ପ୍ରମୂଖ ଖବର
  • ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ, ବରମୁଣ୍ଡାରେ ସମ୍ବିଧାନ ବଞ୍ଚାଅ ସମାବେଶ, ଉତ୍ସାହରେ ଉଚ୍ଛୁଳୁଛି କଂଗ୍ରେସ
  • ||
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

ଆସନ୍ତା ୩ ଦିନ ପ୍ରବଳ ବର୍ଷିବ, ୮ରୁ ଉପକୂଳରେ କମିବ: ଆଜି ୨ ଜିଲ୍ଲାକୁ ଅରେଞ୍ଜ,୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

Published By : Prameya | July 6, 2025 7:27 AM

ଭୁବନେଶ୍ୱର,୬/୦୭: ଆସନ୍ତା ତିନି ଦିନ ରାଜ୍ୟରେ  ଅଧିକ ବର୍ଷା ସମ୍ଭାବନା ରହିଛି । କିନ୍ତୁ ୮ ତାରିଖରୁ ଉପକୂଳ  ଓଡ଼ିଶାରେ ବର୍ଷା କମିଯିବ। ୧୨ ତାରିଖ ଯାଏ କାଁ ଭାଁ ବର୍ଷା  ହୋଇପାରେ । ବରିଷ୍ଠ କୃଷି ପାଣିପାଗବିତ୍‌ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଏହି ପୂର୍ବାନୁମାନ କରିଛନ୍ତି। 

ପ୍ରଫେସର ପଶୁପାଳକ କହିଛନ୍ତି, ଭଦ୍ରକଠାରୁ ଗଞ୍ଜାମ ଯାଏ ଉପକୂଳ ଜିଲ୍ଲାରେ ୬ ଓ ୭ ତାରିଖରେ କେତେକ ସ୍ଥାନରେ ସ୍ୱଳ୍ପ ବର୍ଷା ହୋଇପାରେ । ସୁନ୍ଦରଗଡ଼,  ଝାରସୁଗୁଡ଼ା, ସମ୍ବଲପୁର ଓ ଦେବଗଡ଼ରେ ୮ ତାରିଖ  ଯାଏ ମଧ୍ୟମ ପରିମାଣର ବର୍ଷା ହୋଇପାରେ । ୯ ତାରିଖ  ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାର ସମ୍ବଲପୁରରୁ କଳାହାଣ୍ଡି ଯାଏ  ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । ଏବେ ଏକ ଲଘୁଚାପ କ୍ଷେତ୍ର ଝାଡ଼ଖଣ୍ଡର ଧାନବାଦ ଉପରେ ରହିଛି । ୨ରୁ ୩  ଦିନ ଯାଏ ସେହି ପାଖାପାଖି ରହିବ । ଏହାପରେ ପଶ୍ଚିମ ଝାଡ଼ଖଣ୍ଡ ଓ ସଂଲଗ୍ନ ମଧ୍ୟପ୍ରଦେଶ ଉପରେ ଦୁଇ ଦିନ ରହିବ । ପର ଦୁଇ ଦିନ ପ୍ରୟାଗରାଜ ଓ ପାଟଣା  ମଧ୍ୟରେ ରହିବ । ଏହା ପ୍ରଭାବରେ ଉପକୂଳ ଓଡ଼ିଶାରେ ୧୨ ଯାଏ ବର୍ଷା କମ୍‌  ହେବ । କିନ୍ତୁ ଝାଡ଼ଖଣ୍ଡ ଓ ଛତିଶଗଡ଼ ନଦୀର ଉପରମୁଣ୍ଡରେ ବର୍ଷା ହେବ  ବୋଲି ପ୍ରଫେସର ପଶୁପାଳକ ଆକଳନ କରିଛନ୍ତି । 

ଜୁଲାଇରେ ରାଜ୍ୟରେ  ସ୍ୱାଭାବିକ ବର୍ଷା ହେବ । ଅଗଷ୍ଟରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇପାରେ ।  ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ମଧ୍ୟ ସ୍ୱାଭାବିକ ବର୍ଷା ହୋଇପାରେ ବୋଲି  ସେ କହିଛନ୍ତି ।ଏବେ ସୁଦ୍ଧା ରାଜ୍ୟରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଛି ।  ଅପେକ୍ଷାକୃତ କମ୍‌ ବର୍ଷା ହୋଇଥିବା ସ୍ଥାନରେ ବି ଫସଲ ବୁଣିବା ଓ ତଳି ପକାଇବା  ପାଇଁ ପାଣିର ଅଭାବ ନାହିଁ । ଏଣୁ ଧାନ ତଳି ପକାନ୍ତୁ ବୋଲି ପ୍ରଫେସର ପଶୁପାଳକ  ଚାଷୀଙ୍କୁ ପରାମର୍ଶ ଦେଇଛନ୍ତି । ପାଣିପାଗ ବିଭାଗର ଆକଳନ କହୁଛି, ଗାଙ୍ଗେୟ  ପଶ୍ଚିମବଙ୍ଗ ଓ ଏହାର ସଂଲଗ୍ନ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ।  

ଆସନ୍ତା ୨୪ ଘଣ୍ଟାରେ ଏହା ଲଘୁଚାପ ରୂପ ନେଇପାରେ । ରବିବାର ମୟୂରଭଞ୍ଜ  ଓ କେନ୍ଦୁଝରରେ ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା ଅଛି। ଏହି ଦୁଇ ଜିଲ୍ଲା  ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର,  ଦେବଗଡ଼, ବରଗଡ଼, ସୋନପୁର, ଅନୁଗୁଳ, ଢେଙ୍କାନାଳ, ନବରଙ୍ଗପୁର,  କୋରାପୁଟ ଓ ରାୟଗଡ଼ାରେ ପ୍ରବଳ ବର୍ଷା ହୋଇପାରେ । ୭ ତାରିଖରେ  ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁରରେ ଅଧିକ ବର୍ଷା ସମ୍ଭାବନା ଅଛି । ୮  ତାରିଖରେ ଝାରସୁଗୁଡ଼ା, ବରଗଡ଼ ଓ ସୁନ୍ଦରଗଡ଼ରେ ଭାରି ବର୍ଷା ହୋଇପାରେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.