ଭୁବନେଶ୍ୱର,୧୦/୧୧: ରାଜ୍ୟରେ ରବି ଫସଲ ପାଇଁ ପାଗ ପ୍ରତିକୂଳ ରହିଛି । ଏ ବର୍ଷ ରାଜ୍ୟରେ ଶୀତ ଆସିବାରେ ବିଳମ୍ବ  ହେବ । ପୁଣି ସ୍ୱାଭାବିକଠାରୁ ଅଧିକ ତାତି  ଓ କମ୍‌ ବର୍ଷା ଯୋଗୁ ରବି ଫସଲ ରବି ଫସଲ ପାଇଁ ବାଧକ ସାଜିପାରେ ବୋଲି  ବରିଷ୍ଠ କୃଷି ପାଣିପାଗ ବିଶେଷଜ୍ଞ ପ୍ରଫେସର  ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ  କରିଛନ୍ତି । କମ୍‌ ଅବଧି ଆକଳନ ମଧ୍ୟ  ଅନ୍ୟତମ କାରଣ ବୋଲି ସେ କହିଛନ୍ତି ।   

ପ୍ରଫେସର ଡ. ପଶୁପାଳକଙ୍କ ଆକଳନ  କହୁଛି, ଶୀତ ଦିନରେ ଡାଲିଜାତୀୟ  ଓ ତୈଳବୀଜ ଜାତୀୟ ଫସଲ ସହିତ ପନିପରିବା ଚାଷ ହୁଏ । ରବି ଫସଲ ଭାବେ ଜଳସେଚିତ ଓ ଅଣଜଳସେଚିତ ଜମିରେ  ଏହାକୁ ଚାଷ କରାଯାଏ । ଗତ ଅକ୍ଟୋବର  ମାସ ୧ ତାରିଖରୁ ନଭେମ୍ବର ୯ ତାରିଖ ଯାଏ ରାଜ୍ୟରେ ବର୍ଷା ପରିମାଣ ୪୧% କମ୍‌  ରହିଛି । ବାତ୍ୟା ‘ଦାନା’ ପ୍ରଭାବରେ କିଛି  ଉପକୂଳ ଜିଲ୍ଲାରେ ଭଲ ବର୍ଷା ହୋଇଛି । ପୁଣି କିଛି ଜିଲ୍ଲାରେ ୮୦% ନିଅଣ୍ଟିଆ ବର୍ଷା ହୋଇଛି । ତାପମାତ୍ରା ମଧ୍ୟ ସ୍ୱାଭାବିକଠାରୁ  ଅଧିକ ରହୁଛି । ଉପକୂଳ ଓ ପଶ୍ଚିମ  ଓଡ଼ିଶାରେ ସର୍ବାଧିକ ତାପମାତ୍ରା ୩୩ରୁ ୩୫  ଡିଗ୍ରୀ ଭିତରେ ରହୁଥିବାବେଳେ ଅଳ୍ପ କିଛି  ସ୍ଥାନରେ ଏହା ସର୍ବନିମ୍ନ ତାପମାତ୍ରା ୨୦ଡିଗ୍ରୀ  ତଳେ ରହିଛି 

ତାପମାତ୍ରା ୨୦ଡିଗ୍ରୀରୁ କମ୍‌ ନ ହେଲେ  ଗଛରେ ଆଳୁ ଧରେନି । ସର୍ବନିମ୍ନ ତାପମାତ୍ରା  ୧୫ ଡିଗ୍ରୀ ସେଲସିୟସ୍‌ ଥିଲେ ଏହା ଆଳୁ  ଫସଲ ପାଇଁ ଉପଯୁକ୍ତ । ତାପମାତ୍ରା ଅଧିକ  ରହିଲେ ଛୋଟ ଆଳୁ ବାହାରେ ଓ ଉତ୍ପାଦନ  ବି କମିଯାଏ । ଏବେ ଆଳୁ ଫସଲ ପାଇଁ  ଅନୁକୂଳ ପାଗ ସୃଷ୍ଟି ହୋଇନି । ସେହିଭଳି  ଅକ୍ଟୋବର ମାସ ପରେ ପିଆଜ ଲଗାଯାଏ ।  ପାଣିପାଗ ବିଭାଗର ଆକଳନ ଅନୁସାରେ  ଆସନ୍ତା ୧୦ଦିନ ଯାଏ ଦକ୍ଷିଣ ଓଡ଼ିଶାରେ  ତାପମାତ୍ରା ବିଶେଷ ବଦଳିବନି ।   

ସେହିଭଳି ମୁଗ, ବିରି, ସୋରିଷକୁ ରବି  ଫସଲ ଭାବେ ଚାଷ କରାଯାଏ । ପଶ୍ଚିମ  ଓଡ଼ିଶାରେ ଚଣା ଏକ ପ୍ରମୁଖ ରବି ଫସଲ ।  କମ୍‌ ବର୍ଷା ଓ ତାପମାତ୍ରାଜନିତ ବାଷ୍ପୀକରଣ  ଅଧିକ ଯୋଗୁ ଅଧିକ ପାଣି ଆବଶ୍ୟକତା  ହେଉଛି । ଫଳରେ ଏ ସବୁ ଚାଷ କଲେ  ଗଛ ବଢ଼ିବା ପ୍ରଭାବିତ ହେବ । ଫୁଲ ଓ ଛୁଇଁ  ଧରିବା ମଧ୍ୟ କମିବ ବୋଲି ସେ କହିଛନ୍ତି ।   ଶୀତ ଦିନରେ ଟମାଟୋ ଓ ବିନସ୍‌ ସହିତ  କୋବି ଜାତୀୟ ଓ ଅନ୍ୟ ଫସଲ ଲଗାଯାଏ ।  ଏ ସବୁ ଚାଷ ପାଇଁ ଜଳସେଚନର ସୁବିଧା  ଥିବା ଦରକାର । ପୁଣି ରୋଗ ଓ ପୋକର  ପ୍ରାର୍ଦୁଭାବ ବଢ଼ିବାର ଆଶଙ୍କା ଅଛି । ଫଳରେ  ଅମଳ କମିବା ସହ ପନିପରିବାର ମାନ  କମିବ ବୋଲି ସେ ଆକଳନ କରିଛନ୍ତି ।   

ଶୀତ ଦିନରେ କାକର ପଡ଼ିଲେ ଏହା ରବି  ଫସଲ ପାଇଁ ପ୍ରାକୃତିକ ଭାବେ ଜଳୀୟ ଉତ୍ସର  ଆବଶ୍ୟକତା ପୂରା କରେ । ଏବେ ରାତି  ତାପମାତ୍ରା ଯେତିକି ରହୁଛି ତାହା କାକର  ସୃଷ୍ଟି ପାଇଁ ଅନୁକୂଳ ହେଉନି । ଆସନ୍ତା  ସପ୍ତାହରେ ବି କାକର ପଡ଼ିବା ବା କୁହୁଡ଼ି  ହେବାର ସମ୍ଭାବନା କ୍ୱଚିତ୍‌ । ଏଥିପାଇଁ  ରବି ଫସଲ ପ୍ରଭାବିତ ହୋଇପାରେ ।  ତୁରନ୍ତ କେନାଲ ଜଳସେଚନ ପାଇଁ ଆରମ୍ଭ  କରିବାକୁ ସେ ପରାମର୍ଶ ଦେଇଛନ୍ତି