ । ଜନ୍ମାଷ୍ଟମୀ ପରେ ବାକି  ଥିବା ରୁଆ, ବେଉଷଣ କରନ୍ତୁ । ଆଗକୁ ସମୟ ଅଛି  ଓ ବର୍ଷା ବି ହେବ। ଚାଷୀମାନେ କୌଣସି ଆଶଙ୍କା  ପ୍ରକାଶ ନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ୬  ତାରିଖରେ କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳ ବର୍ଷା ହୋଇପାରେ । ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ  ଓଡ଼ିଶାରେ ସ୍ୱଳ୍ପ ବର୍ଷା ସମ୍ଭାବନା ଅଛି । ୭ ତାରିଖରେ  କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ସମ୍ବଲପୁର ଓ  ଝାରସୁଗୁଡ଼ାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି  ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।