ଭୁବନେଶ୍ୱର,୨୪/୧୨: ଦୁଇ ଦିନ ରାଜ୍ୟର ଦକ୍ଷିଣ ଓ ଉପକୂଳ  ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ମଙ୍ଗଳବାର ଗଜପତି, ଗଞ୍ଜାମ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା ଓ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା  ହୋଇପାରେ । ବୁଧବାର ଗଞ୍ଜାମ ଓ ଗଜପତିରେ ବର୍ଷା ହେବ । ପାଣିପାଗ  ବିଭାଗ ଏଭଳି ପୂର୍ବାନୁମାନ କରିଛି । ଏହାକୁ ନେଇ ସବୁ ଜିଲ୍ଲାପାଳଙ୍କୁ  ସତର୍କ କରାଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର (ଏସ୍‌ଆରସି) । 

ତିନି ଦିନ ତଳେ ଲଗାଣ ବର୍ଷାରେ ରାଜ୍ୟରେ ବ୍ୟାପକ ଫସଲ କ୍ଷୟକ୍ଷତି ହୋଇଛି । କଟା ହୋଇ ଜମିରେ ପଡ଼ିଥିବା ଧାନ ଅଧିକ କ୍ଷତି ହୋଇଛି । ଅଦିନିଆ ବର୍ଷା ଅନେକ ଚାଷୀଙ୍କ ଅଣ୍ଟା ଭାଙ୍ଗି ଦେଇଛି । ଏହି  ଦୁଃଖରୁ ଚାଷୀ ବାହାରି ନ ଥିବା ବେଳେ ଆଗକୁ ପୁଣି ବିପଦ ଆସୁଛି । ମଙ୍ଗଳବାରଠାରୁ ବର୍ଷା ପୁଣି ନାକେଦମ୍‌ କରିବ । ଗଜପତି, ଗଞ୍ଜାମ,  ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ବାଲେଶ୍ୱର, ବୌଦ୍ଧ,  ଯାଜପୁର, କଟକ, ନୟାଗଡ଼, କନ୍ଧମାଳ, କଳାହାଣ୍ଡି, କୋରାପୁଟ ଓ  ମାଲକାନଗିରିରେ ସ୍ୱଳ୍ପରୁ ମଧ୍ୟମ ପରିମାଣର ବର୍ଷା ସମ୍ଭାବନା ଅଛି । 

୫ଟି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ  ଦିଆଯାଇଛି । ବୁଧବାର ଗଜପତି ଓ ଗଞ୍ଜାମରେ ପ୍ରବଳ ବର୍ଷା  ହୋଇପାରେ। ଏଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ପୁଣି  ଆସନ୍ତା ଦୁଇ ଦିନରେ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ୍‌  କମିପାରେ ବୋଲି ଆକଳନ କରାଯାଇଛି । ଦୁଇ ଦିନ ବର୍ଷା  ଥିବାରୁ ପାଣିପାଗ ସ୍ଥିତି ଉପରେ ନଜର ରଖି ପଦକ୍ଷେପ  ନେବାକୁ ଏସ୍‌ଆରସି ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । 

ସେପଟେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ  ପୂଜାରୀ କହିଛନ୍ତି, ଅଦିନିଆ ବର୍ଷାରେ ହୋଇଥିବା କ୍ଷୟକ୍ଷତିର  ଆକଳନ ପାଇଁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛୁ । ଜମିରୁ  ପାଣି କମିବା ପରେ ସେମାନେ କ୍ଷେତ୍ର ଅଧିକାରୀଙ୍କ ଜରିଆରେ  କ୍ଷୟକ୍ଷତିର ବିସ୍ତୃତ ଆକଳନ କରିବେ । ୩ଦିନରେ ରିପୋର୍ଟ  ଦେବାକୁ କୁହାଯାଇଛି । ଚତୁର୍ଥ ଦିନରେ ଏହାର ରିପୋର୍ଟର ଅନୁଧ୍ୟାନ  କରାଯିବ । ପଞ୍ଚମ ଦିନରୁ କ୍ଷତିପୂରଣ ମିଳିବା ଆରମ୍ଭ ହେବ । 

କୌଣସି ଚାଷୀଙ୍କ ଧାନ ଓଦା ହୋଇଥିଲେ ତାକୁ ଶୁଖାଇବାକୁ  ମଣ୍ଡିରେ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଓଦା ହେବା ସତ୍ତେ୍ୱ  ଯେଉଁ ଧାନ ବିକ୍ରି ଯୋଗ୍ୟ ହେବ ସେ କ୍ଷେତ୍ରରେ ନିୟମକୁ କୋହଳ  କରିବାକୁ କୁହାଯାଇଛି । ଫସଲ କ୍ଷତି ପାଇଁ ଇନପୁଟ୍‌ ସବ୍‌ସିଡି ମିଳିବ ।  ଯେଉଁ ଚାଷୀମାନେ ବୀମା କରିଥିବେ ସେମାନେ ସହାୟତା ପାଇବାକୁ  ଯୋଗ୍ୟ । ସେମାନେ ବୀମା କମ୍ପାନୀକୁ ଆବେଦନ କଲେ ନିୟମ  ଅନୁସାରେ ବୀମା ସହାୟତା ମିଳିବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ।