ଭୁବନେଶ୍ୱର,୦୩/୦୨: ଫେବ୍ରୁଆରୀ ମାସ ଆରମ୍ଭରୁ ଅସମ୍ଭାଳ କଲାଣି ତାତି । ଆଗକୁ ଆହୁରି ବଢ଼ିବ । ରାତିରେ ଆଉ ଶୀତ ଅନୁଭୂତ ହେବନି । ପାଣିପାଗ ବିଶେଷଜ୍ଞ ଏଭଳି  ପୂର୍ବାନୁମାନ କରିଛନ୍ତି । 

ଚଳିତ ବର୍ଷ ପ୍ରଥମ ଥର ପାଇଁ ତାପମାତ୍ରା ୩୬ ଡିଗ୍ରୀ ପାର୍‌ କରିଛି । ରବିବାର ବଲାଙ୍ଗିରରେ  ତାତି ୩୬.୭ ଡିଗ୍ରୀ ସେଲସିୟସ୍‌  ରେକର୍ଡ ହୋଇଛି । ଟିଟିଲାଗଡ଼ରେ  ୩୬, ପାରଳାଖେମୁଣ୍ଡିରେ  ୩୫.୮, ଝାରସୁଗୁଡ଼ାରେ  ୩୫.୬, ସମ୍ବଲପୁରରେ ୩୫.୧  ଓ ଭବାନୀପାଟଣାରେ ୩୫ ଡିଗ୍ରୀ  ରେକର୍ଡ ହୋଇଛି । ଶନିବାର  ଭୁବନେଶ୍ୱରରେ ତାତି ୩୩.୬  ଡିଗ୍ରୀ ଥିଲା । ଆଜି ଏହା ୩୪.୯  ଡିଗ୍ରୀକୁ ବଢ଼ିଛି । ସୋଆ ଜଳବାୟୁ  ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ  ଡ. ଶରତ ସାହୁ ଆକଳନ କରି  କହିଛନ୍ତି, ତାପମାତ୍ରା ଅଧିକ  ରହିବା ଯୋଗୁ ଦିନରେ ଗରମ ଅନୁଭୂତ ହେବ । ରାତିରେ  ପାଣିପାଗ ସ୍ଥିତି ଆରାମଦାୟକ  ରହିବ । ଦିନ ତାପମାତ୍ରା ବଢ଼ିବା, କମିବା ଜାରି ରହିବ । 

୫ ତାରିଖରେ ତାତି ଅଧିକ ହେବ । ୬ ତାରିଖରୁ  ତାତି ସାମାନ୍ୟ କମିବ । କିନ୍ତୁ ଶୀତ ଆଉ ଫେରିବନି  ବୋଲି ସେ କହିଛନ୍ତି । ନୂଆପଡ଼ାରେ ରାତି ତାପମାତ୍ରା  ୧୫ ଡିଗ୍ରୀ ଥିଲା । ପାରାଦୀପରେ ୨୩ ଡିଗ୍ରୀ ରେକର୍ଡ  ହୋଇଥିଲା । ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୧୮ ଡିଗ୍ରୀ ଉପରେ ରହିବା ଯୋଗୁ ଶୀତ ଅନୁଭୂତ  ହୋଇ ନଥିଲା ।