ଭୁବନେଶ୍ୱର,୧୯/୧୧: ଆସନ୍ତା ୪ଦିନ ଯାଏ ରାଜ୍ୟରେ ଶୀତ ପ୍ରକୋପ କମିବନି । ବାହାରକୁ ବାହାରିଲେ କୋହଲା ପବନ ଦେହ, ହାତ ଥରାଇ ଦେବ। ରାତି ବଢ଼ିଲେ  ଶୀତ ବଢ଼ିବ । ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି ।

ସୋମବାର ରାଜ୍ୟର ୧୨ ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ  ଥିଲା । ଜି ଉଦୟଗିରିରେ ପାରଦ ସବୁଠୁ କମ୍‌ ବା ୭.୨  ଡିଗ୍ରୀ ସେଲସିୟସ୍‌କୁ ଖସି ଆସିଥିଲା । ଫୁଲବାଣୀରେ  ୧୦.୫ଡିଗ୍ରୀ, ଅନୁଗୁଳରେ ୧୧.୬, ଦାରିଙ୍ଗିବାଡ଼ିରେ  ୧୧.୫, ରାଉରକେଲାରେ ୧୨.୨, ଝାରସୁଗୁଡ଼ାରେ  ୧୨.୪, ଭବାନୀପାଟଣାରେ ୧୩, କେନ୍ଦୁଝର ଓ  ସୁନ୍ଦରଗଡ଼ରେ ୧୪, ନବରଙ୍ଗପୁରରେ ୧୪.୫, ବଲାଙ୍ଗୀର  ଓ ଢେଙ୍କାନାଳରେ ୧୪.୯, ସୋନପୁରରେ ୧୫.୧,  ନୟାଗଡ଼ରେ ୧୫.୪ ଡିଗ୍ରୀ ରେକର୍ଡ ହୋଇଛି। 

ଆସନ୍ତା ୪ରୁ ୫ ଦିନ ଯାଏ ରାଜ୍ୟର ଜିଲ୍ଲାଗୁଡ଼ିକର  ସର୍ବନିମ୍ନ ତାପମାତ୍ରାରେ ପରିବର୍ତ୍ତନ ସମ୍ଭାବନା ନାହିଁ ।  ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ବରଗଡ଼,  କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାରେ ହାଲୁକାରୁ  ମଧ୍ୟମ ଧରଣର କୁହୁଡ଼ି ଦୃଶ୍ୟମାନ ହୋଇପାରେ  ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।