ଭୁବନେଶ୍ୱର,୨୮/୦୧: ଶୀତ  ଉଭାନ୍‌ ହୋଇଗଲାଣି । ଏବେ କାଁ ଭାଁ  କେଉଁଠି ଶୀତ ଅନୁଭୂତ ହେଉଛି ।  ହାତଗଣତି କିଛି ସ୍ଥାନକୁ ଛାଡ଼ିଲେ ବାକି ସବୁଠି ରାତି ତାପମାତ୍ରା ୧୫ ଡିଗ୍ରୀ  ଉପରେ ରହୁଛି । ଆସନ୍ତା ୧ ତାରିଖରୁ ରାତି ତାପମାତ୍ରା ଆହୁରି ବଢ଼ିବ ।  ଶୀତ ପୂରା ଗାଏବ ହୋଇଯିବ ।  ପାଣିପାଗ ବିଶେଷଜ୍ଞ ଏଭଳି  ପୂର୍ବାନୁମାନ କରିଛନ୍ତି । 

ସୋମବାର ଝାରସୁଗୁଡ଼ା ଓ  ରାଉରକେଲାର ରାତି ତାପମାତ୍ରା ସବୁଠୁ  କମ୍‌ ୮ ଡିଗ୍ରୀ ଥିଲା । ଫୁଲବାଣୀରେ  ୯.୫, ସୁନ୍ଦରଗଡ଼ରେ ୯.୮, କେନ୍ଦୁଝରରେ ୧୧.୨, ଦାରିଙ୍ଗିବାଡ଼ିରେ ୧୨.୫, ଭବାନୀପାଟଣାରେ ୧୩.୪,  କୋରାପୁଟରେ ୧୩.୫, ବଲାଙ୍ଗୀରରେ ୧୪,  ସୋନପୁର ଓ ହୀରାକୁଦରେ ୧୪.୧, ଭଦ୍ରକରେ ୧୪.୨,  ନୂଆପଡ଼ାରେ ୧୪.୪, ନବରଙ୍ଗପୁରରେ ୧୪.୫ ଓ  ବାଲେଶ୍ୱରରେ ୧୪.୮ ଡିଗ୍ରୀ ରେକର୍ଡ ହୋଇଛି । ପୁରୀରେ  ରାତି ତାପମାତ୍ରା ସର୍ବାଧିକ ୧୯.୬ ଡିଗ୍ରୀ ରହିଥିଲା ।  ଗୋପାଳପୁର ଓ ପାରାଦୀପରେ ୧୯.୧, ଛତ୍ରପୁରରେ  ୧୯ ଓ ଭୁବନେଶ୍ୱରରେ ୧୮.୬ ଡିଗ୍ରୀ ରେକର୍ଡ ହୋଇଛି ।   

ମଙ୍ଗଳବାର ବାଲେଶ୍ୱର, ଭଦ୍ରକ, ଯାଜପୁର,  କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ,  ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ଅନୁଗୁଳ,  ଢେଙ୍କାନାଳ ଓ କେନ୍ଦୁଝରରେ ଘନ କୁହୁଡ଼ି  ହୋଇପାରେ । ଉପକୂଳ, ଆଭ୍ୟନ୍ତରୀଣ ଓ ଦକ୍ଷିଣ  ଓଡ଼ିଶାର ବିଭିନ୍ନ ସ୍ଥାନରେ କୁହୁଡ଼ି ଦେଖାଯିବ । ବୁଧବାର ଗଞ୍ଜାମ, ଗଜପତି, ଜଗତ୍‌ସିଂହପୁର ଓ  କେନ୍ଦ୍ରାପଡ଼ାରେ ଘନ କୁହୁଡ଼ି ଦେଖାଯିବ ବୋଲି  ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି ।